ଓଡ଼ିଆଙ୍କ ପାଇଁ ଗର୍ବ ଓ ଆନନ୍ଦର ବିଷୟ: ବିଜେଡି

ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ, ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା, ବିଶ୍ବାସକୁ ସୂଚାଉଛି

ଭୁବନେଶ୍ବର: ସିଭୋଟର୍‌ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଆନନ୍ଦର ବିଷୟ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏହା ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ସୂଚାଉଛି। ଦୀର୍ଘ ଦୁଇ ଦଶନ୍ଧି ଧରି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଚାଲିଥିବା ଦ୍ରୁତ ବିକାଶର ଏହା ଫଳାଫଳ ବୋଲି ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି। ଶ୍ରୀ ଦାସବର୍ମା କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ଧରି ଶ୍ରୀ ପଟ୍ଟନାୟକ ସ୍ବଚ୍ଛ ଓ ଦକ୍ଷ ଶାସନ ଦେଇ ଓଡ଼ିଶାକୁ ସଫଳତାର ସହ ବିକାଶର ପଥରେ ନେଇ ଚାଲିଛନ୍ତି। ସେଥି ପାଇଁ ଓଡ଼ିଶାବାସୀ ଲଗାତର ୫ ଥର ତାଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ନିଜର ସରଳ ଜୀବନଯାପନ, ମାନବିକତା, ସ୍ବଚ୍ଛତା, ପ୍ରତିଶ୍ରୁ୍ତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ଶ୍ରୀ ପଟ୍ଟନାୟକ ଜଣେ ରାଜନେତା ଭାବେ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଏଥି ପାଇଁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଫୋରମ୍‌ରେ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ପାଲଟିଛି। ୧୯୯୯ ମହାବାତ୍ୟା ପରେ ଫାଇଲିନ୍, ହୁଡ୍‌ହୁଡ୍‌, ତିତିଲି, ଫନି, ବୁଲ୍‌ବୁଲ୍‌ ଓ ଅମ୍ଫାନ ବିଭିନ୍ନ ସମୟରେ ଓଡ଼ିଶାରେ ତାଣ୍ଡବ ରଚାଇଛନ୍ତି। ବନ୍ୟା, ମରୁଡ଼ି ପରି ବିପର୍ଯ୍ୟୟ ମଧ୍ୟ ବିଭିନ୍ନ ସମୟରେ ହୋଇଛି। ଗତ ବର୍ଷକ ମଧ୍ୟରେ ବାତ୍ୟା ଫନି, ବୁଲ୍‌ବୁଲ୍‌ ଓ ଅମ୍ଫାନ ସମେତ କୋଭିଡ୍‌ ମହାମାରୀ ପରି ବିପର୍ଯ୍ୟୟ ହୋଇଛି। କିନ୍ତୁ ନବୀନ ପଟ୍ଟନାୟକଙ୍କ ଦୃଢ଼‌ ନେତୃତ୍ବ ଯୋଗୁ ଓଡ଼ିଶା ଏହି ଆହ୍ବାନକୁ ସଫଳତାର ସହ ଅତିକ୍ରମ କରିପାରିଛି।

ଶ୍ରୀ ଦାସବର୍ମା ଆହୁରି କହିଛନ୍ତି ଯେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲା ବେଳେ ଓଡ଼ିଶାର ଆର୍ଥିକ ସ୍ଥିତି ଦୁର୍ବଳ ଥିଲା। ରାଜ୍ୟ ଟ୍ରେଜେରି ଖାଲି ରହୁଥିଲା। କିନ୍ତୁ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ଆର୍ଥିକ ସ୍ଥିତିରେ ଆକାଶଛୁଆଁ ପରିବର୍ତ୍ତନ ଆସିଛି। ଶ୍ରୀ ପଟ୍ଟନାୟକ ଓଡ଼ିଶାରୁ ହିଁ ସମ୍ବଳ ସୃଷ୍ଟି କରି ନିଜସ୍ବ ପାଣ୍ଠିରୁ ‌େଲାକଙ୍କୁ ଖାଦ୍ୟ ନିରାପତ୍ତା, ସାମାଜିକ ସୁରକ୍ଷା, ବାସଗୃହ ନିରାପତ୍ତା ଓ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ପାରିଛନ୍ତି। ସେହିପରି ମହିଳାଙ୍କ ପାଇଁ ମମତା, ମିସନ ଶକ୍ତି, ଚାଷୀଙ୍କ ପାଇଁ କାଳିଆ ଯୋଜନା କରିବା ସହ ଶିଳ୍ପାୟନ ପାଇଁ ମେକ୍ ଇନ୍ ଓଡ଼ିଶା ଆୟୋଜନ କରିଛନ୍ତି। ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ପ୍ରଶାସନିକ ବ୍ୟବସ୍ଥାରେ ବିପ୍ଳବ ଆଣିପାରିଛି। ଏହି ବ୍ୟବସ୍ଥା ମାଧ୍ୟମରେ ସରକାରଙ୍କୁ ସିଧାସଳଖ ହିତାଧିକାରୀଙ୍କ ସହ ଯୋଡ଼ାଯାଇପାରିଛି ଓ ନାଗରିକମାନେ ନିଜର ଅଧିକାର ନେଇ ଅଧିକ ଶକ୍ତ ହୋଇଛନ୍ତି। ନିଜର ଉତ୍ସର୍ଗୀକୃତ ମନୋଭାବ, ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ସେ ପ୍ରଶାସନିକ ଓ ରାଜନୈତିକ ନେତୃତ୍ବର ଏକ ବିରଳ କୀର୍ତ୍ତିମାନ ପ୍ରତିଷ୍ଠା କରିପାରିଛନ୍ତି। ସିଭୋଟର୍‌ ସର୍ଭେରେ ରାଜ୍ୟର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀ କରାଇଥିବାରୁ ଶ୍ରୀ ଦାସବର୍ମା ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର