କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ବିଡିଓଙ୍କ ବଦଳି ଦାବିରେ ତେଜିଲା ଆନ୍ଦୋଳନ। ଆଜି ବ୍ଲକର ଜନପ୍ରତିନିଧି ଏବଂ ଜନସାଧାରଣ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ଅଟକାଇବାରୁ କାର୍ଯ୍ୟାଳୟ ଫାଟକରେ ତାଲା ପକାଇବା ସହ ଧାରଣାରେ ବସିଥିଲେ ଆନ୍ଦୋଳନକାରୀ। ଏଥିସହ କାର୍ଯ୍ୟାଳୟ ଉପରକୁ ଅଣ୍ଡା ମାଡ଼ କରିଥିଲେ। ସେହିପରି ଆନ୍ଦୋଳନ ଡାକରା ଯୋଗୁଁ କାଲିମେଳାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କ ବଦଳି ଦାବିରେ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ହଜାର ହଜାର ଆନ୍ଦୋଳନକାରୀ ହାଟପଦା ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ହୋହାଲ୍ଲା କରିଥିଲେ। ବିଡିଓଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ସମସ୍ତ ଲୋକପ୍ରତିନିଧି ଓ ଜନସାଧାରଣ। ପୁଲିସ ଅଟକାଇବାରୁ ବ୍ଲକ କାର୍ଯ୍ୟାଳୟର ଫାଟକରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ଏଥିସହ କାର୍ଯ୍ୟାଳୟ ଉପରକୁ ଅଣ୍ତାମାଡ଼ କରିଥିଲେ।
ଫାଟକରେ ତାଲା ଠୁଙ୍କିଲେ, ଅଣ୍ଡା ଫିଙ୍ଗିଲେ
ବିଡିଓଙ୍କ ବିରୋଧରେ ସରପଞ୍ଚଙ୍କ ଏତଲା
୧୨ ଘଣ୍ଟିଆ କାଲିମେଳା ବନ୍ଦ ସଫଳ
ହେଲେ ବିଡିଓ ଗତକାଲି ଠାରୁ ଛୁଟିରେ ପଳାଇଥିବାର ଜଣାପଡ଼ିଛି। ଫାଟକରେ ତାଲା ପକାଇବା ପୂର୍ବରୁ ବ୍ଲକ୍ ଭିତରେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀ ଓ ପୁଲିସକୁ ବାହାରକୁ ବାହାରିଯିବାକୁ ଅନୁରୋଧ କରାଯାଇଥିଲା। ପରେ ଫାଟକରେ ତାଲା ପକାଇଥିଲେ। ବଡ଼ିଗେଟା ପଞ୍ଚାୟତର ସରପଞ୍ଚ ଲିଲି ସୋଡ଼ି ବିଡ଼ିଓ ପ୍ରଦୀପ କୁମାର କରଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି। ଚଳିତ ମାସ ୨ ତାରିଖ ଦିନ ବିଡିଓ ଶ୍ରୀ କର ବଡ଼ିଗେଟା ପଞ୍ଚାୟତକୁ ଗସ୍ତ ସମୟରେ ସେଠାରେ ସରପଞ୍ଚ ଲିଲି ସୋଡ଼ିଙ୍କୁ ଅସଦାଚରଣ କରିଥିଲେ ବୋଲି ସରପଞ୍ଚ ନିଜ ଏତଲାରେ ଦର୍ଶାଇଛନ୍ତି। ସେହିପରି ବିଡିଓ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଅହେତୁକ ଅନୁକମ୍ପା ଦେଖାଇବା ସହିତ ଲୋକ ପ୍ରତିନିଧିମାନଙ୍କୁ ଅଣଦେଖା କରିବା, ବ୍ଲକ ଅଧ୍ୟକ୍ଷାଙ୍କୁ ଅସମ୍ମାନ କରିବା, ବାହାର ରାଜ୍ୟର ଜଣେ ଠିକାଦାରକୁ ସରକାରୀ କ୍ବାର୍ଟର ଦେବା, ବ୍ଲକ ଓ ସାଥୀ ସେଣ୍ଟରରେ ନିଜର ସ୍ବାର୍ଥ ସାଧନ ପାଇଁ କେତେକ ଝିଅଙ୍କୁ ନିଯୁକ୍ତି ଦେବା, ପିସି ମାଗିବା, ସମିତି ବୈଠକ ନ ଡାକିବା ଏସବୁ ଅଭିଯୋଗରେ ଆନ୍ଦୋଳନ ଡାକରା ଦିଆଯାଇଥିଲା।
ଏହି ଆନ୍ଦୋଳନରେ ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝୀ, ପୂର୍ବତନ ବିଧାୟକ ମାନସ ମାଡ଼କାମୀ, ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ବ୍ଲକ ଅଧ୍ୟକ୍ଷା ସୁବାସିନୀ ସୋଡ଼ି, ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡ଼କାମୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଲା ମାଡ଼ି ସମେତ କଂଗ୍ରେସ, ବିଜେଡିର ଅନେକ କର୍ମୀ ଓ ନେତାଙ୍କ ସହ ସମସ୍ତ ପଞ୍ଚାୟତର ଲୋକପ୍ରତିନିଧିମାନେ ସାମିଲ ହୋଇଥିଲେ। ଆନ୍ଦୋଳନକୁ ଦୃଷ୍ଟିରେ ରଖି ବ୍ଲକ ସମୁଖରେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।