ବଲାଙ୍ଗୀର : ପଶ୍ଚିମାଞ୍ଚଳକୁ ଅବହେଳା କରାଯାଉଥିବା ଅଭିଯୋଗ କରି କୋଶଲ ରାଜ୍ୟ ଯୁବ ସମନ୍ୱୟ ସମିତି ତରଫରୁ ଭବାନୀପାଟଣାରୁ ବରଗଡ଼ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ପଦଯାତ୍ରା କରାଯାଉଛି। ପଦଯାତ୍ରା ସମୟରେ ଶନିବାର ସଇନ୍ତଳା ବ୍ଲକ୍‌ ବରଗାଁ ଛକଠାରେ କୋଶଲ ଆନ୍ଦୋଳନକାରୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ। ପଦଯାତ୍ରାରେ ସାମିଲ ଆନ୍ଦୋଳନକାରୀମାନେ ମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ଗାଡ଼ି ଆଗରେ ରହି ଜୟ କୋଶଲ ନାରା ଦେଇଥିଲେ। ରାଜ୍ୟ ସରକାରଙ୍କ ମନ୍ତ୍ରୀ ହୋଇଥିବାରୁ କ୍ରମାଗତ ଅବହେଳାର ଜବାବ ମାଗିଥିଲେ।

Advertisment

ଓଡ଼ିଶାକୁ ୮ଲକ୍ଷ ୧୭ହଜାର ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପ୍ରଦାନ ପାଇଁ କେନ୍ଦ୍ରରୁ ପ୍ରସ୍ତାବ ଆସିଛି। କିନ୍ତୁ କୋଶଲାଞ୍ଚଳର ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଇତ୍ୟାଦି ଜିଲ୍ଲାରେ ଗୋଟିଏ ମଧ୍ୟ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ନାହିଁ। ଏହାକୁ ପ୍ରତିବାଦ କରି କୋଶଲ ରାଜ୍ୟ ଯୁବ ସମନ୍ୱୟ ସମିତି ତରଫରୁ ଭବାନୀପାଟଣାରୁ ବରଗଡ଼ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ପଦଯାତ୍ରା କରୁଛନ୍ତି। ପଦଯାତ୍ରା ବରଗାଁ ଯାଏ ହୋଇଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ି ଦେଖି ଆନ୍ଦୋଳନକାରୀ ନାରାବାଜି ଦେଇଥିଲେ। ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ପଦଯାତ୍ରାରେ ଥିବା ଯୁବ ସମନ୍ୱୟ ସମିତିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସମିତିର କର୍ମକର୍ତ୍ତାମାନେ ଆବାସ ଘର ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ଦାବି କରିଥିଲେ। ଏହାପରେ ବି ନାରାବାଜି ଚାଲିଥିବାରୁ ଉପସ୍ଥିତ ପୁଲିସ ଅଧିକାରୀ ମନ୍ତ୍ରୀଙ୍କ ଗାଡ଼ିକୁ ଆଗକୁ ବଢ଼ାଇଥିଲେ। କେତେ ଜଣଙ୍କୁ ସଇନ୍ତଳା ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।