ଭୁବନେଶ୍ୱର : ଗତ ନଭେମ୍ବର ମାସରେ ପ୍ରତିଶ୍ରୁତି ଦେଇ ଏବେ ସରକାର ପ୍ରତାରଣା କରିଛନ୍ତି। କୌଣସି ଦାବି ପୂରଣ କରିନାହାନ୍ତି। କିମ୍ବା ନିକଟ ଭବିଷ୍ୟତରେ ପୂରଣ ପାଇଁ ଯୋଜନା ମଧ୍ୟ କରିନାହାନ୍ତି। ନଭେମ୍ବର ପରଠାରୁ ବାରମ୍ବାର ଦାବି ପୂରଣ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏଥିପ୍ରତି ତତ୍ପରତା ପ୍ରକାଶ ପାଉନାହିଁ। ଏଣୁ ପୂର୍ବବତ୍ ୫ ଦଫା ଦାବି ନେଇ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ରାଜରାସ୍ତାକୁ ଓହ୍ଲାଇଛି। ଲୋୟର ପିଲଏମ୍ଜିରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ କରିଛି ସଂଘ। ଏ ନେଇ ଏକ ଦାବିପତ୍ର ମଧ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେଲେ ଆସନ୍ତା ୧୨ ତାରିଖଠାରୁ ସମୂହ ଇସ୍ତଫା ପ୍ରଦାନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ‘ସ୍କୁଲ କୋଅର୍ଡିନେଟର’ ନାମ ପରିବର୍ତ୍ତନ କରାଯାଇ କମ୍ପ୍ୟୁଟର୍ ଶିକ୍ଷକ ମାନ୍ୟତା ପ୍ରଦାନ କରାଯିବା, ଶିକ୍ଷକମାନଙ୍କୁ ଓଆର୍ଭି ଆକ୍ଟ ଅନ୍ତର୍ଭୁକ୍ତ କରିବା, କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତା ମୂଳକ କରିବା, ଏହି ସଂଯୋଜକମାନଙ୍କୁ ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମାନ୍ୟତା ଦେବା, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଇ-ବିଦ୍ୟାଳୟ ପ୍ରକଳ୍ପକୁ ରାଜ୍ୟ ସରକାର ଘରୋଇ କରଣ ନ କରି ସରକାର ପରିଚାଳନା କରନ୍ତୁ ପ୍ରଭୃତି ଦାବି ରହିଛି। ସଂଘର ସଭାପତି ପ୍ରଶାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ ସଭାପତି ସୌମ୍ୟରଞ୍ଜନ ମଲ୍ଲିକ, ଉପସଭାପତି ଅମିତା ସାାହୁ, ଜିତୁ ସାହୁ, ସଞ୍ଜୀବ ଜେନା, ସୁବ୍ରତ କର, ଚନ୍ଦ୍ରକାନ୍ତ ଶ୍ରୀଚନ୍ଦନ ଓ ପରୀକ୍ଷିତ ନାୟକ, ଯୁଗ୍ମ ସମ୍ପାଦକ ହୃଶିକେଷ ମିଶ୍ର, ସୁନନ୍ଦାରାଣୀ ସାହୁ, ଚିନ୍ମୟ ଦାସ, ବିଜୟ ବେହେରା, ତୁଷାର ରଞ୍ଜନ ବାରିକ, ଲାଲୁ ପ୍ରସାଦ ଧଳ ଓ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ସାହୁ ପ୍ରମୁଖ ଶତାଧିକ ସଂଯୋଜକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରୁ ରାଜ୍ୟର ୪ ହଜାର ବିଦ୍ୟାଳୟରେ ଏଭଳି ବିଦ୍ୟାଳୟ ସଂଯୋଜକ ନିଯୁକ୍ତି ପାଇଛନ୍ତି। ଶିକ୍ଷକ ଓ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ନିମନ୍ତେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଆର୍ଥିକ ବୋଝ ବହନ କରୁଥିବା ବେଳେ ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି। ରାଜ୍ୟର ୪ ହଜାର ସ୍କୁଲକୁ ୨ଟି ସଂସ୍ଥା (ଆଇଏଲ ଆଣ୍ଡ ଏଫ୍ଏସ୍ ଓ ଟିସିଆଇଏଲ୍)ଏଭଳି ଶିକ୍ଷକ ଯୋଗାଇଛନ୍ତି। ଆଉଟ ସୋର୍ସିଂ ଜରିଆରେ ସରକାର ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଗତ ୪ ମାସ ହେଲା ଏହି ଶିକ୍ଷକମାନେ ଦରମା ପାଇନାହାନ୍ତି। ଏଣୁ ଯଦି ସରକାର ଏହି ସବୁ ଦାବି ପୂରଣ ନ କରନ୍ତି ତେବେ ସେମାନେ ୧୨ ତାରିଖ ପରେ ସମୂହ ଇସ୍ତଫା ଦେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।