ବିଶ୍ବର ସୁଉଚ୍ଚ ରଥ ସଂପର୍କରେ ପ୍ରତିକୂଳ ମନ୍ତବ୍ୟର ପ୍ରତିବାଦ

କେନ୍ଦୁଝର :  କେନ୍ଦୁଝରର ନନ୍ଦିଘୋଷ ରଥ ସଂପର୍କରେ କେତେକ କିଛି ନଜାଣି ମନ୍ତବ୍ୟ ଦେବା ହାସ୍ୟସ୍ପଦ।  ଏହାକୁ କେନ୍ଦୁଝର ଜିଲ୍ଲାବାସୀ ଘୋର ବିରୋଧ କରିଛନ୍ତି । ଶ୍ରୀ ବଳଦେବଜିଉ ବା କେନ୍ଦୁଝର ରଥ ସଂପର୍କରେ ଅଯୁକ୍ତିକର  ମନ୍ତବ୍ୟକୁ କେବେହେଲେ ଜିଲ୍ଲାବାସୀ ସହ୍ୟ କରିବେ ନାହିଁ ବୋଲି ଆଜି କେନ୍ଦୁଝର ବଡଦାଣ୍ଡରେ ଅନୁଷ୍ଠିତ ସ୍ବାଭିମାନ ସମାବେଶରେ ମତ ପ୍ରକାଶ ପାଇଛି।

ବିଶ୍ୱର ସର୍ବବୃହତ୍ ଏକକ ରଥର ମାନ୍ୟତା ପାଇଥିବା କେନ୍ଦୁଝର ନନ୍ଦିଘୋଷ ରଥ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ପ୍ରକାଶ ପାଇଥିବାରୁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ବିରୋଧ କରି ଆଜି ସଂଧ୍ୟାରେ ଶ୍ରୀ ବଳଦେବଜିଉ ମନ୍ଦିର ସମ୍ମୁଖରେ ଭକ୍ତି-ସ୍ୱାଭିମାନ ସମାବେଶ  ଅନୁଷ୍ଠିତ ହୋଇଥିଲା। କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜିଉଙ୍କ ନନ୍ଦିଘୋଷ ରଥ ଗତ ୪୦୦ବର୍ଷ ହେବ। ଏହି ଏକକ ସୁବିଶାଳ ରଥ ସମ୍ପର୍କରେ କିଛି ବ୍ୟକ୍ତବିଶେଷ ମାନହାନିସୂଚକ ମନ୍ତବ୍ୟ ଦେବାକୁ ନେଇ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଇତିହାସ ସମ୍ପର୍କରେ ନ ଜାଣି ଏପରି ଭ୍ରମାତ୍ମକ ଉକ୍ତି ପ୍ରକାଶ କରିବା ଉଚିତ ନୁହେଁ। ବରଂ ଏହା ଏକ ଧାର୍ମିକ ଭାବନା ପ୍ରତି କୁଠାରଘାତ ଓ ଅପମାନ ବୋଲି ସମାବେଶରେ ମତପୋଷଣ ହୋଇଛି। ଚଳିତ ବର୍ଷ କେନ୍ଦୁଝରର ରଥକୁ ୭୨ଫୁଟ ଉଚ୍ଚତା କରାଯାଇଛି ବୋଲି କିଛି ବ୍ୟକ୍ତିବିଶେଷ ପ୍ରକାଶ କରିଛନ୍ତି। ପୁରୀର କିଛି ଦଇତାପତି ଏହି କେନ୍ଦୁଝର ରଥ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ଶ୍ରୀ ବଳଦେବଜିଉ ମନ୍ଦିରର ବଡପଣ୍ଡା ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ରାଜପୁରୋହିତ ପ୍ରସନ୍ନ କୁମାର ନନ୍ଦ, ବ୍ରହ୍ମା ଗଙ୍ଗାଧର ମିଶ୍ର, ପୂଜକ ଓ ସେବାୟତମାନେ ଉପସ୍ଥିତ ଥିଲେ। ଏତିରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସେବାୟତ, ବରିଷ୍ଠ ନାଗରିକ, ନିର୍ବାଚିତ ଜନ ପ୍ରତିନିଧି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି, ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିନିଧି, ବ୍ରାହ୍ମଣ ସମାଜ, ଭୂୟାଁ ସାଂସ୍କୃତିକ ସମାଜ, ଗୋଁଡ ସାଂସ୍କୃତିକ ସମାଜ, ଜିଲ୍ଲା ଯାଦବ ସମାଜ, ମା ତାରିଣୀ ୱାର୍କସ କ୍ଲବ, ରୋଟାରୀ କ୍ଲବ, ଆଦିତ୍ୟ ବାହିନୀ ସମେତ କେନ୍ଦୁଝର ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନ ସମେତ ଜନସାଧାରଣ ଯୋଗ ଦେଇ କେନ୍ଦୁଝର ରଥ ପ୍ରତି ଏପରି ମନ୍ତବ୍ୟ ଶୋଭନୀୟ ନୁହେଁ ବୋଲି ମତ ରଖିଥିଲେ।

କେନ୍ଦୁଝରର ପଂଚବିଂଶତି ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ୧୬୭୩ମସିହାରେ  ଶ୍ରୀ ଶ୍ରୀ ବଳଦେବଜିଉ ମନ୍ଦିର ପ୍ରତିଷ୍ଠା କରିଥିଲେ। ପ୍ରାୟତଃ ସେହିଦିନଠାରୁ କେନ୍ଦୁଝରର ରଥ ୭୨ଫୁଟ ଉଚ୍ଚ ହୋଇ ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଛନ୍ତି । ଶ୍ରୀ ବଳଦେବଜିଉଙ୍କ କାଷ୍ଟ ନିର୍ମିତ ରଥ ସମଗ୍ର ପୃଥିବୀରେ ସର୍ବୋଚ୍ଚ ରଥର ମାନ୍ୟତା ଲାଭ କରିଛି। ଏହା ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି। ଏହା ପୂର୍ବରୁ ଶ୍ରୀ ବଳଦେବଜିଉଙ୍କ ରଥ ନନ୍ଦିଘୋଷ ନେସନାଲ ରେକର୍ଡସ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ଏସିଆ ପାସିଫିକ ଆଇକନ, ଗ୍ଲୋବାଲ ରେକର୍ଡସ, ୱଣ୍ଡର ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇସାରିଛି । ଏହି ରଥର ଉଚ୍ଚତା ୭୨ଫୁଟ ଏବଂ ଗୋଲେଇ ୪୫ଫୁଟ ହୋଇଥିବାବେଳେ ଏଥିରେ ପ୍ରାୟ ୮ଫୁଟ ଉଚ୍ଚର ଷୋହଳଟି ଚକ ଲାଗିଥାଏ।

ସମ୍ବନ୍ଧିତ ଖବର