ସୁନ୍ଦରଗଡ଼: ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାସ। ଝାରସୁଗୁଡ଼ାକୁ ବିମାନରେ ଆସି ସେଠାରୁ ସନ୍ଧ୍ୟାରେ ସଡ଼କ ପଥରେ ଆସୁଥିବାବେଳେ ବାଟରେ କିରେଇ ନିକଟରେ ଅଟକାଇଥିଲେ ବିଧାୟିକା କୁସୁମ ଟେଟେ। ରାସ୍ତାକଡ଼ ଜବରଦସ୍ତପଡ଼ାର ଦୁର୍ଦ୍ଦଶା କଥା କହିଥିଲେ। ଏହା ପରେ ରାଜ୍ୟପାଳ ଶ୍ରୀ ଦାସ ପ୍ରୋଟୋକଲ୍‌ ଭାଙ୍ଗି ଜବରଦସ୍ତପଡ଼ାକୁ ଯାଇ ଲୋକଙ୍କୁ ଭେଟିଥିଲେ। ପ୍ରାୟ ୨ ଶହ ମିଟର ଚାଲି ଚାଲି ପଡ଼ାର ସମସ୍ୟା ଦେଖିବା ସହ ଲୋକଙ୍କ ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ରାଜ୍ୟପାଳଙ୍କୁ ପାଖରେ ପାଇ ଲୋକେ ବି ଗୋଟି ଗୋଟି କରି ସେମାନଙ୍କ ସମସ୍ୟା ଜଣାଇଥିଲେ।

Advertisment

ଏପରିକି ବିଦ୍ୟୁତ ସୁବିଧା ନଥିବାରୁ ପଡ଼ା ଅନ୍ଧାରରେ ବୁଡ଼ି ରହିଥିବାରୁ ଲୋକେ ଟର୍ଚ୍ଚ ଆଲୁଅରେ ରାଜ୍ୟପାଳଙ୍କୁ ରାସ୍ତାର ଶୋଚନୀୟ ଅବସ୍ଥା, ଶୌଚ ଓ ପାନୀୟ ଜଳ ପାଇଁ ଥିବା ଏକମାତ୍ର ପୋଖରୀକୁ ଦେଖାଇଥିଲେ। ପଡ଼ାରେ ରହୁଥିବା ୫୦ରୁ ଊର୍ଦ୍ଧ୍ବ ପରିବାର ପାଖକୁ କୌଣସି ମୌଳିକ ସୁବିଧା ପହଞ୍ଚି ନଥିବା ସେମାନେ ଅଭିଯୋଗ କରିଥିଲେ। ବିଶେଷ କରି ପକ୍କା ରାସ୍ତା, ପକ୍କା ଘର ନଥିବାରୁ ବର୍ଷା ଦିନେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟିକା ଶ୍ରୀମତୀ ଟେଟେ ପୌରାଞ୍ଚଳରୁ ମାତ୍ର ୫ କିଲୋମିଟର ମଧ୍ୟରେ ଏପରି ଶୋଚନୀୟ ଅବସ୍ଥାରେ ଥିବା ବସ୍ତି ସମସ୍ୟା ଦୂର ପାଇଁ ପ୍ରଶାସନକୁ ନିର୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ସେଠାରୁ ରାଜ୍ୟପାଳ ସିଧା ସୁନ୍ଦରଗଡ଼ ଆସି ପ୍ରଦିକ୍ଷଣ ଗୃହରେ ଅବସ୍ଥାନ କରିଛନ୍ତି।