ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ବହୁଦିନ ପରେ ବିଶାଳ ପ୍ରଜାମେଳି ହୋଇଛି। ତେବେ ଏଥର ରହିଛି ଭିନ୍ନ କାରଣ। ଅଞ୍ଚଳର ସୁରକ୍ଷା ପାଇଁ ବିଏସ୍‌ଏଫ୍‌ କ୍ୟାମ୍ପ୍‌ ପ୍ରତ୍ୟାହାର ନ କରିବାକୁ ଦାବି ହୋଇଛି। ରାଷ୍ଟ୍ରପତି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ୍‌ଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ସ୍ଥାନୀୟ ଲୋକେ।

Advertisment

ମାଲକାନଗିରି ଜିଲ୍ଲାରୁ ବିଏସ୍‌ଏଫ୍‌ କ୍ୟାମ୍ପ ହଟିବ ବୋଲି ସ୍ବାଭିମାନ ଅଞ୍ଚଳରେ କିଛି ଦିନ ହେଲା ପ୍ରଚାର ହେଉଛି। ତେଣୁ ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ୧୪ଖଣ୍ଡ ଗାଁର ଲୋକ ଆଜି ବୈଠକ କରିଥିଲେ। କ୍ୟାମ୍ପ ହଟୁଥିବା ଖବର ମିଳିବା ପରେ ନିଜକୁ ଅସୁରକ୍ଷିତ ମଣୁଥିବା ଲୋକେ କହିଥିଲେ। ପୂର୍ବରୁ ଏହି ଅଞ୍ଚଳକୁ ନକ୍ସଲ ଅକ୍ତିଆର କରି ବନ୍ଧୁକ ମୁନରେ ଶାସନ କରୁଥିଲେ। ତେଣୁ ବିକାଶରୁ ଲୋକେ ବଞ୍ଚିତ ହୋଇଥିଲେ ଓ ସର୍ବନିମ୍ନ ମୌଳିକ ସୁବିଧା ସୁଦ୍ଧା ପାଉ ନଥିଲେ। ନକ୍ସଲଙ୍କ ଅତ୍ୟାଚାର ସେମାନଙ୍କୁ ଅତିଷ୍ଠ କରିଥିଲା। ୨୦୦୮ ମସିହାରେ ବିଏସ୍‌ଏଫ୍‌ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ ସ୍ଥାପନ କରିଥିଲେ। ନକ୍ସଲ ଦମନ ଜୋରଦାର ହେବା କାରଣରୁ ଗୁରୁପ୍ରିୟା ସେତୁ ନିର୍ମାଣ ସମ୍ଭବ ହୋଇପାରିଛି। ବର୍ତ୍ତମାନ ସ୍ବାଭିମାନ ଅଞ୍ଚଳର ପ୍ରତି ଗାଁକୁ ବିଦ୍ୟୁତ୍‌ ପହଞ୍ଚିବା ସହ ରାସ୍ତାଘାଟ ଏବଂ ସ୍କୁଲ ନିର୍ମାଣ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବାରୁ ଲୋକେ ଘର ନିକଟରେ ସେବା ପାଉଛନ୍ତି। 

ନକ୍ସଲଙ୍କ ଗଡ଼ ଭୁଶୁଡ଼ିବା ଯୋଗୁ ସ୍ବାଭିମାନ ଅଞ୍ଚଳର ଦିଶା ଏବଂ ଦଶାରେ ବଡ଼ ପରିବର୍ତ୍ତନ ହୋଇପ‌ାରିଛି। ସୁରକ୍ଷା କର୍ମୀ ଚାଲିଗଲେ ପୁଣି ନକ୍ସଲ ଫେରିବାର ସମ୍ଭାବନା ରହିଛି। ଆଉ ପରାଧୀନ ଜୀବନ ବଞ୍ଚିବାକୁ ଚାହୁନୁ ବୋଲି ଲୋକେ ପ୍ରଜାମେଳିରେ ଖୋଲାଖୋଲି କହିଥିଲେ। ଏହାପରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିବା ସହ ଅତିକମ୍‌ରେ ୫ବର୍ଷ ଲାଗି ଏଠାରେ କ୍ୟାମ୍ପ ରଖିବାକୁ ଦାବି କରିଥିଲେ। ନିଜ ଦାବି ସଂପର୍କରେ ଲୋକେ ଯନ୍ତ୍ରୀସ୍ଥିତ ୧୭୭ ବାଟାଲିୟନ୍‌ ବିଏସ୍‌ଏଫ୍‌ କ୍ୟାମ୍ପ କମାଣ୍ଡାଣ୍ଟ୍‌ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ନକ୍ସଲ ବିରୋଧୀ ପ୍ରଜାମେଳି ଦୁଇଟି ସଂକେତ ଦେଇଛି। ପ୍ରଥମ ସଂକେତ ହେଲା ନକ୍ସଲଙ୍କ ପ୍ରଭାବ ଆଉ ଏହି ଅଞ୍ଚଳରେ ଆଦୌ ନାହିଁ। ଲୋକ ମଧ୍ୟ ହିଂସାକୁ ଆଉ ବରଦାସ୍ତ କରିବା ମୁଡ୍‌ରେ ନାହାନ୍ତି। ସେହିପରି ଲୋକ ଏକଜୁଟ ହେବା ନକ୍ସଲଙ୍କ ଫେରିବା ବାଟକୁ ସବୁଦିନ ପାଇଁ ବନ୍ଦ କରିଦେଇଛି।