ଜୟପୁର: ମିଛ ମାମଲାରେ ଦେଢ଼ ବର୍ଷ ଜେଲ୍ ଦଣ୍ଡ ଭୋଗିଲେ ଦୁଇ ଓଡ଼ିଆ ଯୁବକ। ତାହା ପୁଣି ମାଓବାଦୀଙ୍କୁ ଗୋଳା, ବାରୁଦ ଓ ବିସ୍ଫୋରକ ଯୋଗାଇବା ଭଳି ସଙ୍ଗୀନ ମାମଲାରେ। ପୁଲିସ୍ ପ୍ରମାଣ ଦେଇନପାରିବାରୁ ଦୁଇ ଯୁବକଙ୍କୁ ୮ ବର୍ଷ ପରେ ନିର୍ଦ୍ଦୋଷ ପ୍ରମାଣିତ କରିଛି ଛତିଶଗଡ଼ର ଜଗଦଲପୁର କୋର୍ଟ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଜାମୁଣ୍ଡା ପଞ୍ଚାୟତ ତେଲିଆ ଗ୍ରାମର ନିରଞ୍ଜନ ଦାଶ ଓ ଜୟପୁର ଗୌଡ଼ ସାହିର ଦୁର୍ଯ୍ୟୋତି ମହାଙ୍କୁଡ଼ଙ୍କୁ ୨୦୧୬ ଜୁଲାଇ ୨୮ ତାରିଖରେ ଛତିଶଗଡ଼ ପୁଲିସ୍ ଉଠାଇ ନେଇଥିଲା। କୋଟପାଡ଼ ଥାନା ନୂଆଗାଁରୁ ନିରଞ୍ଜନ ଓ ଦୁର୍ଯ୍ୟୋତିଙ୍କୁ ପୁଲିସ୍ ଉଠାଇବା ପରେ ସେମାନଙ୍କୁ କେହି ଅପହରଣ କରି ନେଉଥିବା ପରିବାର ଲୋକଙ୍କୁ ଫୋନ୍ ଯୋଗେ ଅବଗତ କରିଥିଲେ। ପରିବାର ଲୋକ ଏ ସମ୍ପର୍କରେ କୋଟପାଡ଼ ଥାନାରେ ଅଭିଯୋଗ କରିଥିଲେ। କୋଟପାଡ଼ ପୁଲିସ୍ ରାସ୍ତା ବ୍ଲକିଂ କରି ଛତିଶଗଡ଼ ପୁଲିସର ବୋଲେରୋକୁ ଅଟକାଇଥିଲା।

Advertisment

କିନ୍ତୁ ପୁଲିସ୍ ବିଭାଗର ଉପରିସ୍ଥ ଅଧିକାରୀଙ୍କ ଫୋନ୍ ପରେ କୋଟପାଡ଼ ପୁଲିସ ଗାଡ଼ି ଛାଡ଼ି ଦେଇଥିଲେ। ଛତିଶଗଡ଼ ପୁଲିସ୍ ନିରଞ୍ଜନ ଓ ଦୁର୍ଯ୍ୟୋତିଙ୍କୁ ଗୋଟିଏ ଜଙ୍ଗଲ ମଧ୍ୟକୁ ନେଇ ସେଠାରେ ଉଭୟଙ୍କ ଠାରୁ ୫୦ ବଣ୍ଡଲ ଡିଟୋନିଟୋର ଜବତ କରିଥିବା ଦର୍ଶାଇ କୋର୍ଟ ଚାଲାଣ କରିଥିଲା। ଯାହାକୁ ନେଇ ନିରଞ୍ଜନଙ୍କ ପରିବାର କୋଟପାଡ଼ ଥାନାରେ ଏତଲା ଦେବା ସହ କୋଟପାଡ଼ ଜେଏମ୍‌ଏଫ୍‌ସି କୋର୍ଟରେ ଆପତ୍ତି ଅଭିଯୋଗ ମାମଲା ରୁଜୁ କରିଥିଲେ। ତଥାପି ୫୩୩ ଦିନ (ଦେଢ଼ବର୍ଷ) ନିରଞ୍ଜନ ଓ ଦୁର୍ଯ୍ୟୋତିକୁ ଜାମିନ୍ ମିଳିନଥିଲା। ଉଭୟ ବିଳାସପୁର ହାଇକୋର୍ଟରେ ଦ୍ବାରସ୍ଥ ହେବା ପରେ ଓଡ଼ିଶା ପୁଲିସ ଓ ସରକାରଙ୍କଠାରୁ ସୂଚନା ସଂଗ୍ରହ କରିବାକୁ ଅନୁରୋଧ କରିଥିଲେ। ବିଳାସପୁର ହାଇକୋର୍ଟ ଓଡ଼ିଶା ସରକାର ଓ କୋଟପାଡ଼ ପୁଲିସଠାରୁ ସୂଚନା ସଂଗ୍ରହ କରିବା ପରେ ଉଭୟଙ୍କୁ ୨୦୧୮ ଜାନୁଆରି ୧୨ରେ ଜାମିନ ମିଳିଥିଲା। ଏହା ପରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ସାକ୍ଷ୍ୟ ପ୍ରମାଣ ଅଭାବରୁ ଜଗଦଲପୁର କୋର୍ଟ ଉଭୟଙ୍କୁ ନିର୍ଦ୍ଦୋଷ ବୋଲି ରାୟରେ ଉଲ୍ଲେଖ କରିଛି। ମାଓ ଦମନ ନାଁରେ ରାଜ୍ୟ ସରକାରଙ୍କୁ ଖୁସି କରିବା ପାଇଁ ପୁଲିସ୍ ନି‌ର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।