ରାଫେଲ୍‌ ଡିଲ୍‌ରେ ଓଡ଼ିଶା ସର୍ବାଧିକ ପ୍ରଭାବିତ: ୧.୭୦ ଲକ୍ଷ କୋଟିର ମହାଦୁର୍ନୀତି

ଭୁବନେଶ୍ୱରରୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ବିବାଦୀୟ ରାଫେଲ୍‌ କାରବାର ଘଟଣାରେ ଆଜି କଂଗ୍ରେସ ସାଂଘାତିକ ଅଭିଯୋଗ ଆଣିଛି। ରାଫେଲ୍‌ ଡିଲ୍‌ରେ ଓଡ଼ିଶା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ଦର୍ଶାଇ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଗଣମାଧ୍ୟମ ସାମ୍ନାରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ଏହି କାରବାର ପଛରେ ଶହେ କି ହଜାରେ ନୁହେଁ, ପ୍ରାୟ ୧.୭୦ ଲକ୍ଷ କୋଟି ଟଙ୍କାର ମହାଦୁର୍ନୀତିର ପେଡି ଖୋଲିଛନ୍ତି ଶ୍ରୀ ସିଂହ। କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଏହି ମହାଦୁର୍ନୀତି ଯୋଗୁଁ ଓଡ଼ିଶା ପ୍ରତ୍ୟକ୍ଷ ଓ ପରୋକ୍ଷରେ ଗୁରୁତର ଭାବେ ପ୍ରଭାବିତ ହେଉଛି। ରାଫେଲ୍‌ ଡିଲ୍‌ ଯୋଗୁଁ କୋରାପୁଟ ଜିଲ୍ଲା ସୁନାବେଡ଼ାରେ ସ୍ଥାପିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌(ହାଲ୍‌) ହାତରୁ ସିଧାସଳଖ ୩୦ ହଜାର କୋଟିର ପ୍ରତିରକ୍ଷା ଅଫ୍‌ସେଟ୍‌ ପ୍ରକଳ୍ପ ଖସିଯାଉଛି। ସେହିପରି ପ୍ରାୟ ୧ ଲକ୍ଷ କୋଟିର ଚୁକ୍ତିନାମା ରିଲାଏନ୍ସ ଡିଫେନ୍ସ ସହିତ କରାଯିବା ଫଳରେ ମରାମତି, ରକ୍ଷଣାବେକ୍ଷଣ ଭଳି ଲାଇଫ୍‌ ସାଇକେଲ କାର୍ଯ୍ୟରୁ ହାଲ୍‌ ବଞ୍ଚିତ ହେବ। ଏହାଦ୍ୱାରା ରାଜ୍ୟର ପ୍ରାୟ ୫୦ ହଜାର ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ହରାଇବା ଆଶଙ୍କାକୁ ଏ଼ଡାଇ ହେବ ନାହିଁ। ଦଳ ଆଜି ଘୋଷଣା କରିଛି, ଭୁବନେଶ୍ୱରରୁ କଂଗ୍ରେସ ମୋଦୀ ବିରୋଧୀ ଅଭିଯାନ ଆରମ୍ଭ କରିଛି। ଏହି ତଥ୍ୟ ସହିତ ରାଫେଲ୍‌ ମହାଦୁର୍ନୀତି ପ୍ରସଙ୍ଗକୁ ଦଳ ସବୁ ରାଜ୍ୟର ସବୁ ଘରେ ପହଞ୍ଚାଇବ। ମୋଦୀ ସରକାରରେ କେଳେଙ୍କାରୀ କିଭଳି ଶୀର୍ଷ ଛୁଇଁଲାଣି, ତାହାର ଭଣ୍ଡାଫୋଡ କରିବ କଂଗ୍ରେସ। ଆଜି ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ ରାଫେଲ୍‌ ଡିଲ୍‌ ନେଇ ମାଳ ମାଳ ତଥ୍ୟ ପ୍ରମାଣର ଦସ୍ତାବିଜ୍‌ ଉପସ୍ଥାପନ କରିଥିଲେ।

ପ୍ରଭାରୀ ଜିତେନ୍ଦ୍ର ସିଂହ ଥୋଇଲେ ମାଳ ମାଳ ଦସ୍ତାବିଜ୍‌
ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ରାଫେଲ୍‌ ପ୍ରସଙ୍ଗର ପୃଷ୍ଠଭୂମି ସଂପର୍କରେ ସୂଚନା ଦେଇ ପୂର୍ବତନ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସିଂହ କହିଲେ ଯେ ୨୦୧୨ ଡିସେମ୍ବର ୧୨ ତାରିଖରେ ଟେଣ୍ଡର ମାଧ୍ୟମରେ ଫ୍ରାନ୍ସର ରାଫେଲ୍‌ କମ୍ପାନି ସର୍ବନିମ୍ନ ମୂଲ୍ୟ ଦେଇଥିବାରୁ ୧୨୬ଟି ଯୁଦ୍ଧ ବିମାନ କିଣିବାକୁ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସ୍ଥିର କରିଥିଲେ। ଏଥିମଧ୍ୟରୁ ୧୮ଟି ଉଡ଼ନ୍ତା ସ୍ଥିତିରେ ଏବଂ ଅବଶିଷ୍ଟ ୧୧୮ଟି ବିମାନର ଯନ୍ତ୍ରାଂଶ ହାଲ୍‌ରେ ଯୋଡ଼ାଯାଇ ନିର୍ମାଣ କରାଯାଇଥାନ୍ତା। ଏ ନେଇ ସଂପୃକ୍ତ କମ୍ପାନି ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବାର ସର୍ତ ଥିଲା। ଏହି ଟେଣ୍ଡର ଅନୁଯାୟୀ ପ୍ରତି ବିମାନ ଖର୍ଚ ୫୨୬.୧୦ କୋଟି ଚୂଡ଼ାନ୍ତ ହୋଇଥିଲା। ଶ୍ରୀ ସିଂହ କହିଥିଲେ, ୨୦୧୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଅନୀଲ୍‌ ଅମ୍ବାନୀ ଫ୍ରାନ୍ସ ଗସ୍ତରେ ଯାଇ ହଠାତ୍‌ ୩୬ଟି ରାଫେଲ୍‌ ବିମାନ କିଣିବାକୁ ଚୂଡ଼ାନ୍ତ କରିଥିଲେ। ପ୍ରତି ବିମାନ ବାବଦରେ ୧୬୭୦.୭୦ କୋଟି ଧାର୍ଯ୍ୟ କରାଗଲା। ଏଥିରୁ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ସର୍ତ ବାଦ୍‌ ପଡିଥିଲା। ଏହା ଦ୍ୱାରା ଲୋକଙ୍କର ରାଜସ୍ୱ ଅର୍ଥରୁ ୪୧ହଜାର ୨୦୫ କୋଟି ଅଧିକ ମୋଦୀ ବରବାଦ କରିଦେଲେ। ବିମାନର ବୈଷୟିକ ଜ୍ଞାନକୌଶଳ କାହିଁକି ହାଲ୍‌କୁ ହସ୍ତାନ୍ତର କରାଗଲା ନାହିଁ? ବୋଲି ପ୍ରଶ୍ନ ଉଠାଇ ଶ୍ରୀ ସିଂହ କହିଥିଲେ, ଏ ସଂପର୍କରେ ସଂସଦରେ ଉଭୟ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଚାରାଯାଇଥିଲା। ଉଭୟ ଦେଶ ମଧ୍ୟରେ ହୋଇଥିବା ରାଜିନାମା ଓ ସୁରକ୍ଷା ଦୃଷ୍ଟିକୋଣରୁ ବିମାନ ମୂଲ୍ୟ ସାର୍ବଜନୀନ କରିହେବ ନାହିଁ ବୋଲି ଉଭୟେ କହିଥିଲେ। ଅସଲ କଥା ହେଉଛି ବିମାନରେ କେତେସଂଖ୍ୟକ ଓ କି କି ଯୁଦ୍ଧାସ୍ତ୍ର ଖଞ୍ଜାଯିବ ସେ ନେଇ ନିର୍ଦିଷ୍ଟ ବୈଷୟିକ ତଥ୍ୟ ପ୍ରଦାନ ଉପରେ କଟକଣା ରହିଛି। ମୂଲ୍ୟ ଉପରେ ନୁହେଁ। ସେହିପରି ଆବଶ୍ୟକତା ତୁଳନାରେ ବିମାନ ସଂଖ୍ୟା କାହିଁକି ହ୍ରାସ କରାଗଲା? ଡିଫେନ୍ସ ଆକ୍ୱିଜିସନ୍‌ କାଉନ୍‌ସିଲ୍‌ ଏବଂ ସୁରକ୍ଷା ସଂପର୍କିତ କ୍ୟାବିନେଟ୍‌ କମିଟିକୁ ଅବଜ୍ଞା କରି ମୋଦୀ ବିମାନ କିଣା ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସରକାର ଅସତ୍ୟ ଜାଲରେ ଫସିଯାଇଛନ୍ତିି।

