ଭୁବନେଶ୍ବର: ନ୍ୟୁୟର୍କରୁ ସାରା ଦୁନିଆ ଦେଖିଲା ପେଡ୍ ପିରିୟଡ଼ ଲିଭ ଉପରେ ବିଶ୍ବର ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର । ଜାତିସଂଘର ଚର୍ଚ୍ଚ ସେଣ୍ଟରରେ ପ୍ରଦର୍ଶିତ ଓଡ଼ିଆ ସିନେମା । ‘ପେଡ୍ ପିରିୟଡ଼ ଲିଭ’ ନେଇ ନିର୍ମିତ ହୋଇଥିବା ଏହି ସିନେମା ନ୍ୟୁୟର୍କରେ ପ୍ରଦର୍ଶିତ ହୋଇଥିବା ବେଳେ ସମସ୍ତଙ୍କ ମନମୋହିଛି ଏବଂ ପ୍ରଶଂସା ସାଉଁଟିଛି । ନାରୀଟିଏ ପ୍ରତିମାସ ଯୁଝି ହେଉଥିବା ଋତୁସ୍ରାବକାଳୀନ ଯନ୍ତ୍ରଣା ଏବଂ ସେହି ସମୟରେ କାର୍ଯ୍ଯରତ ମହିଳାଙ୍କ ପାଇଁ ବେତନ ଉପରେ ଉଠୁଥିବା ସମସ୍ୟାକୁ ନେଇ ଡକ୍ୟୁମେଣ୍ଟାରୀ ସିନେମା ନିର୍ମିତ ହୋଇଥିବା ବେଳେ ଏହା ବିଶ୍ବର ପ୍ରଥମ ପେଡ୍ ପିରିୟଡ଼ ଲିଭ ପ୍ରାମାଣିକ ଚଳଚ୍ଚିତ୍ର ବୋଲି କୁହାଯାଉଛି । ଯାହାର ପୂରା ଟିମ୍ ଓଡିଶାର ଏବଂ ଏହା ଓଡିଆମାନଙ୍କ ଦ୍ବାରା ପ୍ରସ୍ତୁତ । ଯଦିଓ ସିନେମାର ଡବିଂ ହିନ୍ଦୀ ଏବଂ ଇଂରାଜୀରେ ହୋଇଛି ମାତ୍ର ସିନେମାଟି ସମ୍ବଲପୁରର ସାମାଜିକକର୍ମୀ ରଞ୍ଜିତା ପ୍ରିୟଦର୍ଶିନୀଙ୍କ ସଂଘର୍ଷ ଏବଂ ସେ ପେଡ୍ ପିରିୟଡ ଲିଭ ନେଇ କରୁଥିବା ଲଢେଇ ଉପରେ ପର୍ଯ୍ଯବେସିତ ।
‘Paid Period Leave — A Right, Not a Favor’ ନାମକ ଏହି ଫିଲ୍ମଟି ସମସ୍ତଙ୍କ ମନ ଜିଣିଥିବା ବେଳେ ପ୍ରଦୀପ କୁମାର ନାୟକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ରଞ୍ଜନ କୁମାର ଦାଶ, ଜଗମୋହନ ତ୍ରିପାଠୀ ଓ ଅଂଶୁମାନ ନାୟକ ପ୍ରଯୋଜନା ଭାର ସମ୍ଭାଳିଛନ୍ତି । କ୍ରିଏଟିଭ ଡିରେକ୍ଟର ଭାବେ ଆଶିଷ କୁମାର ନାୟକ କାମ କରିଥିବା ବେଳେ ରଞ୍ଜିତା ପ୍ରିୟଦର୍ଶିନୀ ଏହି ପ୍ରାମାଣିତ ଚଳଚ୍ଚିତ୍ରରେ ମୁଖ୍ଯ ଭୂମିକାରେ ନଜର ଆସି ନାରୀ ଭୋଗୁଥିବା ସମସ୍ୟାକୁ ପରିସ୍ଫୁଟନ କରିଛନ୍ତି ।
