‘ପେସା’ ନାମରେ ଆତଙ୍କରାଜ : କାରଖାନା ପାଚେରି, କ୍ୱାର୍ଟର୍ସ ଭାଙ୍ଗିଲେ, ୨୧ ମହିଳାଙ୍କ ସମେତ ୪୭ ଗିରଫ, ୧୪୪ ଧାରା ଜାରି, ପୁଲିସ ମୁତୟନ

ସୁନ୍ଦରଗଡ଼/ରାଜଗାଙ୍ଗପୁର : ସମ୍ବିଧାନର ଧାରା ୨୪୪(୧) ଆଳରେ ଆତ୍ମଘୋଷିତ ପେସା ଗ୍ରାମସଭାର ସମର୍ଥକମାନେ ଆଜି ରାଜଗାଙ୍ଗପୁର ବରପାଲୀ ସ୍ଥିତ ସୂରଜ ପ୍ରଡକ୍ଟସ୍‌ ଲିଃ’ର ସ୍ପଞ୍ଜ ଆଇରନ କାରଖାନାରେ ଚଢ଼ାଉ କରି ପାଚେରି, ଷ୍ଟାଫ୍‌ କ୍ୱାର୍ଟର୍ସ ଭଙ୍ଗାରୁଜା କରିବା ସହ କେତେକ କର୍ମଚାରୀଙ୍କୁ ମାଡ଼ପିଟ୍‌ କରିଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିବା ସହ ୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରିଛନ୍ତି। ଗଣ୍ଡଗୋଳକାରୀଙ୍କ ମଧ୍ୟରୁ ୨୧ ଜଣ ମହିଳା ଓ ୨୬ ଜଣ ପୁରୁଷଙ୍କୁ ମିଶାଇ ମୋଟ ୪୭ ଜଣଙ୍କୁ ପୁଲିସ ଗିରଫ କରିଛି।

ପ୍ରାୟ ୨୫ ବର୍ଷ ତଳେ ସୂରଜ ପ୍ରଡକ୍ଟ୍‌ସ ଲିଃର ବରପାଲୀରେ କାରଖାନା ସ୍ଥାପନ କରି ସ୍ପଞ୍ଜ ଲୁହା ଉତ୍ପାଦନ କରିଆସୁଛି। ବର୍ଷେ ପୂର୍ବରୁ କାରଖାନା ସଂପ୍ରସାରଣ ପାଇଁ ସଂଲଗ୍ନ ଅଂଚଳରୁ ପାଖାପାଖି ୩୪ ଏକର ଜମି ଇଡ୍‌କୋ ମାଧ୍ୟମରେ ଲିଜ୍‌ ନେଇଥିଲା। ସମସ୍ତ ଜମିହରାଙ୍କୁ କ୍ଷତିପୂରଣ ଦିଆସରିଥିବା ବେଳେ ବରପାଲୀର ୮ ଜଣ ବ୍ୟକ୍ତି ୨.୯୫ ଏକର ଜମିର କ୍ଷତିପୂରଣ ଅର୍ଥ ନେବାକୁ ମନା କରିଦେଇଥିଲେ। ସେମାନେ ଦାବି କରିଥିଲେ, ଏହି ଜମି ବରପାଲି ରୁଗୁଡ଼ିଟୋଲି ଗ୍ରାମସଭା ଅନ୍ତର୍ଗତ ପଞ୍ଚମ ଅନୁସୂଚିତ ଅଞ୍ଚଳ ହୋଇଥିବାରୁ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ହେବ ନାହିଁ। ସମ୍ବିଧାନର ଧାରା ୨୪୪(୧) ଅନୁଯାୟୀ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଗ୍ରାମସଭାର ଅନୁମତି ବିନା ଏହି ଅଂଚଳକୁ ପ୍ରବେଶ କରି ପାରିବେ ନାହିଁ ବୋଲି ସେମାନେ ନାରା ଦେଇ ଆସିଥିଲେ। ଏଥିସହ କାରଖାନାର ପାଚେରୀ ନିର୍ମାଣ ପୂର୍ବରୁ କାରଖାନା କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ଗ୍ରାମସଭାର ଅନୁମତି ନେଇନଥିବା

ଦର୍ଶାଇ ଏହି ସମାନ୍ତରାଳ ଗ୍ରାମସଭାର ସପକ୍ଷବାଦୀମାନେ ଗତ ମେ’ ୨୯ ତାରିଖ ସୁଦ୍ଧା ନିର୍ମାଣ ହୋଇଥିବା ପାଚେରୀକୁ ଭାଙ୍ଗିବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଥିଲେ। ନିଜେ ନ ଭାଙ୍ଗିଲେ ଗ୍ରାମବାସୀ ପାଚେରିକୁ ମାଟିରେ ମିଶାଇ ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଶତାଧିକ ଗ୍ରାମବାସୀ କାରଖାନା ସମ୍ମୁଖରେ ଏକଜୁଟ୍‌ ହୋଇଥିଲେ। ସେମାନେ ଅତର୍କିତ ଭାବେ କାରଖାନା ପଛପାଖ, ସମ୍ମୁଖରେ ଥିବା ପାଚେରୀ ଓ ଷ୍ଟାଫ୍‌ କ୍ୱାର୍ଟସ୍‌ର୍ ଭଙ୍ଗାରୁଜା କରିଥିଲେ। ଉପସ୍ଥିତ କାରଖାନା କର୍ମଚାରୀଙ୍କୁ ସେମାନେ ଧମକଚମକ ଦେବା ସହ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଖବରପାଇ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ଜିଲ୍ଲାପାଳ ଏସ୍‌.କେ. ମୀନାଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଉତ୍ତେଜନା ଲାଗି ରହିଥିବାରୁ ୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଭଙ୍ଗାରୁଜା ଓ କାରଖାନା କର୍ମଚାରୀଙ୍କୁ ମାଡ଼ପିଟ କରିଥିବା ଅଭିଯୋଗରେ ପୁଲିସ ୧୫୦ରୁ ଅଧିକ ଲୋକଙ୍କୁ ପ୍ରଥମେ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରୁ ୪୭ ଜଣଙ୍କୁ ଗିରଫ କରାଯାଇଛି। ଆନ୍ଦୋଳନକାରୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ବିଭିନ୍ନ ଦଫାରେ ପୁଲିସ୍‌ ମାମଲା ରୁଜୁ କରିଛି।

ପେସା ଓ ପାରମ୍ପରିକ ଗ୍ରାମସଭା ନାଁରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୨୫୦ ଗାଁରେ ପଥରପୋତା (ପଥର ଗାଢ଼ା) ଅଭିଯାନ ଚାଲିଛି। ଏହି ଗ୍ରାମସଭାର ବିନା ଅନୁମତିରେ କୌଣସି ଉନ୍ନୟନମୂଳକ କାର୍ଯ୍ୟକୁ ସେମାନେ ବିରୋଧ କରୁଛନ୍ତି। ହେମଗିର ବାଞ୍ଜିକଚ୍ଛାର ଠାରେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଟାଓ୍ଵାର କାମକୁ ମଧ୍ୟ ଗ୍ରାମସଭା ପକ୍ଷରୁ ବିରୋଧ କରାଯାଇଥିଲା। ଅନୁରୂପ ଭାବେ ଆତ୍ମଘୋଷିତ ଗ୍ରାମସଭାର ସପକ୍ଷବାଦୀମାନେ ଦୀର୍ଘ ୪ ମାସ ହେଲା ରାଜଗାଙ୍ଗପୁରସ୍ଥିତ ଓଡ଼ିଶା ସିମେଣ୍ଟ ଲିଃ (ଓସିଏଲ୍‌) ପମ୍ପ ହାଉସ୍‌କୁ ମଧ୍ୟ ତାଲାମାରି ବନ୍ଦ ରଖିବା ସହ ମୋଟା ଅଙ୍କର ଚାନ୍ଦା ଦାବିରେ ଅଟଳ ଅଛନ୍ତି। କେତେକ ସ୍ଥାନରେ ସେମାନେ ଗାଁ ପ୍ରବେଶ କରୁଥିବା ପୁଲିସ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖୁଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ କୁତ୍ରାର ଗଡ଼ପୋଷ ଛକରେ ଆତ୍ମଘୋଷିତ ଗ୍ରାମସଭାର ସପକ୍ଷବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର