ଭୁବନେଶ୍ବର : ଖରସ୍ରୋତା ନଦୀରେ ବ୍ୟାରେଜ୍‌ ନିର୍ମାଣ, ଆଳି ଓ ରାଜକନିକା ଅଞ୍ଚଳକୁ ବିଶୁଦ୍ଧ ପାଣି ଯୋଗାଣ ଓ ଭିତରକନିକା ଅଭୟାରଣ୍ୟର ସୁରକ୍ଷା ଦାବିରେ ଖରସ୍ରୋତା ବଞ୍ଚାଅ ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନର ଆବାହିକା ସୁଜାତା ବାରିକଙ୍କ ନେତୃତ୍ବରେ ଆଳି ଓ ରାଜକନିକାର ଶତାଧିକ ଅଞ୍ଚଳବାସୀ ଏଥିରେ ଯୋଗ ଦେଇଥିଲେ। ମହିଳାମାନେ ମାଠିଆ ଧରି ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ଶୋଭାଯାତ୍ରାରେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ବାଧା ଦେଇଥିଲା। ତେଣୁ ବିକ୍ଷୋଭକାରୀମାନେ ସେହିଠାରେ ହୋ-ହଲ୍ଲା, ନାରାବାଜି କରିଥିଲେ।

Advertisment

ଅଭିଯାନର ଆବାହକ ସୁଜାତା ବାରିକ କହିଛନ୍ତି ଯେ ଖରସ୍ରୋତା ନଦୀର ଜଳକୁ ପ୍ରାୟ ୨ଲକ୍ଷ ଲୋକ ବ୍ୟବହାର କରୁଛନ୍ତି। କିନ୍ତୁ ଏହାର ପରିମାଣ ଦିନକୁ ଦିନ କମି ଯାଉଛି। ନଦୀର ସ୍ରୋତ କମିଗଲେ ଭୂତଳ ଜଳ ମଧ୍ୟ ଲବଣାକ୍ତ ହେବାର ଆଶଙ୍କା ରହିଛି। ତେଣୁ ଭଦ୍ରକ ଜିଲ୍ଲାକୁ ଯଦି ପାଣି ଦିଆଯାଏ, ତେବେ ସରକାର ଖରସ୍ରୋତା ନଦୀରେ ଏକ ବ୍ୟାରେଜ୍ ନିର୍ମାଣ କରିବା ସହ ଆଳି, ରାଜକନିକା ଅଞ୍ଚଳକୁ ବିଶୁଦ୍ଧ ଜଳ ଯୋଗାଇ ଦିଅନ୍ତୁ। ଏହାସହ ଭିତରକନିକା ଅଭୟାରଣ୍ୟର ମଧ୍ୟ ସୁରକ୍ଷା କରାଯାଉ। ଏହି ଦାବି ପୂରଣ ନ ହେଲେ ଅଭିଯାନ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ପରେ ୪ଜଣିଆ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିକ୍ଷୋଭରେ ଅଭିଯାନର ସଭାପତି ଭରତ ଦାସ, ଉପସଭାପତି ବିନ୍ଦୁଲତା ବଳିଆରସିଂହ, ସାଧାରଣ ସମ୍ପାଦକ ସଞ୍ଜୟ ବଳ, ସୁରଜ ବେହେରା ଓ ସାଗର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।