ଶ୍ରୀ ସିଂହ କହିଥିଲେ, ରାଫେଲ୍‌ ବିମାନ ନିର୍ମାଣକାରୀ ଫ୍ରାନ୍ସର ଦାସ୍‌ଲଟ୍‌ ଆଭିଏସନ୍‌ କମ୍ପାନି ଓ ରିଲାଏନ୍ସ ଡିଫେନ୍ସ କମ୍ପାନି ରାଫେଲ୍‌ ବିମାନ ସଂପର୍କିତ ତଥ୍ୟ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଲୁଚାଉଥିବାରୁ ତାହା ମହାଦୁର୍ନୀତି ଅଭିଯୋଗକୁ ଆହୁରି ସୁଦୃଢ଼ କରୁଛି। ସେହିପରି ଡିପିପି ନିୟମ ଅନୁଯାୟୀ ବିଦେଶରୁ କୌଣସି ଅସ୍ତ୍ରଶସ୍ତ୍ର, ଯନ୍ତ୍ର, ବିମାନ ଆମଦାନି କଲେ ସେଗୁଡ଼ିକର ବୈଷୟିକ ଜ୍ଞାନକୌଶଳ ଆମ ଦେଶକୁ ଯୋଗାଇଦେବା କଥା। ବିଶେଷ କରି ଦେଶର ଯେଉଁ କମ୍ପାନିଙ୍କର ସାମର୍ଥ୍ୟ ରହିଛି ସେହି କମ୍ପାନି ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଫାଇଦା ଉଠାଇପାରିବ। ଦେଶରେ ହାଲ୍‌ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା ଏକମାତ୍ର ରାଷ୍ଟ୍ରାୟତ୍ତ କମ୍ପାନି ହୋଇଥିବାରୁ ଏହାକୁ ସ୍ୱାଭାବିକ ଭାବେ ଫାଇଦା ମିଳିବା କଥା। କିନ୍ତୁ ଏହି ନିୟମକୁ ବି ଉଲ୍ଲଂଘନ କରିଛନ୍ତି ମୋଦୀ ସରକାର।

ରାଫେଲ୍‌ ଡିଲ୍‌ ହେବାର ମାତ୍ର ୧୨ ଦିନ ପୂର୍ବରୁ ରିଲାଏନ୍ସ ଡିଫେନ୍ସ କମ୍ପାନି ସ୍ଥାପିତ ହୋଇଛି। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରୀଙ୍କ ସହିତ ମହାରାଷ୍ଟ୍ରରେ ହୋଇଥିବା ରିଲାଏନ୍ସ କମ୍ପାନିର ଭୂମିପୂଜା ଉତ୍ସବରେ ଯୋଗ ଦେଇଥିଲେ। ରିଲାଏନ୍ସ କମ୍ପାନି ମୁଖ୍ୟ ଅନୀଲ ଅମ୍ବାନି ପ୍ରଧାନମନ୍ତ୍ରୀଙ୍କ ମିତ୍ର। ତାଙ୍କ କମ୍ପାନିକୁ ୩୦ ହଜାର କୋଟିର ପ୍ରତିରକ୍ଷା ଅଫ୍‌ସେଟ୍‌ ପ୍ରକଳ୍ପ ସହିତ ପ୍ରାୟ ୧ ଲକ୍ଷ କୋଟିର ଲାଇଫ ସାଇକେଲ୍‌ କାର୍ଯ୍ୟ ଟେକି ଦିଆଯାଇଛି। କିନ୍ତୁ କମ୍ପାନିର ସାଇକେଲ୍‌ ନିର୍ମାଣ କରିବାର ସାମର୍ଥ୍ୟ ବି ନାହିଁ। ଏହି କାରବାରରୁ ମୋଦୀ ‘ଚୌକିଦାର’ରୁ ଭାଗୀଦାରରେ ପରିଣତ ହୋଇଛନ୍ତି ବୋଲି ଶ୍ରୀ ସିଂହ ଅଭିଯୋଗ କରିଥିଲେ।ଏହି ପ୍ରସଙ୍ଗକୁ ସମର୍ଥନ ଜଣାଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସମର୍ଥନ କରିବା ସହିତ ଦେଶର ସବୁଠାରୁ ବଡ଼ ଦୁର୍ନୀତି ବୋଲି ଅଭିହିତ କରିଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସ ଯୁଗ୍ମ ସଂସଦୀୟ କମିଟି(ଜେପିସି) ତଦନ୍ତ ଦାବି କରିଥିଲା। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ, ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର