ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର: ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ, ଖାଉଟି ଦ୍ରବ୍ୟର ଦର ବୃଦ୍ଧିକୁ ବିରୋଧ କରି ମହିଳା ମହାବିଦ୍ୟାଳୟ ଜାତୀୟ ରାଜପଥ ପାର୍ଶ୍ବରେ କୋରାପୁଟ ଜିଲ୍ଲା ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ ଶାସନକୁ ଆସିବା ପୂର୍ବରୁ ଗ୍ୟାସ ଦର ସିଲିଣ୍ଡର୍ ପିଛା ପାଖା ପାଖି ୪୦୦ ଟଙ୍କା ହୋଇଯିବାରୁ ୟୁପିଏ ନେତୃତ୍ବାଧୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରକୁ ପ୍ରଶ୍ନ କରୁଥିଲେ।  ସେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୈଧିତ  ବ୍ୟାରେଲ ପିଛା ତୈଳ ଦର ୧୪୦ ଡଲାର ଥିଲା।

ଏବେ ୧୦୦ଡଲାର ରହିଛି। ଏହା ବାଦେ ମଧ୍ୟ କେନ୍ଦ୍ର ସରକାର ଗତ ୮ବର୍ଷରେ ପେଟ୍ରୋଲ ଡିଜେଲ ଉପରେ ଟିକସ ବୃଦ୍ଧି କରି ସାଧାରଣ ଲୋକଙ୍କଠାରୁ ୨୬ ଲକ୍ଷ କୋଟି ଟଙ୍କା ଆଦାୟ କରିଛି ବୋଲି ଅଭିଯୋଗ କରିଛନ୍ତି ସିପିଆଇ ନେତା। ମୋଦୀ ଅତି ଚତୁରତାର ସହ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀ କରି ରାଜ୍ୟମାନଙ୍କୁ ଟିକସ କମ୍ କରିବା ପାଇଁ କହିଦେଲେ।  ଏହା କେବଳ ନିଜ ସରକାରକୁ ଜନ ଆକ୍ରୋଶରୁ ବଞ୍ଚେଇବା ପାଇଁ ବୋଲି ସିପିଆଇ ଅଭିଯୋଗ କରିଛି। ଆଜିର ବିକ୍ଷୋଭରେ ସିପିଆଇ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ରାଜ୍ୟ ପରିଷଦ ସଭ୍ୟ ପ୍ରମୋଦ କୁମାର ମହାନ୍ତି, ସହ ସମ୍ପାଦକ ରାମକୃଷ୍ଣ ଦାସ, ଯୁବଛାତ୍ର ଆବାହକ ସତ୍ୟବ୍ରତ ନନ୍ଦ, ଯୁବ ସଂଘର ନନ୍ଦ ହରିଜନ, ବୈଦ୍ୟନାଥ ହରିଜନ,ଗୁପ୍ତା ସାଗରୀଆ, ସନ୍ନ୍ୟାସୀ ମାଳି ପ୍ରମୁଖ ଭାଗ ନେଇଥିଲେ।

୨୦୧୪ମସିହାରେ କେନ୍ଦ୍ରରେ ୟୁପିଏ ନେତୃତ୍ବାଧୀନ କଂଗ୍ରେସ ସରକାରରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରହିଥିବା ବେଳେ ଗ୍ୟାସ ଦର ୪୦୦ଟଙ୍କା ରହିଥିଲା। ବିଜେପି ନେତୃତ୍ବାଧୀନ କେନ୍ଦ୍ରସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର ୮ବର୍ଷ ମଧ୍ୟରେ ଗ୍ୟାସ୍ ଦର ଏକ ହଜାରକୁ ଛୁଇଁଛି ବୋଲି ଅଭିଯୋଗ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସାଧାରଣ, ମଧ୍ୟବିତ୍ତ, ଖଟିଖିଆ ଆଦିଙ୍କ ଉପରେ ଏହା ସିଧାସଳଖ ଭାବେ ପ୍ରଭାବ ପଡ଼ୁଛି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଏବଂ ଜୟପୁର ସହରରେ ୧୦୨୮ଟଙ୍କା ଦେଇ ଗ୍ୟାସ ସିଲଣ୍ଡର ନେବା ବହୁ ମୁସ୍କିଲ। ତେଣୁ କଂଗ୍ରେସ ଏହାକୁ ବିରୋଧ କରିବ ବୋଲି କହିଛନ୍ତି ଜୟପୁର ବିଧାୟକ।

ସମ୍ବନ୍ଧିତ ଖବର