ଭୁବନେଶ୍ବର : ମ୍ୟୁକରମାଇକୋସିସ୍ ରୋଗକୁ ଅଧିସୂଚିତ ରୋଗ ବୋଲି ଘୋଷଣା କରିବା ପରେ ଏହାର ଚିକିତ୍ସା ପାଇଁ ରାଜ୍ୟ ସରକାର ଏକ ପ୍ରୋଟୋକଲ୍ ଜାରି କରିଛନ୍ତି। ଏହାରି ଆଧାରରେ ରୋଗୀଙ୍କ ଚିହ୍ନଟ, ଚିକିତ୍ସା ଓ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଗଠନ କରିଥିବା ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ କମିଟି ଏହି ପ୍ରୋଟୋକଲକୁ ସୁପାରିସ କରିଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସନ୍ଧ୍ୟାରେ ଏହାକୁ ଅନୁମୋଦନ ଦେଇଛନ୍ତି। ପ୍ରୋଟୋକଲ୍ ଅନୁଯାୟୀ, ଏପରି ଚିକିତ୍ସା ପାଇଁ ଗୋଟିଏ ବିଶେଷଜ୍ଞ ଡାକ୍ତରୀ ଦଳ ଏକାଠି ହୋଇ କାମ କରିବେ। ଏଥିରେ କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ, ସ୍ନାୟୁ ରୋଗ ବିଶେଷଜ୍ଞ, ଛାତି ରୋଗ ବିଶେଷଜ୍ଞ, ଚର୍ମରୋଗ, ନିଦାନ ଓ ପ୍ଲାଷ୍ଟିକ୍ ସର୍ଜନ ଡାକ୍ତରମାନେ ସାମିଲ ହେବେ। ରୋଗୀ ଚିହ୍ନଟ ହେବା ପରେ ପ୍ରାଥମିକ ସ୍ତରରେ ଆମ୍ଫୋଟେରିସିନ୍-ବି ୫ ମିଲିଗ୍ରାମ ବିଶିଷ୍ଟ ଇଞ୍ଜେକ୍ସନ୍ (ଆଇଭି) ରୋଗୀକୁ ୧୪ରୁ ୨୧ ଦିନ ପର୍ଯ୍ୟନ୍ତ ଦିଆଯିବ। ଏହି ଇଞ୍ଜେକ୍ସନ୍ ରୋଗୀଙ୍କୁ ପୂର୍ଣ୍ଣ ମାତ୍ରାରେ ଦେବା ପୂର୍ବରୁ ପ୍ରଥମେ ସମ୍ପୃକ୍ତ ରୋଗୀ ଉପରେ ପରୀକ୍ଷାମୂଳକ ଡୋଜ୍ ପ୍ରୟୋଗ କରାଯିବ। ଏହାସହିତ ରୋଗୀର ଯତ୍ନ ଓ ଚିକିତ୍ସା ବ୍ୟବସ୍ଥା କିପରି ସୁବ୍ୟବସ୍ଥିତ ଭାବେ କରାଯାଇପାରିବ, ସେ ନେଇ ବିସ୍ତୃତ ଭାବେ ଏହି ପ୍ରୋଟୋକଲ୍ରେ ଉଲ୍ଲେଖ ରହିଛି।
ମୁକାବିଲା ପାଇଁ ଗଠନ ହେଲା କମିଟି
ଭୁବନେଶ୍ବର : ଏମ୍ସରେ ମ୍ୟୁକର ମାଇକୋସିସ ରୋଗର ମୁକାବିଲା ପାଇଁ ସ୍ବତନ୍ତ୍ର କମିଟି ଗଠନ ହୋଇଛି। ମାଇକ୍ରୋ ବାଇଓଲୋଜି ବିଭାଗ ଏଚ୍ଓଡି ବୈଜୟନ୍ତୀମାଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ମେଡିସିନ୍, ଚକ୍ଷୁ, ଇଏନ୍ଟି ବିଭାଗର ସମୁଦାୟ ୮ଜଣ ଡାକ୍ତର ରହିଛନ୍ତି। ମ୍ୟୁକରମାଇକୋସିସ୍ ସନ୍ଦିଗ୍ଧ କେହି ଏମ୍ସକୁ ଆସିଲେ, ପ୍ରଥମେ ଏହା ମ୍ୟୁକରମାଇକୋସିସ୍ କି ନୁହେଁ, ତାହା ଦେଖିବେ। ଏହାପରେ ତାଙ୍କର କିଭଳି ଚିକିତ୍ସା ହେବ, ଏହାକୁ ନେଇ ୮ ଜଣିଆ କମିଟି ତାର ପ୍ଲାନ୍ ଅଫ୍ ଆକ୍ସନ୍ ନେବେ। ସେହି ଅନୁଯାୟୀ ଚିକିତ୍ସା ହେବ।