ଅର୍ଜୁନ ଚାରାରୋପଣକୁ ବିରୋଧ

ପଣ୍ତାପଡ଼ା: ଘଟଗାଁ ବ୍ଲକ୍‌ ପଣ୍ତାପଡା ଟସର ସୋସାଇଟି ପକ୍ଷରୁ ସୁନାଟାଙ୍ଗିରୀଠାରେ ମନରେଗା ଯୋଜନାରେ ଅଶନ ଓ ଅଜୁର୍ନ ଚାରାରୋପଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଟସର ଚାଷୀ ଓ ଗ୍ରାମବାସୀ ଏନେଇ ସରପଞ୍ଚଙ୍କୁ ଜଣାଇବା ପରେ ଦେବେନ୍ଦ୍ରନାଥ ନାଏକ ରେଶମ ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ, ଜିଲ୍ଲା ବନଖଣ୍ତ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଭେଟି ଏ ଦିଗରେ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଟସର ସୋସାଇଟି ପକ୍ଷରୁ ସୁନାଟାଙ୍ଗିରୀ ଗ୍ରାମରେ ଥିବା ଜଙ୍ଗଲ ଜମିରେ ଅଶନ, ଅର୍ଜୁନଗଛ ଲଗାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଗ୍ରାମସଭା କିମ୍ବା ପଲ୍ଲୀସଭା ହୋଇନାହିଁ। ସରପଞ୍ଚଙ୍କ ଅଜାଣତରେ‌ ସୁନାଟାଙ୍ଗିରୀ ମୌଜାର ଜଙ୍ଗଲ ଜମି ଖାତା ସଂଖ୍ୟା ୬୩ ଓ ୧୭୬ର ପ୍ଲଟ୍ ନମ୍ବର ୪୮୦, ୬୧୦, ୬୧୧, ୬୧୨ ଓ ୬୧୩ରେ ଅଜୁର୍ନ ଓ ଅଶନଗଛ ଲଗାଇ ପାଇଁ ଉଦ୍ୟମ କରାଯାଉଛି।

ପୂର୍ବରୁ ସେହି ଜମିରେ ବନ ବିଭାଗ ପକ୍ଷରୁ ଶାଳ, ଜାମୁ, ଆକାଶିଆ ଗଛ ଲଗାଯାଇଥିଲା। ଏବେ ସେଠାରୁ ଛୋଟଛୋଟ ଗଛ ଗୁଡ଼ିକୁ କଟାଯାଇ ଟସର ସମବାୟ ସମିତିଦ୍ବାରା ଅଜୁର୍ନ ଓ ଅଶନଗଛ ଲଗାଇବା ପାଇଁ ଗାତ ଖୋଳାଯାଇଛି। ଏଥିପାଇଁ ସୂଚନା ଫଳକ ତିଆରି ହୋଇନାହିଁ। ଉକ୍ତ ଜମିରେ ଅଶନ, ଅର୍ଜୁନଗଛ ନ ଲଗାଇବା ପାଇଁ ନାଏବ ସରପଞ୍ଚ ସୁନନ୍ଦା ପଧୁରିଆ, ୱାର୍ଡସଭ୍ୟା ଯମୁନା ମହାନ୍ତ, ହୀରାଲାଲ ନାଏକ, ବବିତା ଖଣ୍ଡେଇ, ମଧୁସୂଦନ ନାଏକ, ପୂର୍ବତନ ସରପଞ୍ଚ ମାଣିକରାଜ ସିଂ ମୁଣ୍ଡା, ଦୋଳଗୋବିନ୍ଦ ପଧୁରିଆ, ସୁଶାନ୍ତ ନାଏକ, ମଙ୍ଗୁଳୁ ନାଏକ, ଦୟାନିଧି ମହାନ୍ତ, ବାଇଧର ନାଏକ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର