ସମ୍ବଲପୁର : ମହିଳା ବିଡ଼ି ଶ୍ରମିକମାନଙ୍କୁ କୌଣସି ସୁସ୍ଥ, ପ୍ରଗତିଶୀଳ ବିକଳ୍ପ ଜୀବିକା ପନ୍ଥା ସୁନିଶ୍ଚିତ କରିବାକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ନାଗରିକ ସମାଜ, ଡାକ୍ତର ଓ ବିଶେଷଜ୍ଞଙ୍କ ସହ ବିଡି ଶ୍ରମିକ ସଂଘର ନେତା ଏବଂ ବିଡ଼ି ଶ୍ରମିକ। ନିକଟସ୍ଥ ରେଙ୍ଗାଲୀଠାରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଏ ପ୍ରସଙ୍ଗରେ ବ୍ୟାପକ ଆଲୋକପାତ କରାଯାଇଛି। ଏହି ବିଡି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ କିମ୍ବା କ୍ଷୁଦ୍ରଚାଷୀ ପରିବାରର। ଅନେକଙ୍କ ପାଇଁ ବିଡି ଶିଳ୍ପ ବଞ୍ଚିବାର ଏକମାତ୍ର ରାହା। ସେମାନେ ଅତ୍ୟଧିକ ବିପଜ୍ଜନକ ପରିବେଶରେ ତମାଖୁ ଧୂଳି ଓ ବାଷ୍ପକୁ ବରଦାସ୍ତ କରି କାର୍ଯ୍ୟ କରନ୍ତି। ସେମାନଙ୍କୁ କୌଣସି ସୁରକ୍ଷାତ୍ମକ ସୁବିଧା ମିଳିନଥାଏ। ବରଂ ଅତି କମ୍ ପାରିଶ୍ରମିକ ପାଇଥାଆନ୍ତି।

Advertisment

publive-image

ପିଲାମାନଙ୍କ ସମେତ ସମଗ୍ର ପରିବାର ବଞ୍ଚିବା ପାଇଁ ବିଡି ବଳିବାରେ ନିୟୋଜିତ ହୋଇଥାଆନ୍ତି। ସବୁ ବୟସର ବିଡି ଶ୍ରମିକମାନେ ଶ୍ୱାସକ୍ରିୟାରେ ଅସୁବିଧା ଭୋଗିଥାଆନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯକ୍ଷ୍ମା, କ୍ରନିକ୍ ବ୍ରୋଙ୍କାଇଟିସ୍, ଆଜ୍‌ମା ଇତ୍ୟାଦିରେ ପୀଡ଼ିତ। ସେମାନଙ୍କର ଦରିଦ୍ରତା, ବିଶ୍ରାମର ଅଭାବ, ଅସୀମିତ କାର୍ଯ୍ୟ ସମୟ, ଖରାପ ଖାଦ୍ୟ ଅଭ୍ୟାସ ସେମାନଙ୍କୁ ରୋଗରେ ଆକ୍ରାନ୍ତ କରିଥାଏ। ଘଣ୍ଟା ଘଣ୍ଟା ଧରି କାମ କରୁଥିବା ପିଲାମାନେ କୌଣସି ବିଦ୍ୟାଳୟରେ ନାମ ଲେଖାଇପାରନ୍ତିନି। ବରଂ ପିଠି ଯନ୍ତ୍ରଣା, ଆଣ୍ଠୁଗଣ୍ଠି ବ୍ୟଥା, ମୁଣ୍ଡବୁଲା, ଆଖିରେ ଜ୍ୱଳନ ଓ ଗଳାରେ କଷ୍ଟ ଅନୁଭବ କରନ୍ତି। ଦୀର୍ଘ କାଳ ଧରି କ୍ରୋନିକ୍‌ ବ୍ରୋଙ୍କାଇଟିସ୍, ଆଜମା ଓ ଯକ୍ଷ୍ମା ରୋଗ ବି ଭୋଗିଥାଆନ୍ତି।