ତେବେ ଜୁନରୁ ଏହି ଚଳଚ୍ଚିତ୍ରଟି ସୁଟିଂ ହୋଇଥିବା ବେଳେ ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଭଳି ଜାଗାରେ ଏହାର ସୁଟିଂ ହୋଇଛି । ମୋଟ ୩୩ ମିନିଟର କାହାଣୀରେ ପେଡ୍ ପିରିୟଡ ଲିଭ ଉପରେ ଦେଖାଯାଇଛି । ସମ୍ବଲପୁରର ରଞ୍ଜିତା ପ୍ରିଦର୍ଶିନୀଙ୍କ କାହାଣୀ ଏବଂ ତାଙ୍କ ମହାନ ଅଭିଯାନ ଉପରେ ସିନେମାରେ ଗୁରୁତ୍ବ ଦିଆଯାଇଛି । ସେପଟେ ବିଶ୍ୱବିଖ୍ୟାତ ସେଫ୍ ବିକାସ ଖାନ୍ନା ଓ ଆମେରିକୀୟ ଅଭିନେତ୍ରୀ-ଲେଖିକା ରେନେ କ୍ନୋର୍ ସିନେମାର ପୋଷ୍ଟରକୁ ଲଞ୍ଚ କରିଥିଲେ । ଏବଂ ସିନେମାକୁ ପ୍ରଶଂସା କରିଥିଲେ ।
ସିନେମାରେ କଣ ଅଛି ?
ଡକ୍ୟୁମେଣ୍ଟାରି ସିନେମାରେ ଦେଖାଯାଇଛି ରଞ୍ଜିତା ପ୍ରିୟଦର୍ଶିନୀଙ୍କ ପ୍ରେରଣାଦାୟୀ ଯାତ୍ରା ଏବଂ ତାଙ୍କ ସଂଘର୍ଷମୟ ଲଢେଇର କାହାଣୀ । ‘ପେଡ୍ ପିରିଅଡ୍ ଲିଭ୍’କୁ ନେଇ ତାଙ୍କର ନିରନ୍ତର ପ୍ରୟାସ କେମିତି ଗ୍ରାମାଞ୍ଚଳରୁ ନାରୀଙ୍କୁ ସଚେତନ କରୁଛି ଏବଂ କାର୍ଯ୍ଯକ୍ଷେତ୍ରରେ କେମିତି ମହିଳାଙ୍କୁ ଛୁଟିରେ ବି ବେତନ ମିଳିବ ସେଥିପାଇଁ ସ୍ବର ତୀବ୍ର ହୋଇଛି । ତାଙ୍କ ଆନ୍ଦୋଳନ ଓଡ଼ିଶାକୁ ପ୍ରଥମେ ‘ପେଡ୍ ପିରିଅଡ୍ ଲିଭ୍’କାର୍ଯ୍ଯକାରୀ କରିବାରେ ପ୍ରେରିତ କଲା ଏବଂ କର୍ଣ୍ଣାଟକ, ରାଜସ୍ଥାନ, ବିହାର ଭଳି ରାଜ୍ୟମାନଙ୍କୁ ସୁଧାର ଦିଗରେ ଆଗେଇବାକୁ ପ୍ରେରଣା ଦେଲା, ତାହା ଦର୍ଶାଯାଇଛି ।
ପେଡ୍ ପିରିଅଡ୍ ଲିଭ୍ – ଏ ରାଇଟ୍, ନଟ୍ ଏ ଫେଭର୍… କେବଳ ଏକ ଫିଲ୍ମ ନୁହେଁ—ଏହା ଏକ ଆନ୍ଦୋଳନ। ଏହା ଦେଖାଏ କିପରି ରଞ୍ଜିତାଙ୍କ ଧୃଢ଼ତା ଏକ ବ୍ୟକ୍ତିଗତ ସଂଘର୍ଷକୁ ଅନ୍ତର୍ଜାତୀୟ ଅଭିଯାନରେ ପରିଣତ କଲା, ଯାହା କାର୍ଯ୍ୟସ୍ଥଳ ନ୍ୟାୟ ଏବଂ ଲିଙ୍ଗ ସମାନତାର କେନ୍ଦ୍ରରେ ମାସିକ ମର୍ଯ୍ୟାଦାକୁ ରଖିଛି।