ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଡ୍ରାଇଭର ମହାସଂଘ ତରଫରୁ ବୁଧବାର ଜିଲ୍ଲାପାଳ ଅଫିସ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏଡିଏମ୍‌ ଅଗସ୍ତି ପ୍ରଧାନଙ୍କୁ ଦିଆଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ କରୋନା କାଳରେ ଡ୍ରାଇଭରମାନଙ୍କୁ ଦ୍ବିତୀୟ ସୈନିକ ମାନ୍ୟତା, ଡ୍ରାଇଭରଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରିବା, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଗାଡ଼ି ଚାଳକଙ୍କ ପୁଅଝିଅଙ୍କୁ ଉଚ୍ଚଶିକ୍ଷା ପାଇଁ ୪୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ୫୫ ବର୍ଷରୁ ଅଧିକ ବୟସ୍କ ଡ୍ରାଇଭରମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଆଦି ୧୧ ଦଫା ଦାବି ରହିଛି।

Advertisment

ଗତ ସେପ୍ଟେମ୍ବର ୧ରେ ମହାସଂଘ ତରଫରୁ ସ୍ମାରକ ପ୍ରଦାନ କରାଯାଇଥିଲା। ପଞ୍ଚାୟତ ନିର୍ବାଚନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ଏବେ ପଞ୍ଚାୟତ ଓ ଏନ୍‌ଏସି ନିର୍ବାଚନ ସରିଥିଲେ ମଧ୍ୟ ଡ୍ରାଇଭରମାନଙ୍କ ଦାବି ଉପରେ ରାଜ୍ୟ ସରକାର ଚିନ୍ତା କରି ନାହାନ୍ତି। ତେଣୁ ଏହାର ପ୍ରତିବାଦରେ ବୁଧବାର ଜିଲ୍ଲା ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଥିଲା। ଆସନ୍ତା ୭ ଦିନ ଭିତରେ ଡ୍ରାଇଭର ମହାସଂଘର ଦାବି ପୂରଣ ନହେଲେ ଷ୍ଟିଅରିଂଛାଡ଼ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।