ମମିତା ମେହେର ହତ୍ୟା ମାମଲା: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ ଆନ୍ଦୋଳନ

ସୋନପୁର: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି କରି ସୁବର୍ଣ୍ଣପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୋନପୁର ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ଅତିରିକ୍ତ ଏସ୍‌ପି ଜଗଜୀବନ ପଟେଲ ଗ୍ରହଣ କରିଥିଲେ। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ପଦପଦବିରୁ ବହିଷ୍କାର କରିବା, ସମୟସୀମା ନିର୍ଦ୍ଧାରିତ କରାଯାଇ ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଫାଷ୍ଟଟ୍ରାକ କୋର୍ଟ ଗଠନ କରିବା ଓ ମମିତା ମେହେରଙ୍କ ପରିବାରକୁ ସରକାର ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଘୋଷଣା କରିବା ଆଦି ଦାବିପତ୍ରରେ ଦର୍ଶାଯାଇଛି। ଏହି ବିକ୍ଷୋଭରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଯୁକ୍ତା ହୋତା, ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପୂଜାରୀ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଭୋଇ, ନଳିନୀ ପଣ୍ଡା, ସୁନିତା ଗିରି, ସୁଦେଷ୍ଣା ନେଗୀ, ଇତିଶ୍ରୀ ମିଶ୍ର, ବିଶ୍ବମ୍ବର ମିଶ୍ର, କିଶୋର ହୋତା, ଜଗଜ୍ୟୋତି ତ୍ରିପାଠୀ, ଅନନ୍ତ ପାଣିଗ୍ରାହୀ, ଗଙ୍ଗା ତରିଆ, ତ୍ରିଲୋଚନ ତରିଆ, ସୁକାନ୍ତ ସାହୁ, ସୁରୁବାବୁ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶି ପ୍ରମୁଖ ସାମିଲ ଥିଲେ।

ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବି କରି ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏପରିକି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରାଯିବା ସହ ଏସମ୍ପର୍କରେ ଏକ ଦାବିପତ୍ର ଏସ୍‌ପିଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ଅତିରିକ୍ତ ଏସ୍‌ପି ଜଗଜୀବନ ପଟେଲଙ୍କୁ ପ୍ରଦାନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୂର୍ଯ୍ୟକାନ୍ତି ବାଘ, ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଂଗଠନ ସଂପାଦକ ସୁଧୀର ପଣ୍ଡା, କୋଷାଧ୍ୟକ୍ଷ ଶେଷଦେବ ମେହେର, ମାଧବ କୁମ୍ଭାର, ନରଦେବ ଭୋଇ, ସତ୍ୟଭାମା ମେହେର, କୃଷ୍ଣଚନ୍ଦ୍ର ବାଘ ପ୍ରମୁଖ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର