ଭୁବନେଶ୍ବର: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଭିନ୍ନ ଦାବି ନେଇ ଅରଣ୍ୟ ଭବନରେ ସଂଘ ପକ୍ଷରୁ ପିସିସିଏଫ୍‌ ଉମା ନନ୍ଦୁରୀଙ୍କ ସହିତ ଆଲୋଚନା ହୋଇଛି। ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ କର୍ମକର୍ତ୍ତାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କେନ୍ଦୁପତ୍ର ତୋଳାଳିମାନଙ୍କ କେତେକ ଦାବି ଉପରେ ପିସିସିଏଫ୍ ଉମା ନନ୍ଦୁରୀ ସକାରାତ୍ମକ ମନ୍ତବ୍ୟ ଦେଇଥିବା ବେଳେ ଋତୁକାଳୀନ କର୍ମଚାରୀମାନଙ୍କ ମାସିକ ମଜୁରି ଓ କନ୍ୟା ବିବାହ ଆର୍ଥିକ ସହାୟତା ନିମନ୍ତେ ନିର୍ଦ୍ଦିଷ୍ଟ ଭାବରେ ମନ୍ତବ୍ୟ ଦେଇ ନଥିଲେ। ଏ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସର୍ବନିମ୍ନ ମଜୁରି ବୃଦ୍ଧି ୨୦୨୪ ମସିହା ଜୁଲାଇ ୧୮ ତାରିଖରେ ହୋଇଥିଲେ ମଧ୍ୟ ସେମାନଙ୍କର ମାସିକ ମଜୁରି ବୃଦ୍ଧି ହୋଇନାହିଁ। ସେହିପରି କନ୍ୟା ବିବାହ ସହାୟତା ଘୋଷଣା ନ ହୋଇ କାର୍ଯ୍ୟକାରୀ ହେବା ବେଳକୁ ବନ୍ଦ କରିଦେବା ଦ୍ୱାରା ତୋଳାଳି ଓ ସିଜନାଲ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଦର୍ଶାଯାଇଛି। 

Advertisment

ବୈଠକରେ ପିସିସିଏଫ୍ ଅନେକ ଦାବି ସମ୍ପର୍କରେ ସ୍ପଷ୍ଟ ଉତ୍ତର ନ ଦେଇ ସରକାରଙ୍କ ବିଚାର ଉପରେ ନ୍ୟସ୍ତ କରିଥିଲେ। ସଂଘ ବାରମ୍ବାର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇବା ସତ୍ତ୍ବେ ସରକାର ଦାବି ପୂରଣ କରିନାହାନ୍ତି। ତୋଳାଳିମାନଙ୍କଠାରୁ ଆରମ୍ଭ କରି ସିଜିନାଲ୍‌ କର୍ମଚାରୀ ତଥା ବନ୍ଧେଇ ଶ୍ରମିକମାନେ ଆର୍ଥିକ କ୍ଷତିରେ ରହିବା ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି। ଏଣୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅକ୍ଟୋବର ୧୪ ତାରିଖ ପରିବର୍ତ୍ତେ ସରକାରଙ୍କୁ ଦାବି ପୂରଣ ପାଇଁ ୨୦ ଦିନ ଆହୁରି ସମୟ ଦେଇଛି। ନଚେତ୍ ଅକ୍ଟୋବର ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଚଳିତ ମାସ ମଧ୍ୟରେ ତୋଳାଳି ଓ ବନ୍ଧେଇ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ସହାୟତା ଦିଆଯିବ ବୋଲି ପିସିସିଏଫ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ବର୍ଷ ତୋଳାଳିମାନଙ୍କ ପତ୍ର ଦର ବୃଦ୍ଧି ହୋଇପାରେ ବୋଲି କହିଛନ୍ତି। 

ସରକାରଙ୍କ ପକ୍ଷରୁ ଏହି ବୈଠକରେ ଜଙ୍ଗଲ, ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଜ୍ୟୋତିର୍ମୟୀ ପ୍ରଧାନ, ଯୁଗ୍ମ ସଚିବ ଦୀନକୃଷ୍ଣ କରଙ୍କ ସମେତ କଟକ, ବଲାଙ୍ଗୀର, ସମ୍ବଲପୁର ସିସିଏଫ୍‌ ଯୋଗ ଦେଇଥିଲେ। ସଂଘ ପକ୍ଷରୁ ସଭାପତିଙ୍କ ସମେତ ଉପସଭାପତି ଗୋକୁଳ ମେହେର, ବିନୋଦ ପ୍ରଧାନ, ସଂଗଠନ ସମ୍ପାଦକ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ଭୁଜା, ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଚ୍ଛା, କୋଷାଧ୍ୟକ୍ଷ କ୍ଷେତ୍ରଚନ୍ଦ୍ର ବାରିକ ପ୍ରମୁଖଙ୍କ ସମେତ ବିଭିନ୍ନ ଡିଭିଜନ୍‌ର ସମ୍ପାଦକ ଉପସ୍ଥିତ ଥିଲେ।