ବୁର୍ଲା: କୋଭିଡ୍ ମହାମାରୀ ସମୟରେ ଯେଉଁ ଟିକା ଦେଶର କୋଟି କୋଟି ଲୋକଙ୍କ ପାଇଁ ସଞ୍ଜିବନୀ ସାଜିଥିଲା, ସେହି ‘କୋଭିସିଲ୍ଡ’ର ରୋଗ ପ୍ରତିରୋଧକ ଶକ୍ତି ବାସ୍ତବିକ କେତେ, ସେ ସମ୍ପର୍କରେ ବୁର୍ଲା ଭିମସାରରେ ଏକ ୭ ଜଣିଆ ଡାକ୍ତରୀ ଦଳ ଅନୁସନ୍ଧାନ କରି ବେଶ୍ ସକରାତ୍ମକ ଫଳାଫଳ ପାଇଥିବା ଜଣାପଡ଼ିଛି।

Advertisment

ଟିମ୍ ପକ୍ଷରୁ କୋଭିଡ୍ ସମୟରେ ସମ୍ମୁଖ ଯୋଦ୍ଧା ଭାବରେ ଗଣାଯାଉଥିବା ୧୩୨ଜଣ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ନର୍ସିଂ ଷ୍ଟାଫ୍ (ପୁରୁଷ/ମହିଳା)ଙ୍କ ଉପରେ ପରୀକ୍ଷାନିରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ମହିଳା, ଯେଉଁମାନଙ୍କ ବୟସ ଥିଲା ହାରାହାରି ୩୫ ବର୍ଷ । ସମ୍ପୃକ୍ତ ୧୩୨ ଜଣ ଦ୍ବିତୀୟ ଡୋଜ୍ ନେବାର ଅତି କମ୍‌ରେ ୬ ମାସ ମଧ୍ୟରେ ବୁଷ୍ଟର୍‌ ଡୋଜ୍ ନେଇଥିଲେ। ବୁଷ୍ଟର୍‌ ଡୋଜ୍ ପୂର୍ବରୁ ଏବଂ ପରେ ସେମାନଙ୍କ ଶରୀରର ଆଣ୍ଟିବଡି ସ୍ତର ମପାଯାଇଥିଲା। ବୁଷ୍ଟର୍‌ ଡୋଜ୍ ପରେ ଆଣ୍ଟିବଡି ସ୍ତର ହାରାହାରି ୩୦% ବୃଦ୍ଧି ପାଇଥିବା ଫଳାଫଳ ଦର୍ଶାଇଥିଲା। ପରୀକ୍ଷାରୁ ଏହା ମଧ୍ୟ ଜଣାପଡ଼ିଛି, ସମ୍ପୃକ୍ତ ୧୩୨ ଜଣଙ୍କ ମଧ୍ୟରୁ ଯେଉଁମାନଙ୍କର ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର୍‌ ଡୋଜ୍ ମଧ୍ୟରେ ବ୍ୟବଧାନ ଅଧିକ ଥିଲା, ସେମାନଙ୍କ ଶରୀରରେ ଆଣ୍ଟିବଡି ସ୍ତର ଅଧିକ ରହିଥିଲା।

ତେବେ ଯାହା ଚମକାଇ ଦେବାପରି, ତାହା ହେଲା ସେମାନଙ୍କ ଭିତରୁ ୩୮ ଜଣଙ୍କର ବୁଷ୍ଟର୍‌ ଡୋଜ୍ ନେବାପୂର୍ବରୁ ଆଣ୍ଟିବଡି ସ୍ତର ଖୁବ୍ ନଗଣ୍ୟ ଥିଲା। ଯାହା ନିୟମିତ ବ୍ୟବଧାନରେ ବୁଷ୍ଟର୍‌ ଡୋଜ୍ ଆବଶ୍ୟକତାକୁ ସୂଚାଉଥିଲା। ତେବେ ବୁଷ୍ଟର୍‌ ଡୋଜ୍ ନେବାପରେ ସ୍ଥିତିରେ ଦ୍ରୁତ ସୁଧାର ଆସିଥିଲା। ଫଳରେ ଏହା ପ୍ରମାଣିତ ହୋଇଛି ଯେ କୋଭିଡ୍-୧୯ ମହାମାରୀର ଯେ କୌଣସି ନୂତନ ତରଙ୍ଗ ପାଇଁ କୋଭିସିଲ୍ଡର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିସିଲ୍ଡର ବୁଷ୍ଟର୍‌ ଡୋଜ୍ ଶରୀରର ଆଣ୍ଟିବଡି ସ୍ତରକୁ ବଢ଼ାଇବାରେ ସହାୟକ ହେବା ସହିତ ଜୀବାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହେଉଛି ବୋଲି ଅନୁସନ୍ଧାନରୁ ଡାକ୍ତରୀ ଟିମ୍ ନିଷ୍କର୍ଷରେ ପହଞ୍ଚିଛନ୍ତି। ସମ୍ପୃକ୍ତ ୭ ଜଣିଆ ଡାକ୍ତରୀ ଦଳରେ କମ୍ୟୁନିଟି ମେଡିସିନ ବିଭାଗର ଆସୋସିଏଟ୍ ପ୍ରଫେସର ସୁବ୍ରତ ପ୍ରଧାନ, ଆସିଷ୍ଟାଣ୍ଟ ପ୍ରଫେସର ସଂଜୀବ ମିଶ୍ର, ଡା. ତୃପ୍ତି ମେହେର, ଡା. ଐଶ୍ୱର୍ଯ୍ୟା ପଣ୍ଡା, ଶିଶୁରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ସୁବାସ ମାଝୀ ଓ ନିଶ୍ଚେତକ ବିଭାଗର ଡା. ସ୍ମୃତି ମୁଣ୍ଡ ସାମିଲ ଥିଲେ। ଗତ ସେପ୍‌ଟେମ୍ବର ୨୬ ତାରିଖ ଦିନ ଉକ୍ତ ରିପୋର୍ଟର ସମୀକ୍ଷା କରାଯାଇ ଗତ ୨ ତାରିଖ ଦିନ ସାର୍ବଜନୀନ କରାଯାଇଛି।