ଭୁବନେଶ୍ବର : ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ପ୍ରଦାନ ଓ ସମାନ କାମକୁ ସମାନ ଦରମା ଦାବିରେ ଓଡ଼ିଶା ଅମଲା ସଂଘ ଆଜି ଲୋୟର ପିଏମ୍ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଜୁନିଅର୍ ଆସିଷ୍ଟାଣ୍ଟମାନଙ୍କ ଦରମା ହାର ସହ ସମାନ କରି ଅମଲାମାନଙ୍କୁ ଲେଭଲ୍-୪ରୁ ଲେଭେଲ-୯କୁ ଉତ୍ତୀର୍ଣ୍ଣ କରିବାକୁ ସଂଘ ଦାବି କରିଛି। ସଂଘ ପକ୍ଷରୁ ଏ ସଂପର୍କିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। ଆସନ୍ତା ୯ ଦିନ ଭିତରେ ଏକ କମିଟି ଗଠନ କରାଯାଇ ଦାବି ନେଇ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ତେବେ ଡିସେମ୍ବର ୧୧ ତାରିଖ ଭିତରେ ଦାବି ପୂରଣ ନ ହେଲେ, ସଂଘ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ସଂଘର ଦାବି ମୁତାବକ, ଜିଲ୍ଲା ସ୍ତରରେ ଅମଲା ସରକାରଙ୍କ ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। କିନ୍ତୁ, ଦରମା ପ୍ରଦାନରେ ସେମାନଙ୍କ ପ୍ରତି ପାତରଅନ୍ତର କରାଯାଉଛି। ଅନ୍ୟ ବର୍ଗର କର୍ମଚାରୀ ଯୁକ୍ତ ୩ ଯୋଗ୍ୟତାରେ ଅଧିକ ବେତନ ପାଉଥିବା ବେଳେ ସ୍ନାତକୋତ୍ତର ଯୋଗ୍ୟତା ହାସଲ କରି ଅମଲାମାନେ କମ୍ ଦରମା ପାଉଛନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ବଢ଼ି ଅମଲାଙ୍କ ସହ ସମାନ ହେଲାଣି। ରାଜ୍ୟ ସଭାପତି ନାରାୟଣ ଦାଶଙ୍କ ନେତୃତ୍ବରେ ରାଜ୍ୟ ସାଧାରଣ ସଂପାଦକ ପ୍ରସନ୍ନ ତ୍ରିପାଠୀ, ଅଧ୍ୟକ୍ଷ ଅସିତ ଚରଣ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ଚିତ୍ତରଂଜନ ତରାସିଆ, ବିଶ୍ବମୋହନ ମହାପାତ୍ର, ଜ୍ଞାନରଞ୍ଜନ ଦାସ, ଗୁରୁଗୋବିନ୍ଦ ଦଳାଇ, ଅନ୍ତର୍ଯ୍ୟାମୀ ପ୍ରଧାନ, ଶତ୍ରୁଘ୍ନ ପାଣିଗ୍ରାହୀ, ନରସିଂହ ଆଚାରିଙ୍କ ସମେତ ସବୁ ଜିଲ୍ଲାରୁ ଶହଶହ ସଂଖ୍ୟାରେ ଅମଲା ଏଥିରେ ସାମିଲ ହୋଇଥିଲେ।