ଦରଦାମ୍ ବୃଦ୍ଧି ପ୍ରତିବାଦରେ ସିପିଆଇ(ଏମ୍)ର ଧାରଣା

ଭୁବନେଶ୍ବର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ୍ ବୃଦ୍ଧି ପ୍ରତିବାଦରେ ସିପିଆଇ(ଏମ୍) ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ଲୋକଲୋଚନରୁ ଏଡ଼ାଇବା ପାଇଁ ଦରବୃଦ୍ଧିର ପ୍ରତିବାଦ କେବଳ ଲୋକ ଦେଖାଣିଆ ଭାବେ କଲେ ହେବ ନାହିଁ ବରଂ ମୋଦୀ ସରକାରଙ୍କ ସମସ୍ତ ଜନବିରୋଧୀ ଆର୍ଥିକ ନୀତିକୁ ବିରୋଧ କରିବା ଦରକାର ବୋଲି ସିପିଆଇ(ଏମ୍)ର ଭୁବନେଶ୍ବର ସଂପାଦକ ରାମଚନ୍ଦ୍ର ତ୍ରିପାଠୀ କହିଛନ୍ତି। ତୈଳଜାତ ଦ୍ରବ୍ୟ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବ୍ୟବସ୍ଥାକୁ ସରଳୀକରଣ କରି ଟିକସ କମାଇଲେ ହିଁ ଦର କମି ପାରିବ ବୋଲି ଦଳ କହିଛି।

ଏହାସହ ସାଧାରଣ ଜନତା ବଞ୍ଚିବା ପାଇଁ ଅତ୍ୟନ୍ତ ଆବଶ୍ୟକ ୧୪ଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ରାସନ କାର୍ଡରେ ସାମିଲ କରି ରିହାତି ମୂଲ୍ୟରେ ବିକ୍ରି କରିବା ପାଇଁ ଦାବି ହୋଇଛି। ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଦଳର ଏକ ପ୍ରତିନିଧି ଦଳ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ସୁରେଶ ପାଣିଗ୍ରାହୀ, ନିର୍ମଳ ନାୟକ, ସାଲ ମାର୍ଣ୍ଡି, ଯତୀନ ମହାନ୍ତି, ମିନତୀ ପାଣିଗ୍ରାହୀ, ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ଚାମ୍ବୁର ସୋରେନ୍, ସରୋଜ ନାୟକ, ପ୍ରମୋଦିନୀ ସାହୁ , ଜଗଦୀଶ ଜେନା, ଅଭିରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର