ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କ କୌଣସି ଆଗ୍ରହ ନାହିଁ। ନିର୍ବାଚନ ହେବ ନା ନାହିଁ ସ୍ପଷ୍ଟତା ନାହିଁ। ଏହାକୁ ନେଇ ଛାତ୍ର ମହଲରେ ବର୍ତ୍ତମାନ ଅସନ୍ତୋଷର କୁହୁଳିବାରେ ଲାଗିଛି। ଆସନ୍ତା ୬ଦିନ ଭିତରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ନ ହେଲେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। 

Advertisment

ସୌମ୍ୟାଶ୍ରୀ ଘଟଣା ପାଇଁ ନିର୍ବାଚନକୁ ଡରୁଛନ୍ତି ସରକାର: ଯୁବ ଓ ଛାତ୍ର କଂଗ୍ରେସ

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଅଜୟ ମହାପାତ୍ର କହିଲେ, ଛାତ୍ର ସଂସଦ ନିର୍ବାଚନ ହେଉଛି ଗଣତନ୍ତ୍ରର ଅନ୍ତୁଡ଼ିଶାଳ। ପରିତାପର ବିଷୟ ସରକାର ଦୀର୍ଘ ବର୍ଷ ହେଲା ନିର୍ବାଚନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଛାତ୍ରନେତା ମନୋଜ ବିଶ୍ୱାଳ କହିଥିଲେ, ବିଜେଡି ଶାସନରେ ଥିବା ସମୟରେ ଛାତ୍ର ସଂସଦ ନିର୍ବାଚନ କାହିଁକି ହେଉନି ବୋଲି ବିଜେପି ବାରମ୍ବାର ସମାଲୋଚନା କରିଆସୁଥିଲା। ଏବେ ବିଜେପି ସରକାରକୁ ଆସିବା ପରେ ନିରବ କାହିଁକି ? ଯାହା ଶିକ୍ଷା ମନ୍ତ୍ରୀ କହିବା କଥା ତାହାକୁ ଆଇନ ମନ୍ତ୍ରୀ କହୁଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବାଚନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଏହା ଧୂଆଁବାଣ ସାବ୍ୟସ୍ତ ହେବାକୁ ଯାଉଛି। ପ୍ରକୃତରେ ସୌମ୍ୟାଶ୍ରୀ ଆତ୍ମାହୂତି ଘଟଣାରେ ଏବିଭିପି ନେତା ଗିରଫ ହେବା ପରେ ରାଜ୍ୟର ଛାତ୍ର ସମାଜରେ ବିଜେପି ନିନ୍ଦିତ ହେଇଛି। ତେଣୁ ସରକାରଙ୍କୁ ପରାଜୟର ଭୟ ଘାରିଛି।

ନିର୍ବାଚନକୁ ସରକାର ଏଡ଼ାଇ ଦେବାକୁ ଚାହୁଁଛନ୍ତି। ଛାତ୍ର ସଂସଦ ନିର୍ବାଚନ ଘୋଷଣା ନ ହେଲେ ଛାତ୍ର କଂଗ୍ରେସ ରାଜ୍ୟର ପ୍ରତ୍ୟେକ କ୍ୟାମ୍ପସ୍‌ରେ ଦସ୍ତଖତ ଅଭିଯାନ, ବିକ୍ଷୋଭ ଓ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା ଭଳି କାର୍ଯ୍ୟକ୍ରମ କରିବ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି। ଛାତ୍ରନେତା ବିଶ୍ବଭୂଷଣ ଦାସ ଓ ଆଶିଷ ମାହୁନ୍ତ କହିଥିଲେ,  ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ନେଇ ବିଜେଡିର ପଦାଙ୍କ ଅନୁସରଣ କରୁଛି ବିଜେପି। ଆଉ ୬ ଦିନପରେ ପାର୍ବଣ ଛୁଟି କିନ୍ତୁ ଶିକ୍ଷାମନ୍ତ୍ରୀଙ୍କ ଦେଖା ମିଳୁନି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ସନ୍ଦୀପ ରାଉତରାୟ, ସାଗର ପଟ୍ଟନାୟକ ଓ ବିଭୂତି ମହାପାତ୍ର ଉପସ୍ଥିତ ଥିଲେ।