କରୋନା ଦୁର୍ନୀତି ବିରୋଧରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ଭୁବନେଶ୍ୱର: କରୋନା ମହାଦୁର୍ନୀତି ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ଘେରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ନବନିର୍ମାଣ କୃଷକ ସଙ୍ଗଠନ, ଯୁବ ସଙ୍ଗଠନର ଶତାଧିକ କର୍ମୀ ହାତରେ ଜାତୀୟ ପତାକା ଓ ଦୁର୍ନୀତି ବିରୋଧୀ ପତାକା ଧରି ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ନାରା ଦେଇଥିଲେ। ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ ଏଣିକି ନବନିର୍ମାଣ କୃଷକ ସଙ୍ଗଠନ କେବଳ କୃଷି ସମସ୍ୟା ନୁହେଁ, ବରଂ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଯେତେ ସମସ୍ୟା ଓ ସମସ୍ତ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ। ମାସ୍କ୍ କିଣାଠାରୁ ଭେଣ୍ଟିଲେଟର୍ କିଣା ପର୍ଯ୍ୟନ୍ତ ଯେଉଁ ଦୁର୍ନୀତି ହୋଇଛି, ସେଥିରୁ ସରକାରଙ୍କ ମୁକ୍ତି ନାହିଁ। ବିପର୍ଯ୍ୟୟ ସମୟରେ ହୋଇଥିବା ଦୁର୍ନୀତିର ମୁଖା ଖୋଲିବା ପାଇଁ ସିବିଆଇ ତଦନ୍ତ ଜରୁରୀ।

ସଙ୍ଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସମସ୍ତ କୋଭିଡ୍-୧୯ ହସ୍‌ପିଟାଲ୍ ପାଇଁ ଦିଆଯାଇଥିବା ଅର୍ଥର ବୈଧତା ପ୍ରତି ପ୍ରଶ୍ନ ଉଠାଇବା ସହିତ ସମସ୍ତ ଅର୍ଥର ସାର୍ବଜନୀନ କରିବା ପାଇଁ ଦାବି କରିଛନ୍ତି। ସଙ୍ଗଠନ ରାଜ୍ୟ ସହ ସଂଯୋଜକ ଉମାକାନ୍ତ, ଭରତ ଓ ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ସରକାରଙ୍କୁ ସମାଲୋନା କରିଛନ୍ତି। ସଟ୍‌ଡାଉନ୍‌ ଓ ଲକ୍‌ଡାଉନକୁ ଡରି ଚୁପ୍ ରହିଲେ, ନେତାମାନେ ସବୁ ଚଳୁ କରିଦେବେ ବୋଲି ରଶ୍ମିରଞ୍ଜନ ସ୍ୱାଇଁ ଓ ନିମାଇଁ ରାୟ ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଡ. କୁଳମଣି, ରଣଜିତ୍ ପଟ୍ଟନାୟକ, ମହେଶ୍ୱର ଜେନା, ଦୁର୍ଗାଚରଣ ସ୍ୱାଇଁ, ଦୁର୍ଗାପ୍ରସାଦ ଦାଶ, ସାଇପ୍ରସାଦ ପଲେଇ, ଗୋବିନ୍ଦ ମହାପାତ୍ର, ସ୍ନେହାଂଶୁ ଜେନା, ମମତା ନାଥ, ଦେବୀପ୍ରସାଦ ମହାରଣା, ମୀନା କୁମାରୀ ସାହୁ, ରଞ୍ଜନ ପଟେଲ୍‌, ସୁଧାକର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର