ଭୁବନେଶ୍ୱର : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଚାଲିଥିବା ଅନଶନ ଓ ସତ୍ୟାଗ୍ରହ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଆଜି ଅନଶନସ୍ଥଳରେ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ପହଞ୍ଚି ସେମାନଙ୍କୁ ସମର୍ଥନ ଜଣାଇଛନ୍ତି। ଅପରପକ୍ଷରେ ଅନଶନରେ ବସିଥିବା ୭ଜଣ ଅନଶନକାରୀ ଆଜି ଅସୁସ୍ଥ ହୋଇ ପଡ଼ିଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।
ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆଜି ମଧ୍ୟ ଧାରଣାସ୍ଥଳରେ ଆନ୍ଦୋଳନ ଜାରି ରହିଛି। ସଂଗଠନର କହିବାନୁଯାୟୀ, ଦେଶ ତଥା ରାଜ୍ୟରେ ଚାଷୀମାନେ ଆଜି ଅବହେଳିତ। ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ହେଁ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି। ଚାଷୀ ଆତ୍ମହତ୍ୟାର ସମାଧାନ କରିବା ପାଇଁ ପ୍ରତ୍ୟେକ ୨୦ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ। ପେନସନ୍ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅପରପକ୍ଷରେ ଏହି ଅନଶନକୁ ସମର୍ଥନ ଜଣାଇ ଆଜି ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା, ସମାଜସେବୀ ରଶ୍ମି ମହାପାତ୍ର, ଆନ୍ନା କେନ୍ଦ୍ରୀୟ କମିଟି ସଦସ୍ୟ ବିନାୟକ ରାଓ ପାଟିଲ ଓ ଅନ୍ୟମାନେ ଯୋଗ ଦେଇଥିଲେ। ତେବେ ଅନଶନରେ ବସିଥିବା କୃଷ୍ଣଚନ୍ଦ୍ର ବେହେରା, ରଂଜନ ମହାନ୍ତି, ବାବାଜୀ ଜେନା, ପ୍ରମୋଦ ଦାସ, ଜୟୀରାମ ନାୟକ, ରବୀନ୍ଦ୍ର ପାଇଟାଲ ଓ କାଶୀନାଥ ସ୍ୱାଇଁ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। କାଶୀନାଥ ସ୍ୱାଇଁଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଏମ୍ସ ରେଫର କରାଯାଇଥିବା ଜଣାପଡ଼ିଛି।
ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ମହାରଣା, ମମତା ନାଥ, ନିତ୍ୟାନନ୍ଦ ପଣ୍ଡା, ଶିଶିର ସାମଲ, ମଧୁମିତା ସାମଲ, ମନଓ୍ଵର ଅଲ୍ଲୀ ପ୍ରମୁଖ ନେତୃତ୍ୱ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/nabanirmana-1.jpg)
