ରାଜଭବନ ଅଭିମୁଖେ ଶଗଡ଼ ରାଲି କଲା ଯୁବ କଂଗ୍ରେସ
ଆନ୍ଦୋଳନ ପାଇଁ ଚେତାବନୀ
ଭୁବନେଶ୍ବର : ପେଟ୍ରୋଲ, ଡିଜେଲ ଦରରେ ଅହେତୁକ ବୃଦ୍ଧି ଓ କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଯୁବ କଂଗ୍ରେସ ବିକ୍ଷୋଭ କରିଛି। ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ ଶଗଡ଼ ଉପରେ ବସି ରାଜଭବନ ଅଭିମୁଖେ ଶୋଭାଯାତ୍ରା କରିଥିଲେ। ଏ ନେଇ ଦଳ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ମଙ୍ଗଳବାର ସକାଳେ ସ୍ଥାନୀୟ ପାଓ୍ବାର ହାଉସ ଛକରେ ଯୁବ କଂଗ୍ରେସ ପକ୍ଷରୁ ଏକ ସଭା କରାଯାଇଥିଲା। ସଭାରେ ଶ୍ରୀ ଲେଙ୍କା କହିଥିଲେ, ସମଗ୍ର ଦେଶରେ କରୋନା ମହାମାରୀ ଜାରି ରହିଥିବାବେଳେ ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରେ ଅଧିକ କର ବସାଇ ଦରବୃଦ୍ଧିକୁ ଦୁଇଗୁଣିତ କରୁଛନ୍ତି। ଏବେ ନିତ୍ୟବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ଫଳରେ ସାଧାରଣ ଲୋକେ ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସ ବସାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଶୋଷିବାରେ ଲାଗିଛନ୍ତି।
ଦୀର୍ଘ ୬୬ ଦିନରୁ ଉର୍ଦ୍ଧ୍ବ ହେବ ଦେଶର ଅନ୍ନଦାତାମାନେ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା କଳା କୃଷି ଆଇନକୁ ବିରୋଧ କରି ଶୀତ, ଖରା, କାକରରେ ନିଜ ହକ୍ ପାଇଁ ଲଢ଼େଇ କରୁଛନ୍ତି। ଅଥଚ କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ଭ୍ରୁକ୍ଷେପ ନକରି ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ଷଡ଼ଯନ୍ତ୍ର କରୁଛନ୍ତି। ଏହାକୁ ଯୁବ କଂଗ୍ରେସ କଡ଼ା ନିନ୍ଦା କରୁଛି। କେନ୍ଦ୍ର ସରକାର ଅମ୍ବାନୀ ଓ ଆଦାନୀ ପ୍ରେମ ଛାଡ଼ିପାରୁନାହାନ୍ତି। ଯଦି ଆଗାମୀ ଦିନରେ କଳା କୃଷି ଆଇନରୁ ପ୍ରତ୍ୟାହାର ନ କରାଯାଏ, ତାହେଲେ ସମଗ୍ର ରାଜ୍ୟରେ କୃଷକମାନଙ୍କ ସ୍ବାର୍ଥ ପାଇଁ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ଲେଙ୍କା ଚେତାବନୀ ଦେଇଛନ୍ତି। ସଭା ସରିବା ପରେ ପାୱାର ହାଉସ ଛକରୁ ଶଗଡ଼ ରାଲି ବାହାରି ରାଜଭବନ ଅଭିମୁଖେ ଯାଇଥିଲା। ରାଜଭବନ ସମ୍ମୁଖରେ ରାଲି ପହଞ୍ଚିବା ପରେ ପୁଲିସ ଯୁବ କଂଗ୍ରେସ କର୍ମୀମାନଙ୍କୁ ଅଟକାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ଉପସଭାପତି ଅଭିଳାଷ ମାଣିଆ, ମହମ୍ମଦ ଅଲୀମ, ରାଜୀବ ପଟ୍ଟନାୟକ, ସଙ୍କୁନା କହଁର, ରଞ୍ଜିତ ପାତ୍ର, ଆର୍ଯ୍ୟବୀର ଲେଙ୍କା, ଅଜୟ ସାହୁ, ସ୍ବାଗତ କର, ବିଶ୍ବରଞ୍ଜନ ଦାସ, ନଳିନୀକାନ୍ତ ନାୟକ, ବିପ୍ଲବ ଶିଲାଦିତ୍ୟ, ବିକି ଚକ୍ରବର୍ତ୍ତୀ, ଗୋପନ ମାର୍ଥା, ଆଶୁତୋଷ ଲେଙ୍କା, ସ୍ମୃତି ମନ୍ତ୍ରୀ, ଆକ୍ୟୁବ୍ ଖାଁ, ହାପି ରଥ, ସମ୍ରାଟ ଜେନା, ମନୋରଞ୍ଜନ ପଟ୍ଟନାୟକ, ରିତୁଲ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।