ଜଗନ୍ନାଥ ମନ୍ଦିରକୁ ନେଇ ‌ଓୱେସୀଙ୍କ ଆପତ୍ତିଜନକ ମନ୍ତବ୍ୟ: ସମୃଦ୍ଧ ଓଡ଼ିଶା ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଏଆଇଏମଆଇଏମର ମୁଖ୍ୟ ଆସାଦୁଦ୍ଦିନ ଓୱେସୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ସମୃଦ୍ଧ ଓଡ଼ିଶା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ବିରୋଧରେ ଦଳ ପକ୍ଷରୁ ୟୁନିଟ୍‌-୩ ସ୍ଥିତ ରାମ ମନ୍ଦିର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କିଛି ଦିନ ତଳେ ଓୱେସୀ କହିଥିଲେ ଯେ, ବୁଦ୍ଧ ମନ୍ଦିରକୁ ଭଙ୍ଗାଯାଇ ସେଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଏପରି ବିଷାକ୍ତ ମନ୍ତବ୍ୟ ଦ୍ୱାରା ଜାତି ଓ ଧର୍ମ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ଭାଇଚାରା ନଷ୍ଟ ହେଉଥିବା ନେଇ ସମୃଦ୍ଧ ଓଡ଼ିଶା କହିଛି। ଓୱେସୀ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ହୀନ ରାଜନୀତି ଚଳାଇଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଆଜିର ବିକ୍ଷୋଭରେ ଦଳର ସଭାପତି ନୀଳକଣ୍ଠ ରେଡ୍ଡି, କାର୍ଯ୍ୟନିର୍ବାହୀ ସଭାପତି ହରିହର ପାତ୍ର, ମଦନମୋହନ ଦାସ, ଉପସଭାପତି ଶୁଭମ ସାମଲ, ସୀମାଞ୍ଚଳ ସାହୁ, ସାଧାରଣ ସଂପାଦକ ଆଶିଷ କୁମାର ମହାପାତ୍ର, ଅଶ୍ରୁମୋଚନ ପାତ୍ର, ସୁଧାଂଶୁ ମାଝି, ସୋମନାଥ ମାଝି, ଶିବସୁନ୍ଦର ଦାସ, ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର