ଜଟଣୀ: ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ୍‌ କର୍କଟ ରୋଗୀଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସେବା ଯୋଗାଇବା ସହ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ଏହି ରୋଗର ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗକୁ ଆଗେଇଲା। ଏଣିକି ମୁମ୍ବାଇ ଭଳି ବଡ଼ବଡ଼ ସହରରେ ମିଳୁଥିବା କର୍କଟ ରୋଗର ଚିକିତ୍ସା ଭୁବନେଶ୍ବରରେ ଉପଲବ୍‌ଧ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀସ୍ଥିତ ଭୁବନେଶ୍ବର ନାଇଜର କ୍ୟାମ୍ପସ୍‌ରେ ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ୨ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍‌ ୨୦୨୫ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ରୋଗୀମାନେ ମଧ୍ୟ ଏହି ହସ୍ପିଟାଲ୍‌ ଦ୍ବାରା ଉପକୃତ ହୋଇପାରିବେ। ଏହି ହସ୍ପିଟାଲ୍‌କୁ ମୋ’ ବସ୍‌ ଯାତାୟାତ କରିବ ଏବଂ ଏଠାରେ ଅଗ୍ନିଶମ କେନ୍ଦ୍ରର ବ୍ୟବସ୍ଥା କରାଯିବ। ସେହିଭଳି ଏହି ହସ୍ପିଟାଲ୍‌ରେ ରୋଗୀମାନେ ବିଏସ୍‌କେୱାଇ କାର୍ଡ ମାଧ୍ୟମରେ ମାଗଣାରେ ଚିକିତ୍ସା ସେବା ପାଇପାରିବେ। ଏଠାରେ ଏକ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ। ଏହି ମେଡିକାଲ୍‌ରେ ସାଇକ୍ଲୋଟ୍ରୋନ୍‌ ସୁବିଧା ପାଇଁ ରାଜ୍ୟ ସରକାର ୬୫ ଏକର ଜମି ଯୋଗାଇ ଦେବା ସହ ୧୫୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି। ଏହା ଏସିଆର ସବୁଠୁ ଉନ୍ନତ ସାଇକ୍ଲୋଟ୍ରୋନ୍‌ ଗବେଷଣା କେନ୍ଦ୍ର ହେବ। ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରୀକରଣ ପ୍ରକ୍ରିୟା ଚାଲିଛି। ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସ୍ବାସ୍ଥ୍ୟ ଶିକ୍ଷା ଓ ନିୟମିତ ଡାକ୍ତର ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉଛି। ପ୍ରତିବର୍ଷ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସହ ତାଲିମ୍‌ପ୍ରାପ୍ତ ଡାକ୍ତର ମଧ୍ୟ ବାହାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

ସୂଚନାଯୋଗ୍ୟ ଯେ ୨୦୨୨ ସେପ୍ଟେମ୍ବରରେ ମୁମ୍ବାଇର ଟାଟା ମେମୋରିଆଲ୍‌ ସେଣ୍ଟର ସହ ରାଜ୍ୟ ସରକାର ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଏଥିରେ ଜଟଣୀ ନାଇଜର୍‌ ପରିସରରେ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ଚୁକ୍ତିନାମା ହୋଇଥିଲା। ୨୫୦ କୋଟି ଟଙ୍କା ବ୍ୟୟରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ ଏହି ହସ୍ପିଟାଲ୍ ନିର୍ମାଣ କରି ଟାଟା ମେମୋରିଆଲ୍‌ ସେଣ୍ଟର ଓ ଆଟମିକ୍‌ ଏନର୍ଜି ବିଭାଗକୁ ହସ୍ତାନ୍ତର କରିବ। ଆଟମିକ୍‌ ଏନର୍ଜି ବିଭାଗ ୪ଶହ କୋଟିର ଯନ୍ତ୍ରପାତି ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଆଟମିକ୍ ଏନର୍ଜି ବିଭାଗର ସଚିବ ଅଜିତ୍‌ ମହାନ୍ତି, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ, ସିଇଓ ସୌରଭ ରାୟ ଉପସ୍ଥିତ ଥିଲେ। ନାଇଜର୍‌ର ନିର୍ଦ୍ଦେଶକ ହିରେନ୍ଦ୍ର ନାଥ ଘୋଷ ଧନ୍ୟବାଦ ଦେଇଥିଲେ।