ମୂଲ୍ୟାୟନ କେନ୍ଦ୍ର ବାହାରେ ଆନ୍ଦୋଳନ ଜାରି

ଜିଦ୍‌ରେ ଅଡ଼ି ବସିଛନ୍ତି ବ୍ଲକ୍‌ଗ୍ର୍ରାଣ୍ଟ୍‌ ଶିକ୍ଷକ

ଭୁବନେଶ୍ୱର : ମାଟ୍ରିକ୍‌ ଖାତା ମୂଲ୍ୟାୟନ ବର୍ଜନ ଜାରି ରଖିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ୫୭ଟି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲେ ମଧ୍ୟ ତାହାକୁ ମିଳିତ ମଞ୍ଚ ପ୍ରତ୍ୟାଖ୍ୟାନ କରିଛି। କୌଣସି ପରିସ୍ଥିତିରେ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ମାଟ୍ରିକ୍‌ ଖାତା ମୂଲ୍ୟାୟନ ଯେକୌଣସି ପ୍ରକାରେ ସାରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲାଗିପଡ଼ିଛି। ୬ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ଭବିଷ୍ୟତ କଥା ଚିନ୍ତା ନ କରି ଅଣତାଲିମପ୍ରାପ୍ତ ଶିକ୍ଷକଙ୍କୁ ଖାତା ମୂଲ୍ୟାୟନରେ ସାମିଲ କରାଯାଉଛି। ସରକାରୀ ଶିକ୍ଷକମାନେ ଖାତା ଦେଖୁ ନ ଥିବା ବେଳେ ଶିଶୁ ମନ୍ଦିରରେ କାର୍ଯ୍ୟରତ ଅଣତାଲିମପ୍ରାପ୍ତ ଶିକ୍ଷକ ତଥା ବର୍ଷେ/ଦୁଇ ବର୍ଷ ଚାକିରି କରିଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଘରୁ ଡାକି ଆଣି ଖାତା ମୂଲ୍ୟାୟନ କରାଯାଉଛି। କେଉଁ ନିୟମ ଆଧାରରେ ପରୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ତାହାର ଉତ୍ତର ବି କାହା ପାଖରେ ବି ନାହିଁ। ଭବିଷ୍ୟତରେ ପରୀକ୍ଷାର୍ଥୀଙ୍କର ଯେଉଁ ସମସ୍ୟା ଉପୁଜିବ ଏଥିପାଇଁ ରାଜ୍ୟ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ଆବାହକ ମଣ୍ଡଳୀ ସଦସ୍ୟ ଶ୍ରୀ ମହାନ୍ତି କହିଛନ୍ତି ଯେ ଯେଉଁ ଶିକ୍ଷକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ମୂଲ୍ୟାୟନରେ ସାମିଲ କରାଯାଉଛି। ୬୦ ପ୍ରତିଶତ ଶିକ୍ଷକ ଏପର୍ଯ୍ୟନ୍ତ ମୂଲ୍ୟାୟନରେ ଭାଗ ନେଇ ନାହାନ୍ତି। ସେମାନଙ୍କ ସ୍ଥାନରେ ଶିଶୁ ମନ୍ଦିର ଶିକ୍ଷକଙ୍କୁ ସାମିଲ କରାଯାଇଛି। ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଜୋରଜବରଦସ୍ତ ଡକାଇ ଆଣି ମୂଲ୍ୟାୟନ କରାଯାଉଛି। ତାର ଉତ୍ତର ଭବିଷ୍ୟତରେ ରାଜ୍ୟ ସରକାର ଜନସାଧାରଣଙ୍କୁ ଦେବେ। କାଠଗଡ଼ାକୁ ଟଣାହେବେ। ଏପରିକି କେତେକ ସ୍ଥାନରେ ପାଠ୍ୟକ୍ରମ ସମ୍ପର୍କରେ ଧ୍ୟାନ ନ ଥିବା ଓ କୌଣସି ଦିନ ପିଲାଙ୍କୁ ପଢ଼ାଇ ନ ଥିବା ଶିକ୍ଷକଙ୍କୁ ମୂଲ୍ୟାୟନ ପରି କାର୍ଯ୍ୟରେ ନିୟୋଜନ କରାଯାଇଛି। ଏହାର ବିସ୍ତୁତ ବିବରଣୀ ସୂଚନା ଅଧିକାର ଆଇନ ବଳରେ ସରକାରଙ୍କଠାରୁ ମଗାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଗତ ଫେବ୍ରୁଆରି ୧୮ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବ ଯେଉଁ ଦାବି ପୂରଣ ପାଇଁ ନିଷ୍ପତ୍ତିି ଗ୍ର୍ରହଣ କରିଥିଲେ ତାହା ତୁରନ୍ତ ପୂରଣ କରନ୍ତୁ। ନଚେତ ଏହି ଆନ୍ଦୋଳନ ଜାରି ରହିବ। ଯୁକ୍ତ୨ ଓ ଯୁକ୍ତ୩ ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାୟନ ବର୍ଜନ କରାଯିବ। ସମସ୍ତ ସ୍କୁଲ ଓ କଲେଜରେ ତାଲା ଝୁଲିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର