ଟେଣ୍ଟ, କ୍ୟାଟର୍‌ର, ଫ୍ଲାୱାର୍‌, ଲାଇଟ୍‌ ଆଣ୍ଡ ସାଉଣ୍ଡ ଆସୋସିଏସନ୍‌ର ବିକ୍ଷୋଭ: ରାସ୍ତା ଉପରେ କ୍ୟାଟରିଂ ସାମଗ୍ରୀ ରଖି ପ୍ରତିବାଦ

ଅନ୍ୟୂନ ୩୦୦ ଲୋକଙ୍କୁ ସାମିଲ ହେବାର ଅନୁମତି ମିଳୁ

ଭୁବନେଶ୍ବର : ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟକ୍ରମ ପାଇଁ କୋଭିଡ୍‌ ନିୟମକୁ ଅଧିକ କୋହଳ କରିବା ଦାବିରେ ଆଜି ଅଲ୍‌ ଓଡ଼ିଶା ଟେଣ୍ଟ, କ୍ୟାଟର୍‌ର, ଫ୍ଲାୱାର୍‌, ଲାଇଟ୍‌ ଆଣ୍ଡ ସାଉଣ୍ଡ ଆସୋସିଏସନ୍‌ ପକ୍ଷରୁ ଆଜି ଲୋୟର୍‌ ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର କର୍ମକର୍ତ୍ତାମାନେ ରାସ୍ତା ଉପରେ ଗ୍ୟାସ୍‌, ଚୁଲା, ହାଣ୍ଡି, ଚେୟାର୍‌, ଜେନେରେଟର୍‌ ଆଦି କ୍ୟାଟରିଂ ସାମଗ୍ରୀ ରଖି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି।

ସଂଘର ଅଭିଯୋଗ ହେଲା, କରୋନା ମହାମାରୀ ଯୋଗୁଁ ଗତ ୨ ବର୍ଷ ହେଲା କ୍ୟାଟରିଂ ସଂସ୍ଥା ଚଳାଉଥିବା ମାଲିକ ଓ କର୍ମଚାରୀମାନଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ବିବାହ, ଭୋଜିଭାତ, ବ୍ରତ ଓ ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟକ୍ରମରେ କଟକଣା ଲାଗିଥିବାରୁ ସେମାନଙ୍କ ବେପାର ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଫଳରେ ଏହି ଜୀବିକା ଉପରେ ନିର୍ଭର କରି ଚଳୁଥିବା ରାଜ୍ୟର ପାଖାପାଖି ୨୦ ଲକ୍ଷରୁ ଅଧିକ ଲୋକ ଏବେ ଘୋର ଦୁର୍ଦ୍ଦଶା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି। ସରକାର ଅଗଷ୍ଟ ମାସ ଗାଇଡ୍‌ଲାଇନ୍‌ରେ କଟକଣା କୋହଳ କରିଛନ୍ତି। ମାତ୍ର ବିବାହ, ବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମରେ ପୂର୍ବ ନିର୍ଧାରିତ କଟକଣାରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏହାଦ୍ବାରା ସରକାର ଟେଣ୍ଟ, କ୍ୟାଟର୍‌ର, ପୁଷ୍ପସଜ୍ଜା, ଆଲୋକ ଏବଂ ଶବ୍ଦ ପ୍ରକରଣ ସଂସ୍ଥା ପ୍ରତି ପାତରଅନ୍ତର କରାଯାଇଛି ବୋଲି ଆସୋସିଏସନ୍‌ର ସଭାପତି ବିନୟ ଭୂଷଣ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ତେଣୁ କଟକଣାକୁ ଅଧିକ କୋହଳ କରାଯାଇ ବିବାହ ଭଳି ସାମାଜିକ କାର୍ଯ୍ୟକ୍ରମରେ ୨୫ ପରିବର୍ତ୍ତେ ଅନ୍ୟୂନ ୩୦୦ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଏ ସଂପର୍କିତ ଏକ ଦାବିପତ୍ର ଦିଆଯାଇଛି। ଆଜିର ବିକ୍ଷୋଭରେ ଦ୍ବାରିକାନାଥ ପଣ୍ଡା, ପ୍ରବୋଧ ଦାଶ, ଦେବୀ ରଥ, ପ୍ରଦୀପ ଭଟ୍ଟ, ଜଗନ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ଦାସ ଏବଂ ବିଭୂତି ଭୂଷଣ ସ୍ବାଇଁ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର