କୋଭିଡ୍ ପରୀକ୍ଷା ପାଇଁ ଲାଗୁଥିବା ସମୟ, ଦେୟ ସଂପର୍କରେ ତଥ୍ୟ ‌ଦିଅ: ହାଇକୋର୍ଟ

କଟକ: ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଆଜି ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ରାଜ୍ୟରେ ବିଭିନ୍ନ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର କେଉଁ ସ୍ଥାନରେ ସବୁ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ରହିଛି, କେଉଁଠି ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ ହେଉଛି, ଜଣେ ବ୍ୟକ୍ତି ଟେଷ୍ଟ ପାଇଁ କେଉଁ ସ୍ଥାନକୁ କିଭଳି ଭାବେ ଯିବ ସେ ନେଇ ହାଇକୋର୍ଟ ଜାଣିବାକୁ ଚାହଁଥିଲେ। ପ୍ରତି ଜିଲ୍ଲାରେ କେତେ ଆରଟିପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ କିଟ୍ ରହିଛି, ଏପରି କିଟ୍ ଦ୍ବାରା ଟେଷ୍ଟ କରିବା ପାଇଁ କେତେ ସଂଖ୍ୟକ ଆଶା କର୍ମୀ ଓ ପାରାମେଡିକାଲ କର୍ମଚାରୀ ତାଲିମପ୍ରାପ୍ତ ହୋଇଛନ୍ତି, ଗ୍ରାମଞ୍ଚଳରେ ଆରଟିପିସିଆର ଓ ରାପିଡ  ଆଣ୍ଟିଜେନ୍ ଟେଷ୍ଟ ଫଳାଫଳ କେତେ ସମୟରେ ମିଳୁଛି ସେ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି।

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଘରୋଇ ବ୍ୟବସ୍ଥାରେ ଆରଟିପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ  ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରକୃତରେ କେତେ ଟଙ୍କା ଦେବାକୁ ପଡୁଛି ସେ ନେଇ ମଧ୍ୟ ସ୍ପଷ୍ଟ କରିବାକୁ ହାଇକୋର୍ଟ କହିଛନ୍ତି। ପ୍ରାଥମିକ ଭାବେ ଦୁଇଟି ଜିଲ୍ଲା କଳାହାଣ୍ଡି ଓ ନବରଙ୍ଗପୁରକୁ ଏଥି ପାଇଁ ଚୟନ କରିଛନ୍ତି ହାଇକୋର୍ଟ। ଏହି ଦୁଇ ଜିଲ୍ଲାର ଉପରୋକ୍ତ ପ୍ରସଂଗରେ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୀବ ଯୋଶୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁକୁମାର ପାଟଯୋଶୀ ଓ ଆଇନଜୀବୀ ଏସ.କେ.ନନ୍ଦ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର