ଏଏସ୍‌ଓ ପରୀକ୍ଷାଫଳକୁ ନେଇ ଆଶାୟୀଙ୍କ ବିକ୍ଷୋଭ

ମେରିଟ୍ ଅନୁସାରେ ଚୟନ ହୋଇଛି : ଓପିଏସ୍‌ସି

କଟକ : ଓଡ଼ିଶା ଲୋକସେବା ଆୟୋଗ ( ଓପିଏସ୍‌ସି) ପକ୍ଷରୁ ଗତ ୭ ତାରିଖରେ ପ୍ରକାଶ ପାଇଥିବ‌ା ଏଏସ୍‌ଓ( ଆସିଷ୍ଟାଣ୍ଟ୍ ‌ସେକ୍ସନ ଅଫିସର) ଫଳାଫଳକୁ ନେଇ ଏବେ ରାଜ୍ୟବ୍ୟାପୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଓପିଏସ୍‌ସି ପ୍ରକ‌‌ାଶ କରିଥିବା ପରୀକ୍ଷାଫଳରେ କଟ୍‌ଅଫ୍‌ ମାର୍କ ନ ଦେବା, କିଏ କେତେ ନମ୍ବର ରଖିଲେ ସେମାନଙ୍କ ବ୍ୟକ୍ତିଗତ ନମ୍ବର ଅପଲୋଡ୍‌ ନକରିବା, ପରୀକ୍ଷାର ଦୁଇମାସ ପରେ ମଧ୍ୟ ଉତ୍ତରଖାତା ୱେବ୍‌ସାଇଟ୍‌ରେ ଛଡ଼ା ନ ହେବାକୁ ନେଇ ଏହି ଅସନ୍ତୋଷ। ଗତ ଦୁଇଦିନ ହେବ କିଛି ଆଶାୟୀମାନେ ଏକତ୍ରିତ ହୋଇ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖ‌ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓପିଏସ୍‌ସିର ପରୀକ୍ଷା ପରିଚାଳନା ଓ ଏହାର ସ୍ବଚ୍ଛତାକୁ ନେଇ ଆପତ୍ତି ଉଠାଇଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରିବା ସହିତ ଆଶାୟୀଙ୍କ ଦାବିଗୁଡିକ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।

ଆଶାୟୀଙ୍କ କହିବା କଥା, ଓପିଏସ୍‌ସି କେବଳ କୃତକାର୍ଯ୍ୟ ହୋଇଥିବା ‌ରୋଲ୍‌ନମ୍ବର ଗୁଡ଼ିକ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିଛନ୍ତି। ମାତ୍ର କେଉଁ ଭିତ୍ତିରେ ଚୟନ ହେଲା, ଏହାର କଟ୍‌ଅଫ ମାର୍କ କେତେ ରହିଲା ତାହା ଦେଉନାହାନ୍ତି। ଏହାକୁ ଚୂଡ଼ାନ୍ତ ପରୀକ୍ଷାଫଳ ପରେ କାହିଁକି ଦିଆଯିବ ବୋଲି ଆଶାୟୀମାନେ ପ୍ରଶ୍ନ କରିଛନ୍ତି। ସେହିଭଳି, କମ୍‌ ନମ୍ବର ରଖିଥିବା ପ୍ରାର୍ଥୀ, ଏପରିକି ଅନୁପସ୍ଥିତ ଥିବା ପ୍ରାର୍ଥୀଙ୍କ ରୋଲ୍‌ ନମ୍ବର କୃତକାର୍ଯ୍ୟ ତାଲିକାରେ ଥିବା ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଆଶାୟୀଙ୍କ ଏଭଳି ଅଭିଯୋଗକୁ ଓପିଏସ୍‌ସି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଖଣ୍ଡନ କରିଛି। ସୋସିଆଲ ମିଡିଆ ବା କିଛି ଗଣମାଧ୍ୟମର ପ୍ରକାଶ ପାଇଥିବା ଖବରକୁ ଭିତ୍ତିହୀନ ବୋଲି କହିଛି। ଏଥିସହିତ, ଅନୁପସ୍ଥିତ ଥିବା କୌଣସି ପ୍ରାର୍ଥୀ କୃତକାର୍ଯ୍ୟ ହୋଇ ନଥିବା ଓପିଏସ୍‌ସି ସ୍ପଷ୍ଟ କରିଛି। ତେବେ, ଓପିଏସ୍‌ସିର ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବାପରେ ଯାଇ ଆନ୍ସର(ଉତ୍ତର ଖାତା) କି କଟ୍ ଅଫ୍ ମାର୍କ ଓ ବ୍ୟକ୍ତିଗତ ସ୍କୋର ବା ନମ୍ବର ଦିଆଯାଇ ପାରିବ। ଏଭଳି ନିୟମ ୟୁପିଏସ୍‌ସିରେ ମଧ୍ୟ ପ୍ରଚଳିତ ବୋଲି ଓପିଏସ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯୋଗ୍ୟତା ବା ମେରିଟ୍ ଭିତ୍ତିରେ ପ୍ରାର୍ଥୀଙ୍କୁ ଚୟନ କରାଯାଉଛି ବୋଲି ଓପିଏସ୍‌ସି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୭ ତାରିଖରେ ଏଏସ୍‌ଓ ପରୀକ୍ଷା କରାଯାଇଥିଲା। ୭୯୬ଟି ପଦବି ପାଇଁ ମୋଟ୍‌ ୧ଲକ୍ଷ ୪୮ ହଜାର ୮୮୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଗତ ୭ ତାରିଖରେ ଏଏସ୍‌ଓ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୧୧୦୪ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ‌ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ପରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର