ବିଭିନ୍ନ ଦାବି ନେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଧାରଣା

ସୋନପୁର : ୨ ଦଫା ଦାବି ପୂରଣ ନେଇ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ପ୍ରତୀକାତ୍ମକ ଧାରଣା ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଯେମିତି ବ୍ୟାହତ ନହେବ ସେଥିପାଇଁ ଅପରାହ୍‌ଣ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଧାରଣା ଦିଆଯାଉଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଦାବି ମଧ୍ୟରେ ରହିଛି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଖାଲି ଥିବା ‌ଲେଭେଲ-୫(ବି)ର ସମସ୍ତ ଶିକ୍ଷକ ପଦ ପଦୋନ୍ନତୀ ମାଧ୍ୟମରେ ଶୀଘ୍ର ପୂରଣ କରିବା, ମୁଖ୍ୟମନ୍ତ୍ରୀଙ୍କ ଦେଇଥିବା କୋହଳ ସମୟ ସୀମା (ତା୩୦/୯/୨୦୨୨) ମଧ୍ୟରେ ଏହି ଶିକ୍ଷକମାନଙ୍କର ଲେଭେଲ -୫(ବି)ରୁ ଲେଭେଲ-୪/ଗ୍ରାଜୁଏଟ ଶିକ୍ଷକକୁ ପୁନଃ ପଦୋନ୍ନତିର ସୁନିଶ୍ଚିତ ବ୍ୟବସ୍ଥା କରିବା। ଏହି ଦାବି ନେଇ ସଂଘ ପକ୍ଷରୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲାପରେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉ ନଥିବାରୁ ସଂଘ ବାଧ୍ୟ ହୋଇ ପ୍ରତୀକାତ୍ମକ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଏହି ଧାରଣାରେ ସଂଘ ସଭାପତି ଶଶାଙ୍କ ଶେଖର ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀନିବାସ ରଥ, ସଞ୍ଜୟ ପଣ୍ଡା, ସୁରେଶ ପ୍ରଧାନ, ମନୋଜ ସାହୁ, ସୁପ୍ରଭା ପାଣିଗ୍ରାହୀ, ଗାୟତ୍ରୀ ଦାଶ, ଦଳଗୋବିନ୍ଦ ପଣ୍ଡା, ଘନଶ୍ୟାମ ମିଶ୍ର ପ୍ରମୁଖ ବସିଥିଲେ। ଏପରିକି ପ୍ରତୀକାତ୍ମ ଧାରଣାରୁ ବିରତ ରହିବା ପାଇଁ ସଂଘ ପ୍ରତିନିଧି ସହ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଆଲୋଚନା କରିଥିଲେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା ଫଳରେ ଆଲୋଚନା ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର