ବିଭିନ୍ନ ଦାବି ନେଇ ପାଚିକା ଓ ସହାୟିକା ସଂଘର ବିିକ୍ଷୋଭ

ଜିଲ୍ଲାପାଳଙ୍କ ଅଫିସ ଘେରିଲେ, ଦାବିପତ୍ର ଦେଲେ

ଭବାନୀପାଟଣା : ନିଖିଳ ଓଡ଼ିଶା ପାଚିକା ଓ ସହାୟିକା ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାର ପାଚିକା ଓ ସହାୟିକାମାନଙ୍କ ପ୍ରାପ୍ୟ ୧ ହଜାର ଟଙ୍କା ସ୍ଥିର କରିଛନ୍ତି। କିନ୍ତୁ ପାଚିକାମାନଙ୍କୁ ୬୦୦ ଟଙ୍କା ଓ ସହାୟିକାମାନଙ୍କୁ ୪୦୦ ଟଙ୍କା ପଇଠ କରାଯାଇଛି। ତେଣୁ ୨୮ ମାସର ବକେୟା ପ୍ରାପ୍ୟ ପ୍ରଦାନ କରିବା, ୧୦ ମାସ ବଦଳରେ ୧୨ ମାସ ପ୍ରାପ୍ତ ପ୍ରଦାନ କରିବା, ବର୍ଷକୁ ୨ ଯୋଡ଼ା ଶାଢ଼ି ପ୍ରଦାନ, ଅବସରକାଳୀନ ଅର୍ଥ ପ୍ରଦାନ କରିବା। ସ୍କୁଲ ମିଶ୍ରଣ ଯୋଗୁଁ ଛଟେଇ ହୋଇଥିବା ପାଚିକା ସହାୟିକାମାନଙ୍କୁ ଖାଲିଥିବା ସ୍ଥାନରେ ନିଯୁକ୍ତି ଦେବା, ବାର୍ଷିକ ଅତିକମରେ ୧୫ ଦିନ ଛୁଟି ମଞ୍ଜୁର କରିବା, ପ୍ରସୂତିକାଳୀନ ଛୁଟି ଦେବା ଓ ପାଚିକା ସହାୟିକାମାନଙ୍କୁ ଶ୍ରମିକ ମାନ୍ୟତା ଦେବା ସହିତ ସର୍ବନିମ୍ନ ମଜୁରି ପ୍ରଦାନ କରିବା ଦାବିରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏନେଇ ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦାମୋଦର ବେହେରା, ସିପିଆଇ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏଆଇଟିୟୁସି ଜିଲ୍ଲା ସଭାପତି ଅକ୍ଷୟ ମେହେର, ପାଚିକା ସଂଘ ଜିଲ୍ଲା ସଭାନେତ୍ରୀ ଅବନ୍ତୀ ‌ଦଣ୍ଡସେନା ଓ ପାଚିକା ସଂଘ ଜିଲ୍ଲା ସଂପାଦିକା ପଙ୍କଜିନୀ ଭୋଇଙ୍କ ନେତୃତ୍ବରେ ସଂଘର ବହୁ ସଦସ୍ୟା ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର