କଟକ: ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍) ବନ୍ଦ ନିଷ୍ପତ୍ତି ବିରୋଧରେ ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି ଜବାବ ତଲବ କରିଛନ୍ତି। ଆଜି ହାଇକୋର୍ଟ ମାମଲାରେ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ଏପ୍ରିଲ ୧୫କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଗଦାଧର ସାମଲ ଓ ଅନ୍ୟ ଦୁଇ ଜଣଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୬୪, ଜାନୁଆରି ୫ରେ ଟିଟିପିଏସ୍ ଉଦଘାଟିତ ହୋଇଥିଲା। ୧୯୬୮ରେ ଟିଟିପିଏସ୍ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଥିଲା। ଏନଟିପିସିର ଅଂଶ ଥିବା ଟିଟିପିଏସର ଜୀବନ କାଳ ୨୦୨୧, ମାର୍ଚ୍ଚ ୩୧ରେ ପୂରିବାକୁ ଯାଉଥିବା ବେଳେ କିଛି ଦିନ ହେବ ଏଠାରେ ଏକ ପ୍ରକାର କାର୍ଯ୍ୟ ବନ୍ଦ ରହିଛି। ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟୋରି କମିସନ୍ ନିୟମାବଳୀ ଅନୁସାରେ ଟିଟିପିଏସ୍ ଜୀବନକାଳ ମାର୍ଚ୍ଚ ୩୧ରେ ଶେଷ ହେଉଛି। ଦେଶର ଏହି ପୁରାତନ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତିକୁ କିନ୍ତୁ ବିରୋଧ କରାଯାଇଛି। ଟିଟିପିଏସ୍ ବନ୍ଦ ଦ୍ବାରା ଏଠାରେ ଦୀର୍ଘ ବର୍ଷ ହେବ ନିୟୋଜିତ ନିୟମିତ ଶ୍ରମିକଙ୍କ ସହିତ ଠିକା ଶ୍ରମିକମାନେ ସମସ୍ୟାରେ ପଡ଼ିବେ। ଏଥି ସହିତ ରାଜ୍ୟକୁ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ କରୁଥିବା ଟିଟିପିଏସ ଯଦି ବନ୍ଦ ହୁଏ ତେବେ ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଟିଟିପିଏସ ବନ୍ଦ ନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର ସରକାର, ଏନଟିପିସି, ଟିଟିପିଏସ, ରାଜ୍ୟ ସରକାର ଓ ଆରଡିସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପି.ଭି.ବାଳକୃଷ୍ଣ ଓ ଆର.ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି।