ଜବରଦଖଲ ଉଚ୍ଛେଦକୁ ବିରୋଧ, ଫେରିଲା ପ୍ରଶାସନ

ଦଶରଥପୁର: ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଦରଭା ଗାଁରେ ଗୋଚର ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ଯାଇଥିବା ତହସିଲ ପ୍ରଶାସନ ଗ୍ରାମବାସୀଙ୍କ ଦୃଢ଼ ବିରୋଧର ସାମ୍‌ନା କରିନପାରି ଫେରିଯାଇଛି। ଦରଭା ଗ୍ରାମର ଖାତା ନଂ. ୬୪୬ରେ ଥିବା ୮ଟି ପ୍ଲଟ ମଧ୍ୟରୁ ୪ଟି ପ୍ଲଟର ୪ ଏକରରୁ ଅଧିକ ଗୋଚର ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ବର୍ଷ ହେବ ଜବର ଦଖଲରେ ରଖିଛନ୍ତି। ବ୍ୟବସାୟ ପ୍ରତିଷ୍ଠାନ କରିବା ସହ ବିଭିନ୍ନ ସମୟରେ ବେଆଇନ ଭାବେ ସେଠାରୁ ମାଟି ଉତ୍ତୋଳନ କରି ବିକ୍ରି କରୁଛନ୍ତି।

ଗ୍ରାମାବାସୀଙ୍କ ଅଭିଯୋଗକୁ ବିଚାରକରି ଉଚ୍ଚନ୍ୟାୟାଳୟ ଗତ ବର୍ଷ ନଭେମ୍ବର ଓ ଗତ ଏପ୍ରିଲ ମାସରେ ଦଶରଥପୁର ତହସିଲ କର୍ତ୍ତୃପକ୍ଷଙ୍କୁ ଉକ୍ତ ଜମିରୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ପଦକ୍ଷେପ ନନେବାରୁ ଦରଭା ଗ୍ରାମବାସୀ ଗତ ୨୬ ତାରିଖ ଦିନ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକ ୬ ତାରିଖ ସୁଦ୍ଧା ଉଚ୍ଚ ନ୍ୟାୟାଳୟର ଆଦେଶକୁ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଶନିବାର ସକାଳୁ ଖାନନଗର ରାଜସ୍ୱ ନିରୀକ୍ଷକ ଦରଭା ଗ୍ରାମରେ ପହଞ୍ଚି ଜବରଦଖଲ ଜାଗା ବୁଲି ଦେଖିଥିଲେ। ପରେ ଦଶରଥପୁର ତହସିଲଦାରଙ୍କ ନିର୍ଦେଶକ୍ରମେ ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକ ତହସିଲ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିବା ପରେ ପହଞ୍ଚିଥିଲେ। ତେବେ ବହୁ ସଂଖ୍ୟାରେ ମହିଳା ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଜବରଦଖଲ ଉଚ୍ଛେଦକୁ ବିରୋଧ କରିଥିଲେ। ‌ଶେଷରେ ପ୍ରଶାସନ ଫେରିଯାଇଥିଲା।

ସମ୍ବନ୍ଧିତ ଖବର