ନାଗରିକ ସମାଜ ସଂଗଠନ ‘ରୋଡ୍‌’ର  ଧନେଶ୍ୱରୀ ବେହେରା କହିଛନ୍ତି ଯେ ବିଡିଶ୍ରମିକମାନଙ୍କ ଦୁଃଖ କେଉଁଠି ବି ଭିନ୍ନ ନୁହେଁ। ସାରା ରାଜ୍ୟର ସବୁ ଜିଲ୍ଲାରେ ସେମାନଙ୍କ ଦୁଃଖ ସମାନ। ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ  ଗୋଲାପୀ ଷଣ୍ଢ କହନ୍ତି, “ବିଡି ବଣ୍ଡଲଗୁଡିକର କଣ୍ଣ ପୂରଣ କରିବା ପାଇଁ ଆମେ ବହୁତ ଘଣ୍ଟା କାମ କରିଥାଉ। ତେଣୁ କ୍ରମାଗତ ଭାବରେ ନିଃଶ୍ୱାସ ପ୍ରଶ୍ୱାସରେ ଏବଂ ପିଠିରେ ଯନ୍ତ୍ରଣା ଭୋଗିଥାଉ। ବଡ ବଡ଼ ପ୍ରତିଶ୍ରୁତି ଦିଆଯାଉଛି, କିନ୍ତୁ ଫାଇଦା ଅଳ୍ପ ମିଳୁଛି ଅବା ମୋଟେ ମିଳୁ ନାହିଁ। ଆମେ କେବଳ ଆଶା କରୁଛୁ ଏହି ସମସ୍ୟା ଆମର ପରବର୍ତ୍ତୀ ପିଢ଼଼ି ପର୍ଯ୍ୟନ୍ତ ନଯାଉ।’’

ବିଡି ଟ୍ରେଡ ୟୁନିଅନ ନେତା  ମିତ୍ରଭାନୁ ପୋଢ଼ କହିଲେ ଯେ ଏହି ଅସହାୟ ମହିଳା ବିଡ଼ିଶ୍ରମିକମାନେ କ୍ଷୁଦ୍ରଚାଷୀ ବା ଭୂମିହୀନ ପରିବାରର। ଏମାନେ ମୁଖ୍ୟତଃ ନିରକ୍ଷର ହୋଇଥିବା ବେଳେ ଏମାନଙ୍କୁ ବିବିଧ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ କରିବାର ଘୋର ଆବଶ୍ୟକତା ରହିଛି। ଚାଲିଥିବା ସରକାରୀ ଯୋଜନା ଓ ଅନ୍ୟାନ୍ୟ ସୁବିଧା କେବେ ବି ଅସଂଗଠିତ ବିଡି ଶ୍ରମିକଙ୍କ ନିକଟରେ ପହଞ୍ଚେ ନାହିଁ ଏବଂ ସେମାନଙ୍କ ମଧ୍ୟରୁ ୬୦ ବା ୭୦ ଶତକଡ଼ାରୁ ବେଶି ଅସଂଗଠିତ କ୍ଷେତ୍ରର ଅଟନ୍ତି। ଆଉ ସେଇ ପରିବାରମାନଙ୍କ ଜରିଆାରେ ବିଡ଼ି ବଳିବା ପାଇଁ ଦଲାଲ/ଠିକାଦାର ମାନେ ଠିକା କରିନେଇଛନ୍ତି। ଆଉ ମହିଳା ବିଡ଼ିଶ୍ରମିକମାନଙ୍କ ପ୍ରସ୍ତୁତ ଉତ୍ପାଦକୁ ବିଡ଼ି ଠିକାଦାରମାନେ ନାପସନ୍ଦ କରିବା ସହ ଦେଉଥିବା ପାରିଶ୍ରମିକ ଏତେ ଅଳ୍ପ ଯେ ସେଥିରେ ଗୁଣାତ୍ମକ ମାନର ଜୀବନଯାପନ କଷ୍ଟକର। ଦଲାଲମାନେ ବହୁ ଉତ୍ପାଦକୁ ମାଗଣାରେ ନେଇଯାଇ ତାହାକୁ ବଜାରରେ ବିକନ୍ତି।

