ବରଗଡ଼: ଜନ୍ମମାଟି ବରପାଲିରେ କ୍ରମଶଃ ସ୍ବଭାବ କବି ଗଂଗାଧର ମେହେରଙ୍କ ସ୍ମୃତି ଚିହ୍ନ ଗୋଟିକ ପରେ ଗୋଟିଏ ଲିଭି ଚାଲିଛି। କବିଙ୍କ ସମାଧି ପୀଠ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ଥିଲା। ବହୁ ଦାବି ଏବଂ ବାଦବିବାଦ ପରେ ଏହାର ବିକାଶ କାମ ଚାଲିଛି। ଏବେ ଗଂଗାଧର ସ୍ମୃତି ଭବନକୁ ଭାଂଗି ଏହାର ପରିସରରେ ବେଆଇନ୍ ଏବଂ ମନମୁଖୀ ନିର୍ମାଣ କାମ ଚାଲିଥିବା ଅଭିଯୋଗରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ମୃତି ଭବନକୁ ଭାଂଗିବା ସହ ଏହାର ସମ୍ମୁଖ ରାସ୍ତାକଡ଼ରେ ଷ୍ଟଲ୍ ନିର୍ମାଣ କରିବା ଆଉ ଏକ ବେଦନାଦାୟକ କାର୍ଯ୍ୟକଳାପ ବୋଲି ଚର୍ଚ୍ଚା ହେଉଛି। ଏହି ସ୍ମୃତି ଭବନ ଏକ ସମୃଦ୍ଧ ଇତିହାସର ମୁକସାକ୍ଷୀ ଥିଲା। ବରପାଲିରେ ସଭାସମିତି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୌଣସି ଉତ୍କୃଷ୍ଟ ସ୍ଥାନ ନ ଥିଲା।
ନିକୁଞ୍ଜ ବିହାରୀ ସିଂହ, ଗଣନାଥ ଗଡ଼ତିଆ, ଭବାନୀ ଶଙ୍କର ପଧାନ, ଭାଗିରଥି ପୂଜାରୀ ଓ ତାଙ୍କ ସମଧର୍ମାମାନେ ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଏକ ଟାଉନ୍ ହଲ୍ ନିର୍ମାଣ ଯୋଜନା କରିଥିଲେ। ତତ୍କାଳୀନ ଏସ୍ଡିଓ ବିକେ ମହାନ୍ତିଙ୍କ ମାଧ୍ୟମରେ ସମ୍ବଲପୁର ଆର୍ଡିସି ନୀଳମଣି ସେନାପତିଙ୍କୁ ଦେଖା କଲେ। ତତ୍କାଳୀନ ଆର୍ଡିସି ଶ୍ରୀ ସେନାପତି ଅଞ୍ଚଳର ଆବଶ୍ୟକତାକୁ ଦେଖି ସ୍ମୃତି ଭବନ ନିର୍ମାଣ ପାଇଁ ୬୪ ଡିସିମିଲ୍ ଜାଗା ଓ ୫ ହଜାର ଟଙ୍କା ମଂଜୁର କରିଥିଲେ। ପଞ୍ଚାୟତ ଅନୁଦାନ ଓ ଲୋକଙ୍କ ଠାରୁ ପାଣ୍ଠି ସଂଗ୍ରହ ସହ ସ୍ମୃତି ଭବନ ନିର୍ମାଣ ପାଇଁ ବାଟ ଫିଟିଥିଲା। ୧୯୫୪ ମସିହାରେ ନିର୍ମାଣ ପାଇଁ ଶୁଭ ଦିଆଗଲା ଓ ୧୯୫୫ ମସିହାରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ରାଧାନାଥ ରଥ ଏହାକୁ ଉଦ୍ଘାଟନ କରିଥିଲେ। ଏହାପରେ ଏହି ସ୍ମୃତିଭବନରେ ସୁରୁଖୁରୁରେ ସଭାସମିତି ଆେୟାଜନ ହୋଇ ଚାଲିଥିଲା।
/sambad/media/post_attachments/wp-content/uploads/2023/04/18-20.jpg)
କିନ୍ତୁ ଗତବର୍ଷ ୨ଶହ ଆସନ ବିଶିଷ୍ଟ ଏକ ଅଡିଟୋରିୟମ୍ ନିର୍ମାଣ ଆଳରେ ସ୍ମୃତି ଭବନକୁ ସଂପୂର୍ଣ୍ଣ ଭାଂଗି ଦିଆଯାଇଛି। ଏପରିକି ସ୍ମୃତିଭବନ ପରିସରରେ ଅବୈଧ ଦୋକାନ ଘର ତିଆରି ଚାଲିଥିବା ବୁଦ୍ଧିଜୀବୀମାନେ ଖୋଲା ଅଭିଯୋଗ କରିଛନ୍ତି। ସ୍ମୃତିଭବନ ପରିସରକୁ ଚିହ୍ନଟ କରି 'ଗଙ୍ଗାଧର ସ୍ମୃତି ଭବନ' ନାମରେ ରେକର୍ଡଭୁକ୍ତ କରିବା ସହ ପୁନଃ ସ୍ମୃତିଭବନ ନିର୍ମାଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଏପରିକି ସ୍ମୃତି ଭବନ ପରିସରରେ କୌଣସି କ୍ଳବ୍ କିମ୍ବା ଦୋକାନ ଘର ନିର୍ମାଣ ବନ୍ଦ କରିବାକୁ ଗଂଗାଧର ସ୍ମୃତି କମିଟିର ହରିଚରଣ ଖଟୁଆ, ବରିଷ୍ଠ କଳାକାର ବୀରେନ୍ଦ୍ର ନାଥ ନାଗ, ବରିଷ୍ଠ ବାନ୍ଧଶିଳ୍ପୀ ଡ. ସୁରେନ୍ଦ୍ର ମେହେର, ବରିଷ୍ଠ କଳାକାର ନିରଂଜନ ମେହେର ପ୍ରମୁଖ ଦୃଢ଼ ଦାବି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/17-20.jpg)