ଉପଜିଲ୍ଲାପାଳ ଓ ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ ଘେରିଲେ ଆନ୍ଦୋଳନକାରୀ

ମଦ ଦୋକାନ ଓ ଇଟା କାରଖାନା ଉଚ୍ଛେଦ ଦାବି

ଆନନ୍ଦପୁର : ହାଟଡିହି ବ୍ଳକ ଛେନାପଦି ଛକଠାରେ ଥିବା ବିଦେଶୀ ମଦ ଦୋକାନ ଓ ଫ୍ଲାଏ ଆସ୍‌ ଇଟା କାରଖାନା ଉଚ୍ଛେଦ ପାଇଁ ଦାବି ଜୋର୍‌ ଧରିଛି। ଶତାଧିକ ମହିଳା ଓ ଜନସାଧାରଣ ଆଜି ଆନନ୍ଦପୁର ଉପଜିଲ୍ଲାପାଳ, ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ, ଆନନ୍ଦପୁର ଅବକାରୀ କାର୍ଯ୍ୟାଳୟ ସମେତ ଆନନ୍ଦପୁର ଥାନାକୁ ଘେରାଉ କରିଥିଲେ। ଏ ବାବଦରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦୁଝର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁସାରେ, ହାଟଡିହି ବ୍ଲକର ଛେନାପଦି ଛକ ଏକ ବ୍ୟାବସାୟିକ ପେଣ୍ଠସ୍ଥଳୀ। ଏଠାରେ ମା ତାରିଣୀଙ୍କ ମନ୍ଦିର ରହିଥିବା ବେଳେ ଛକସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ୬ ଶହରୁ ଉର୍ଧ୍ୱ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ମନ୍ଦିର ଓ କଲେଜ ନିକଟରେ ଏକ ବିଦେଶୀ ମଦ ଦୋକାନ ରହିଥିବାରୁ ସଂପୃକ୍ତ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ମଦୁଆଙ୍କ ଆସର ଯୋଗୁ ଏହି ରାସ୍ତାରେ କଲେଜ ଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିବାବେଳେ ସାଧାରଣ ଲୋକମାନେ ମଧ୍ୟ ନିଜକୁ ସୁରକ୍ଷିତ ମଣୁନଥିବା ସ୍ମାରକପତ୍ରରେ ଦର୍ଶାଯାଇଛି। ଏ ନେଇ ବାରମ୍ବାର ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ସେହିପରି ଭଦ୍ରକ-ଆନନ୍ଦପୁର ରାସ୍ତାକଡରେ ରହିଥିବା ଏକ ପାଉଁଶ ଇଟା କାରଖାନା ମଧ୍ୟ ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏଠାରେ ସବୁ ବେଳେ ଧୂଳି ଉଡୁଥିବାରୁ ଲୋକମାନେ ରାସ୍ତାରେ ଯାତାୟାତ କରିବା ବେଳେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ଇଟା କାରଖାନା ନିର୍ମାଣ ଆଳରେ ମୁଖ୍ୟରାସ୍ତାର ଏକ ପୋଲକୁ ବଳପୂର୍ବକ ବନ୍ଦ କରାଯାଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ବିଦେଶୀ ମଦ ଦୋକାନ ଓ ଇଟା କାରଖାନାକୁ ବନ୍ଦ କରିବା ପାଇଁ ଶହ ଶହ ଲୋକ ଆଜି ଆନନ୍ଦପୁରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀମାନେ ହାଟଡିହି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର