କଟ୍‌ନି ଛଟ୍‌ନିର ପ୍ରତିବାଦ : ଧାନ ରଖି ରାଜପଥ ଅବରୋଧ କଲେ ଚାଷୀ

ରେଙ୍ଗାଲି : ଖରିଫ ଧାନ ସଂଗ୍ରହରେ ମିଲ୍‌ ମାଲିକଙ୍କ ମନମୁଖିର ପ୍ରତିବାଦରେ ଚାଷୀମାନେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। କଟ୍‌ନି ଛଟନିର ପ୍ରତିବାଦ ଓ ପରିବହନ ଖର୍ଚ ଦାବିରେ ୨ ଘଣ୍ଟା ପର୍ଯ୍ୟନ୍ତ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି।

ସମ୍ବଲପୁର ଜିଲ୍ଲା ରେଂଗାଲି ବ୍ଲକ କତରବଗା, ଝାଙ୍କରପାଲି, କିନାଲୋଇ, ଜଙ୍ଗଲା ଆଦି ପଞ୍ଚାୟତର ଚାଷୀମାନଙ୍କ ପାଇଁ କତରବଗା ମଣ୍ଡିରେ ଧାନ ବିକ୍ରି ବ୍ୟବସ୍ଥା କରାଯାଇଛି। ଏହି ମଣ୍ଡି ସହିତ ଗୁଲାମାଲର କେସିସି ରାଇସ୍‌ ମିଲ୍‌, କିଶନ ନଗରର ଏବି ଇଣ୍ଡଷ୍ଟ୍ରିଜ୍‌, ଶାସନର ସାଲେଶ୍ୱର ରାଇସ୍‌ ମିଲ୍‌କୁ ଟ୍ୟାଗ କରାଯାଇଛି। ନିୟମ ମୁତାବକ ଚାଷୀମାନେ ବିକ୍ରି ପାଇଁ ନିଜ ଗାଡ଼ିରେ ଧାନ ମଣ୍ଡିକୁ ଆଣିବେ। ମଣ୍ଡିରେ ଧାନ ଓଜନ କରି ଧାନ ରଖିବେ। ଏପରିକି ନିଜ ବସ୍ତା ମଧ୍ୟ ସାଂଗରେ ନେଇଯିବେ। ସମ୍ବଲପୁର ଜିଲ୍ଲାରେ କିନ୍ତୁ ସବୁ ନିୟମକୁ ଜଳାଂଜଳି ଦିଆଯାଉଛି। ଅନେକ ଅଂଚଳରେ ଚାଷୀମାନଙ୍କୁ ମିଲ୍‌କୁ ଧାନ ପଠାଇବାକୁ ବାଧ୍ୟ କରାଯାଉଛି। ଚାଷୀମାନେ ନିଜ ଗାଡ଼ିରେ ମିଲ୍‌ହେଡ୍‌କୁ ଧାନ ନେବା ପରେ ସେଠାରେ ମିଲ୍‌ ମାଲିକମାନଙ୍କ ଅତ୍ୟାଚାର ଆରମ୍ଭ ହୋଇଯାଇଛି। ବସ୍ତା ପିଛା ଅତିକମରେ ଦେଢ଼ରୁ ୨ କିଲୋଗ୍ରାମ ଧାନ କଟ୍‌ନି ଛଟ୍‌ନି ବାବଦକୁ କାଟି ଦିଆଯାଉଛି।

କେବଳ ସେତିକି ନୁହେଁ, ଚାଷୀମାନଙ୍କୁ ମିଲ୍‌ ହେଡ୍‌କୁ ଧାନ ନେବା ବାବଦ ପରିବହନ ଖର୍ଚ ମଧ୍ୟ ଦିଆଯାଉ ନାହିଁ। ଯୋଗାଣ ବିଭାଗ, ଆର୍‌ଏମ୍‌ସି ଆଦି ବିଭାଗର କର୍ମଚାରୀ ଓ ଅଧିକାରୀମାନେ ସବୁଜାଣି ନିରବଦ୍ରଷ୍ଟା ସାଜିଛନ୍ତି। ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ବି କୌଣସି ପ୍ରକାର ପଦକ୍ଷେପ ନିଆନଯିବାରୁ ଚାଷୀମାନେ ସୋମବାର ଅପରାହଣ୍‌ ୨ଟାରେ ରାଜରାସ୍ତାକୁ ଓହ୍ଲାଇ ଥିଲେ। ଧାନ ବୋଝେଇ ଗାଡ଼ି ସହିତ ରେଂଗାଲି ତହସିଲ ଛକରେ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଏସିଏସ୍‌ଓ ସୁଶୀଳ ଦାଶ ଓ ଅନ୍ୟ ଅଧିକାରୀ ସେଠରୋ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଳେ। କଟ୍‌ନି ଛଟ୍‌ନି ପୂରା ବନ୍ଦ କରିବା, ଦୁରତା ଅନୁସାରେ ଧାନ କୁଇଣ୍ଟଲ ପିଛା ୧୦ ଟଙ୍କା, ୧୫ ଟଙ୍କା, ୨୦ ଟଙ୍କା ଦରରେ ପରିବହନ ଖର୍ଚ(ଗାଡ଼ିଭଡ଼ା) ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଅପରାହଣ ୪ଟାରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା।

ସମ୍ବନ୍ଧିତ ଖବର