ଆର୍‌ଆଇ ଅଫିସ୍‌ ସ୍ଥାନାନ୍ତର ପ୍ରତିବାଦରେ ତହସିଲ୍‌ ଅଫିସ୍ ଘେରିଲେ

କଣ୍ଟାମାଳ : ପ୍ରସ୍ତାବିତ ଆର୍‌ଆଇ ଅଫିସ୍‌ ଲମ୍ବସରୀରୁ ଦପଲାକୁ ସ୍ଥାନାନ୍ତର ପ୍ରତିବାଦରେ ସୋମବାର ଦିନ ଅଞ୍ଚଳରୁ ୨୫ରୁ ଅଧିକ ଗ୍ରାମର ଲୋକେ କଣ୍ଟାମାଳ ତହସିଲ୍‌ ଅଫିସ୍‌ ଘେରାଉ କରିଛନ୍ତି। ବହୁଦିନ ଧରି ଅଞ୍ଚଳବାସୀ ଆର୍‌ଆଇ ଅଫିସ୍‌ ସ୍ଥାପନ ପାଇଁ ଜିଲ୍ଲାପାଳ ଓ ରାଜସ୍ବ କମିଶନରଙ୍କ ନିକଟରେ ଦାବି କରିଆସୁଥିଲେ। ଲମ୍ବସରୀରେ ଆର୍‌ଆଇ ଅଫିସ୍‌ ପୁନର୍ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୦ ମାର୍ଚ୍ଚରେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ଲମ୍ବସରୀ ଆସି ଆର୍‌ଆଇ ଅଫିସ୍‌ ପାଇଁ ପେକ୍ସ ନିକଟରେ ଓ ଗୁହିରାପାଲି ଛକ ନିକଟରେ ସ୍ଥାନ ଚିହ୍ନଟ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଦପଲାରେ ଆର୍‌ଆଇ ଅଫିସ୍‌ ସ୍ଥାପନ ପାଇଁ ଯୋଜନା ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଆସନ୍ତା ଅଗଷ୍ଟ ୨ ତାରିଖରେ ଉକ୍ତ ଅଫିସ୍‌ ପାଇଁ ଦପଲାରେ ଭୂମି ପୂଜନ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ସୋମବାର ଲମ୍ବସରୀ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ କଣ୍ଟାମାଳ ହାଟପଦାଠାରୁ ଏକ ଶୋଭାଯାତ୍ରାରେ ଯାଇ ତହସିଲ ଅଫିସ୍‌ରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ରାଲିରେ ଲମ୍ବସରୀ ସରପଞ୍ଚ ବିଜୟ ଲକ୍ଷ୍ମୀ ମେଣ୍ଡିଲି, ନାଏବ ସରପଞ୍ଚ ଗୋପବନ୍ଧୁ ପ୍ରଧାନ, କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ, ନିରଂଜନ କର୍ଣ୍ଣ, ଅନିଲ ପ୍ରଧାନଙ୍କ ସମେତ ୪୨ ଖଣ୍ଡ ମୌଜାର ଲୋକେ ସାମିଲ ହୋଇଥିଲେ। ଉକ୍ତ ଦାବିକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରି ଶୀଘ୍ର ନିଷ୍ପତ୍ତି ନନେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର