ପୁରୀ : ଓଡ଼ିଶା ସ୍କୁଲ କଲେଜ୍‌ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଅଭିନବ ଆନ୍ଦୋଳନ ଆରମ୍ଭ କରିଛି। ହଜାର ହଜାର ଶିକ୍ଷକ କର୍ମଚାରୀ ଆଜି ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି। ଚାଲି ଚାଲି ସେମାନେ ଭୁବନେଶ୍ୱରରେ ପହଞ୍ଚିବେ। ଅପରାହ୍ନ ୨ଟା ୩୦ ମିନିଟରେ ପୁରୀରୁ ବାହାରି ଚନ୍ଦନପୁର ରାସ୍ତା କଡ଼ରେ ରାତ୍ରିଯାପନ କରିଛନ୍ତି। ଆସନ୍ତାକାଲି ସକାଳୁ ସେମାନେ ପୁଣି ଚାଲିବେ। ଦେଶର ଭବିଷ୍ୟତ ଗଢ଼ୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଦାବି ହାସଲ ପାଇଁ ଏଭଳି ସଂଗ୍ରାମ କରିବା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।

Advertisment

ସମଗ୍ର ରାଜ୍ୟରୁ ୬୦ ହଜାରରୁ ଊଦ୍ଧ୍ଵର୍ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ୱରରେ ଏକାଠି ହେବାକୁ ଯାଉଛନ୍ତି। ଆନ୍ଦୋଳନକାରୀମାନେ ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ଯାଇ ସେଠାରେ ରାସ୍ତା ଅବରୋଧ କରି ଅହୋରାତ୍ର ଧାରଣା ଦେବେ। ଅନୁଦାନ ନିଅ, ସତ୍ୟପାଠ ଦିଅ ଏଭଳି ଡାକରା ଦେଇ ସରକାର ଶିକ୍ଷକମାନଙ୍କୁ ନ୍ୟାୟ ପାଇଁ କୋର୍ଟକୁ ଯିବା ବାଟ ବନ୍ଦ କରିଛନ୍ତି। ଏଣୁ ସରକାରଙ୍କ ଏହି ମେରିରାୟ ଶାସନ ପ୍ରତିବାଦରେ ଏଭଳି ଆନ୍ଦୋଳନ ଡାକରା ଦିଆଯାଇଛି ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ତଥା ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ବାଛବିଚାର ନ କରି ସମସ୍ତ ସ୍କୁଲ କଲେଜରେ ବ୍ଲକଗ୍ରାଣ୍ଟ ଭଳି କୁତ୍ସିତ ପ୍ରଥାକୁ ଉଚ୍ଛେଦ କରିବା ସହ ଚାକିରି ସର୍ତ୍ତାବଳୀ ଲାଗୁ କରିବା, ସତ୍ୟପାଠ ପ୍ରସଙ୍ଗକୁ ହଟାଇବା, ଅନୁଦାନ ପ୍ରତ୍ୟାଶୀ ସମସ୍ତ ସ୍କୁଲ କଲେଜ୍‌କୁ ଅନୁଦାନ ଦେବା, ସପ୍ତମ ବେତନ କମିସନ ଲାଗୁ କରିବା ଦାବିରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ସେ କହିଛନ୍ତି।

୪୪୮ ବର୍ଗ କଲେଜ୍‌ ଅଧ୍ୟାପକ ସଂଘର ସଭାପତି ତଥା ମିଳିତ ମଞ୍ଚର ଆବାହକ ପବିତ୍ର ମହାଲା କହିଛନ୍ତି ଯେ ସରକାର ବାରମ୍ବାର ଅଧ୍ୟାପକମାନଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଛନ୍ତି। ସେହିଭଳି ୬୬୨ ବର୍ଗ କଲେଜ୍‌ ଶିକ୍ଷକ ସଂଘର ସଭାପତି ତଥା ମିଳିତମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ଗୋଲକ ନାୟକ କହିଛନ୍ତି, ପ୍ରଶାସନିକ ଅଧିକାରୀଙ୍କ କାନକୁହା କଥାରେ ସରକାର ଚାଲିଛନ୍ତି। ବାସ୍ତବତାକୁ ଉପଲବ୍ଧି କରୁନାହାନ୍ତି। ଏହି ଆନ୍ଦୋଳନ ଫଳରେ ରାଜ୍ୟର ୬୦ ଭାଗ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ହୋଇଛି। ତେବେ ଏହି ବ୍ୟାଘାତ ପାଇଁ ସରକାର ହିଁ ଦାୟୀ ବୋଲି ସେ କହିଛନ୍ତି। ଚନ୍ଦନପୁରରେ ପଦଯାତ୍ରା ପହଞ୍ଚିବା ପରେ ସେଠାରେ ଏହି ନେତୃମଣ୍ଡଳୀଙ୍କ ସହ ଶଙ୍କର କୁମାର ସୁବୁଦ୍ଧି, ସୁକାନ୍ତ କୁମାର ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ରୂପ ନେବ। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶ୍ରମିକ, କୃଷକ ସଂଗଠନ ଏଥିରେ ସାମିଲ ହେବେ। ବୁଦ୍ଧିଜୀବୀମାନଙ୍କର ସାହାଯ୍ୟ ନିଆଯିବ। ଆବଶ୍ୟକ ପଡ଼ିଲେ ରାଜନୈତିକ ଅସ୍ତ୍ର ଭାବେ ଆମେ ସରକାରଙ୍କୁ ସାମ୍ନା କରିବୁ ବୋଲି ନେତାମାନେ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ରକ୍ଷା କରନ୍ତୁ ବୋଲି ମଞ୍ଚ ପକ୍ଷରୁ ଆହ୍ଵାନ ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ମିଳିତ ମଞ୍ଚ ସଭାପତି ପ୍ରକାଶ ଜେନା, ଗଗନ ବେଉରା, ବିନୋଦ ପାଣିଗ୍ରାହୀ, ଡ. ଅଟଳ, ବିହାରୀ ବଳ, ସତ୍ୟନାରାୟଣ ତ୍ରିପାଠୀ, ପ୍ରେମାନନ୍ଦ ଜେନା, ଶତାବୁଦ୍ଦିନ ଅହମ୍ମଦ, ପ୍ରିୟରଞ୍ଜନ ରଥ, ଆଦିତ୍ୟ ପ୍ରସାଦ ରଥ, ଯାଜ୍ଞସେନୀ ରାୟ, ମାଣିକେଶ୍ୱର ସ୍ୱାଇଁ, ଏମ୍‌ଏ କାସିମ୍‌ ବେଗ୍‌, ଧନେଶ୍ୱର ପାତ୍ର, ରଞ୍ଜନ ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ବସ୍ତିଆ, ଅମୀୟବାଳା ପରିଡ଼ା, ସୁରଜିତା ନାୟକ, ରଞ୍ଜନ ଦାଶ, ଅକ୍ଷୟ ହୋତା, ଅଜୟ ଆଚାର୍ଯ୍ୟ, ସୁକାନ୍ତ ଦାସ, ପ୍ରଶାନ୍ତ ପାତ୍ର, ସୁଶାନ୍ତ ପ୍ରଧାନ, ରମାକାନ୍ତ ମହାପାତ୍ର, ବିରଞ୍ଚି ନାରାୟଣ ଦାସ, ମଧୁସୂଦନ ଦେ ପ୍ରମୁଖଙ୍କ ସମେତ ୨ ହଜାରରୁ ଊଦ୍ଧ୍ଵର୍ ଶିକ୍ଷକ, କର୍ମଚାରୀ ଅଧ୍ୟାପକ ପଦଯାତ୍ରାରେ ସାମିଲ ହୋଇଛନ୍ତି।