ଆହୁରି ତେଜିଲା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ : ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ କାର୍ଯ୍ୟବନ୍ଦ

୧୯ ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସ ଅଚଳ, ୨୯ ଓ ୩୦ ରେ ୪୮ ଘଣ୍ଟିଆ ମହାବନ୍ଦ ଘୋଷଣା

ସମ୍ବଲପୁର/ଧନକଉଡ଼ା : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନଜାରି ରହିବ। ୨୦୦୭ ମସିହାରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ସମ୍ବଲପୁରରେ ବେଞ୍ଚ ହେଲେ ଆପତ୍ତି କରାଯିବ ନାହିଁ । ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ରଣନୀତି ନେଇ କଟାପାଲି ସ୍ଥିତ ଏକ ହୋଟେଲରେ ସୋମବାର ଅନୁଷ୍ଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ସିଏସି ଆବାହକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ନେଇ ରଣନୀତି ପ୍ରସ୍ତୁତ ହୋଇଛି।

ସିଏସି ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୫ ତାରିଖରୁ ବିଚାରବିଭାଗୀୟ ଅଦାଲତ ସମେତ ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ, ଟ୍ରେଜେରି ଭଳି ଗୁରୁତ୍ବପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ କରାଯାଇଛି। ହାଇକୋର୍ଟ ବେଞ୍ଚ ନେଇ ପଦକ୍ଷେପ ଗ୍ରହଣ ନହେବା ପର୍ଯ୍ୟନ୍ତ ଏହା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ। ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ୧୯ ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ କରାଯିବ। ଏହାଛଡ଼ା ୨୯ ଏବଂ ୩୦ ତାରିଖ ଲଗାତାର ଦୁଇ ଦିନ ପଶ୍ଚିମ ଓଡ଼ିଶା ମହାବନ୍ଦ ହେବ। ଇତି ମଧ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲେ ଆନ୍ଦୋଳନ କୋହଳ କରାଯିବ ବୋଲି ସିଏସି କହିଛି। ସିଏସିର ପ୍ରତିନିଧି ଦଳ ଭୁବନେଶ୍ବର ଏବଂ ଦିଲ୍ଲୀ ଯାତ୍ରା କରିବେ। ଏ ନେଇ ଡିସେମ୍ବର ୧୬ ତାରିଖରେ ରାଜଗାଙ୍ଗପୁରରେ ସିଏସିର ବୈଠକ ହୋଇ ଆନ୍ଦୋଳନର ସମୀକ୍ଷା ହେବା ସହିତ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ ହେବ।

ସମ୍ବନ୍ଧିତ ଖବର