ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କୁ ଆଇସିୟୁ ଶଯ୍ୟା, ଅକ୍ସିଜେନ୍‌ ଶୀଘ୍ର ଯୋଗାଣ କର: ଡବ୍ଲୁଓଡିସି ଅଧ୍ୟକ୍ଷ

କୋଭିଡ ପରିଚାଳନାରେ ଖର୍ଚ୍ଚ ହେବ ପରିଷଦ ଅର୍ଥ

ଭୁବନେଶ୍ବର : କୋଭିଡ ମହାମାରୀର ଦ୍ବିତୀୟ ଲହରୀ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ଆକ୍ରନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ପରିସ୍ଥିତିକୁ ଯଥାଶୀଘ୍ର ବଦଳାଇବାକୁ ପଡ଼ିବ। ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ଜିଲ୍ଲାଓ୍ବାରୀ ସମୀକ୍ଷା କରି ସମ୍ପୃକ୍ତ ପଶ୍ଚିମଓଡ଼ିଶା ଜିଲ୍ଲାମାନଙ୍କର ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍‌ ତ୍ରିପାଠୀ। ଜିଲ୍ଲାମାନଙ୍କରେ କୋଭିଡ ପରିଚାଳନା କାର୍ଯ୍ୟକୁ ଅଧିକ ଶାଣିତ ଓ ତ୍ବାରାନ୍ବିତ କରିବାକୁ ସେ ଗୁରୁତ୍ବ ଦେଇଛନ୍ତି। ଯେଉଁ ଜିଲ୍ଲାର ଡାକ୍ତରଖାନାରେ ଆଇସିୟୁ ଶଯ୍ୟା ନାହିଁ, ଅକ୍ସିଜେନ୍‌ ସୁବିଧା ନାହିଁ ସେସବୁ ତୁରନ୍ତ ଯୋଗାଇବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ଶ୍ରୀ ତ୍ରିପାଠୀ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିକାଶ ପରିଷଦ ଆର୍ଥିକ ଅନୁଦାନ ଯୋଗାଇଦେବ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ୧୦ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲା ପାଇଁ ପ୍ରତ୍ୟେକ ୩ କୋଟି ଟଙ୍କା ଦିଆଯିବ। ଲୋକସଂଖ୍ୟା ଏବଂ ଆକାର ଦୃଷ୍ଟିରୁ ବୌଦ୍ଧ, ଦେବଗଡ଼ ଓ ସୋନପୁର ଜିଲ୍ଲାକୁ ୧ କୋଟି ଲେଖାଏଁ ଟଙ୍କା ଯୋଗାଇ ଦିଆଯିବ। ଏହି ଅର୍ଥ ବିନିଯୋଗରେ ଜରୁରୀକାଳୀନ ସେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟତଃ ଏହି ଟଙ୍କାରେ ଜିଲ୍ଲାରେ ଅଧିକ ଆଇସିୟୁ ଓ ଅକ୍ସିଜେନ୍‌ ଶଯ୍ୟା ପ୍ରତିଷ୍ଠା କରାଯିବ। କୋଭିଡ ପରୀକ୍ଷା ନିମନ୍ତେ ଅଟୋଆନାଲାଇଜର, ସିଆର୍‌ସି, ସିପିସି ଆଦି ଯନ୍ତ୍ରପାତି ଯୋଗାଇ ଦିଆଯିବ। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଆଶାକର୍ମୀମାନଙ୍କୁ ଅକ୍ସିମିଟର ଯୋଗାଣ ଏବଂ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦିରେ ଜେନେରେଟର ବ୍ୟବସ୍ଥା ନିମନ୍ତେ ଉପଯୋଗ କରାଯାଇପାରିବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଷ ପରିଷଦ ଅନ୍ତର୍ଭୁକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର