ବସ୍ତି ଅଞ୍ଚଳ ବିକାଶ ପାଇଁ ଖର୍ଚ୍ଚ ହେବ ପୌରସଂସ୍ଥାର ୨୫% ଅର୍ଥ
କଂସେଇଖାନା, ବଜାର, ଶଗଡ଼ଗାଡ଼ି ରହଣି ସ୍ଥଳ ଫି ଉଚ୍ଛେଦ
ଏମ୍ଏସ୍ଏମ୍ଇ ଓ ବୃହତ ଶିଳ୍ପକୁ ଜିଏସ୍ଟି ପ୍ରୋତ୍ସାହନ ପାଇଁ ନିଷ୍ପତ୍ତି
ଭୁବନେଶ୍ୱର : ଏଣିକି ଗୋଟିଏ ଦିନରେ ମିଳିବ ସହରାଞ୍ଚଳରେ ବ୍ୟବସାୟୀଙ୍କୁ ପ୍ରୋଭିଜନାଲ୍ ଟ୍ରେଡ୍ ଲାଇସେନ୍ସ୍। ଏ ନେଇ ସରକାର ପୂର୍ବରୁ ଘୋଷଣା କରିଥିଲେ ବି ଆଜି ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ବିଧିବଦ୍ଧ ମଞ୍ଜୁରୀ ଦେଇଛି। ଏହାସହିତ ସହରାଞ୍ଚଳରେ ଥିବା ବସ୍ତି ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ସମ୍ପୃକ୍ତ ପୌରସଂସ୍ଥା ପାଣ୍ଠିରୁ ୨୫% ବିନିଯୋଗ ହେବ। ଖାଲିସେତିକି ନୁହେଁ, ସହରାଞ୍ଚଳରେ ଥିବା କଂସେଇଖାନା, ବଜାର ଓ ଶଗଡ଼ଗାଡ଼ି ରହଣି ସ୍ଥଳ ଉପରେ ଆଉ କୌଣସି ଫି କିମ୍ବା ଟିକସ ଆଦାୟ କରାଯିବନି। ୨୦୧୭ ଜୁଲାଇରୁ ରାଜ୍ୟରେ ଜିଏସ୍ଟି ଲାଗୁ ହୋଇଥିଲେ ବି ସଂଶୋଧିତ ୨୦୦୭ ଓ ୨୦୧୫ ଶିଳ୍ପନୀତି ଅନୁଯାୟୀ ଶିଳ୍ପଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ମିଳିନାହିଁ। ରାଜ୍ୟରେ ଜିଏସ୍ଟି ଲାଗୁ ହେବା ପରେ ତାଲିକାଭୁକ୍ତ ହୋଇଥିବା ଏମ୍ଏସ୍ଏମଇ ଓ ବୃହତ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି।
/sambad/media/post_attachments/wp-content/uploads/2020/08/market-1-300x200.jpg)
ନିଷ୍ପତ୍ତି ମୁତାବକ, ସହରାଞ୍ଚଳ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଆବଶ୍ୟକୀୟ ବାର୍ଷିକ ଟ୍ରେଡ୍ ଲାଇସେନ୍ସ୍ ପାଇବାକୁ ବହୁ ଜଟିଳ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିଥାଏ। ଯେଉଁଥିପାଇଁ ସହରାଞ୍ଚଳରେ ଅଧିକାଂଶ ବ୍ୟବସାୟୀ ସେମାନଙ୍କର ଦୋକାନ ଓ ପ୍ରତିଷ୍ଠାନ ଖୋଲିବାକୁ ଆଗ୍ରହ ଦେଖାଉନାହାନ୍ତି। ଫଳରେ ପୌରପାଳିକାର ଆୟ ମଧ୍ୟ କମିଯାଉଛି। ବ୍ୟବସ୍ଥାରେ ଥିବା ଏହି ଜଟିଳତାକୁ ଦୂର କରି ନୂଆ ନିଷ୍ପତ୍ତି ଅନୁଯାୟୀ ଜଣେ ବ୍ୟବସାୟୀ ନୂଆ ଟ୍ରେଡ୍ ଲାଇସେନ୍ସ୍ କିମ୍ବା ପୁରୁଣା ଲାଇସେନ୍ସ୍ର ନବୀକରଣ ପାଇଁ ଯେଉଁଦିନ ଆବେଦନ କରି ଆବଶ୍ୟକ କାଗଜପତ୍ର ଦାଖଲ କରିବେ ସେହିଦିନ ହିଁ ତାଙ୍କୁ ପ୍ରୋଭିଜନାଲ୍ ଲାଇସେନ୍ସ୍ ପ୍ରଦାନ କରାଯିବ। ପରେ ଆବଶ୍ୟକ କାଗଜପତ୍ର ଯାଞ୍ଚ କରି ଓ ପ୍ରୋଭିଜନାଲ୍ ଲାଇସେନ୍ସ୍ ଅବଧି ନ ସରିବା ପୂର୍ବରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ୫ ବର୍ଷ ପାଇଁ ଚୂଡ଼ାନ୍ତ ଲାଇସେନ୍ସ୍ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ରାଜ୍ୟରେ ପ୍ରଶାସନିକ ସଂସ୍କାର ଦିଗରେ ଲାଗୁ ହୋଇଥିବା ୫'ଟି' ବ୍ୟବସ୍ଥାର ଅଂଶବିଶେଷ ବୋଲି ସରକାର କହିଛନ୍ତି।
ସହରାଞ୍ଚଳରେ ଥିବା ଶଗଡ଼ ଗାଡ଼ି ରହଣି ସ୍ଥଳ ଅପ୍ରାସଙ୍ଗିକ ହେଲାଣି। ଏହା ଉପରେ ଲାଗୁଥିବା ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯିବ। ସେହିପରି ବଜାର ଓ କଂସେଇଖାନାଗୁଡ଼ିକ ଉପରେ ଲାଗୁ କର ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏଥିପାଇଁ ୧୯୫୦ ମସିହା ଓଡ଼ିଶା ମୁନିସିପାଲ୍ ଆଇନର ଧାରା ୩୦୯ରୁ ୩୧୨ ଧାରାଗୁଡ଼ିକୁ ଉଚ୍ଛେଦ କରାଯିବ। ଏହାସହିତ ରାଜ୍ୟ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ମୁନିପାଲ ଆଇନର କେତୋଟି ଧାରା ଏବେ ସମୟସହିତ ଅପ୍ରାସଙ୍ଗିକ ହୋଇଯାଇଛି। ଯେପରି ଶଗଡ଼, ଘୋଡ଼ାଗାଡ଼ି ଓ ଅନ୍ୟାନ୍ୟ ପଶୁମାନଙ୍କ ଦ୍ବାରା ଟଣା ଯାଉଥିବା ଗାଡ଼ି ଉପରୁ ମୁନିସିପାଲ୍ ଆଇନରେ ଥିବା ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ପାଇଁ ସରକାର ସ୍ଥିର କରିଛନ୍ତି। ଲୋକଙ୍କ ମୌଳିକ ସୁବିଧାକୁ ଦୃଷ୍ଟିରେ ରଖି ମୁନିସିପାଲ୍ ଆଇନରେ ଆଉ କେତୋଟି ଧାରାରେ ଆବଶ୍ୟକ ସଂଶୋଧନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Slum-1571983769.jpg)