ଭିମ୍‌ସାର୍‌-ବୁର୍ଲାର ରୋଗନିଦାନ ବିଭାଗର ସହଯୋଗୀ ପ୍ରାଧ୍ୟାପକ ଡ. ସୁନନ୍ଦା ନାୟକ କହିଲେ ଯେ ଏହି ବିଡିଶ୍ରମିକମାନେ ସାଧାରଣତଃ ସ୍ପଣ୍ଡିଲାଇଟିସ୍, ପିଠି ଯନ୍ତ୍ରଣା ଓ ଶ୍ୱାସକ୍ରିୟା ଜଡ଼ିତରୋଗରେ ପୀଡିତ ହୋଇଥାଆନ୍ତି। ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ଏବଂ ତମାଖୁପତ୍ରର ଆଘ୍ରାଣ ପ୍ରଭାବ ହେତୁ ହୋଇଥାଏ। ଏହି ମହିଳା ଓ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତା ଓ ପୁଷ୍ଟିହୀନତା ବେଶ୍‌ ସାଧାରଣ ଭାବରେ ଦେଖାଯାଏ। ତମାଖୁର ଅଧିକ ସଂସ୍ପର୍ଶରେ ଆସିବା ଏବଂ ମହିଳା ବିଡି ଶ୍ରମିକଙ୍କରଲମ୍ବା କାର୍ଯ୍ୟଭାର ଯୋଗୁ ସେମାନଙ୍କର ପାକସ୍ଥଳୀ ଓ ପ୍ରଜନନ ଜଡ଼ିତ ସମସ୍ୟା ସୃଷ୍ଟି ହେଉଥିବା ଜଣା ପଡିଛି।

publive-image

ସମ୍ବଲପୁରର ଶ୍ରମିକ ନେତା ଭାସ୍କର ପାଣ୍ଡେ ଓଡ଼ିଶାର ବିଡି ଶ୍ରମିକ ମାଆମାନଙ୍କ ପାଇଁ ସହଯୋଗ କରିବାକୁ ଶପଥ କରିଥିଲେ। ଭାରତରେ ବିଡି ଶ୍ରମିକମାନଙ୍କର ନାଗରିକ ସମାଜ ଆନ୍ଦୋଳନର ପରାମର୍ଶଦାତା ତଥା ସର୍ବବୃହତ ‘‘ବିଡି ଶ୍ରମିକ ସଂଘ’’ର ପରାମର୍ଶଦାତା ଅମଳିନ ପଟ୍ଟନାୟକ ଦୋହରାଇଛନ୍ତି ଯେ ଏହି ଅସହାୟ ମହିଳା ବିଡିଶ୍ରମିକମାନଙ୍କ ଜୀବନରେ ପରିବର୍ତ୍ତନ ନିମିତ୍ତ ନାଗରିକ ସମାଜ, ଶ୍ରମିକ ସଂଗଠନ, ସରକାର ଓ ଗଣମାଧ୍ୟମ ଆଦି ସମସ୍ତ ଅଂଶଗ୍ରାହୀଙ୍କ ସମ୍ମିଳିତ ପ୍ରୟାସ ଆବଶ୍ୟକ। ଏହାକୁ ସୁସ୍ଥାୟୀ ରୂପ ଦେବା ପାଇଁ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣକାରୀ ଯୋଜନାଗୁଡିକ ଏହି ବିଡିବଳାଳି ମାଆମାନଙ୍କ କଲ୍ୟାଣ ପାଇଁ ହେବା ପକ୍ଷ ବିସ୍ତାର କରିବା ଜରୁରି ହେଉଛି।