ଭୁବନେଶ୍ବର: ଦିନତମାମ ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳରେ ହୁଲୁସ୍ତୁଲ ପରେ ଏମ୍‌ସ ପରିସରରେ ବିଏନ୍‌ଏସ୍‌ର ଦଫା ୧୬୩ ଜାରି ହୋଇଛି। ଏମ୍‌ସ ପରିସରକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ପୀଡ଼ିତା ଜୀବନ ସହିତ ଲଢ଼େଇ କରୁଥିବା ସମୟରେ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ କରି ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବିଜେଡି, କଂଗ୍ରେସ ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବର୍ଣ୍ଣ ସେଣ୍ଟର ସାମ୍ନାରେ ଧାରଣା ଦିଆଯାଇଛି। 

Advertisment

ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଲୋଗାନ୍‌ ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି ସ୍ଥିତିରେ ଏମ୍‌ସ ପରିସରରେ ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓ ବିଶୃଙ୍ଖଳା ଉପୁଜିବା ଆଶଙ୍କା କରି କମିସନରେଟ୍‌ ପୁଲିସ ପକ୍ଷରୁ ୧୬୩ ଜାରି କରାଯାଇଛି। ଗହଳି ବଢ଼ିବା ସହିତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଭାସ ପାଇ ପୁଲିସ ଏହି ପ୍ରତିବନ୍ଧକ ଲଗାଇଛି। ବିକ୍ଷୋଭକାରୀଙ୍କୁ ପୁଲିସ କର୍ମଚାରୀମାନେ ଉଠିଯିବାକୁ ଅନୁରୋଧ କରୁଥିବା ସମୟରେ ‌ବିକ୍ଷୋଭକାରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ବିକ୍ଷୋଭକାରୀମାନେ ଧସେଇ ପଶିବାର ଆଶଙ୍କା ରହିଥିବାରୁ ଏମ୍‌ସ ସମ୍ମୁଖରେ ବର୍ଣ୍ଣ ୟୁନିଟ୍‌ ନିକଟରେ ବ୍ୟାରିକେଡ୍‌ ଲଗାଯାଇଛି।