କବାଟବନ୍ଧ: ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲରେ ଅବିଚାରିତ ପାହାଡ଼ ଖନନକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଚାରଗୋଠ ଗ୍ରାମ ସଂଲଗ୍ନ କେଠୌଣି ପାହାଡ଼ ନାମରେ ପରିଚିତ ସାହାଣିଢିହ ପାହାଡ଼ରେ ପିଆରପିଏଲ ନାମକ କମ୍ପାନି ରାଜ ଚଲାଇଛି। ଏହାର ପ୍ରତିବାଦରେ ଧର୍ମଶାଳା ପାହାଡ଼ ପର୍ବତ ସୁରକ୍ଷା ମଞ୍ଚ ପକ୍ଷରୁ ପାହାଡ଼ ଉପରେ ଗଣଧାରଣା ଦିଆଯାଇଛି।
ଚାରଗୋଠ ଗାଁ, ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳା ମନ୍ଦିର, ଭାଗବତ ଟୁଙ୍ଗୀରୁ ମାତ୍ର ୨୦୦ ମିଟର ଦୂରରେ ଏହି ପାହାଡ଼ରେ ବେଆଇନ ୱାଗନ ହୋଲ ବ୍ଲାଷ୍ଟିଂ ହେଉଛି। ଅତି ନିକଟରେ ବିସ୍ଫୋରଣ ହେଉଥିବାରୁ ଗାଁ ଘର ସବୁ ଥରିଉଠୁଛି। ଅନେକ ଘର ଫାଟି ଯାଉଛି। ପାହାଡ଼ ଚାରିପାଖରେ ଥିବା ଚାଷଜମିରେ ପଥରଗୁଣ୍ଡ ପଡ଼ି ଉର୍ବରତା ହରାଉଛି।
ଆଜି ଏହି ପାହାଡ଼ ତଳେ ପ୍ରତିବାଦ ସଭାରେ ସତୀଶ ବିଶ୍ବାଳ ଯୋଗଦେଇ କମ୍ପାନିରାଜ୍କୁ ବିରୋଧ କରିଥିଲେ। ଏହାଦ୍ବାରା ଗାଁ ଲୋକଙ୍କ ଜୀବନଜୀବିକା ବୁଡ଼ିବାକୁ ଯାଉଛି ବୋଲି କହିଥିଲେ। ପାହାଡ଼ ଉପରେ ଗାଁ ଲୋକଙ୍କ କୌଣସି ଅଧିକାର ରହୁନାହିଁ। ଘର ପାଖ ପାହାଡ଼ ଦିନକୁ ଦିନ ଶେଷ ହେଉଛି। ଅଥଚ ସେମାନେ କାମ ପାଉନାହାନ୍ତି। ଏ ଅଞ୍ଚଳର ସବୁ ଛୋଟ କ୍ରସର, କଂପ୍ରେସର, ଗାଡି ମାଲିକଙ୍କୁ ଶେଷ କରି ଦିଆଯାଇଛି। ଧର୍ମଶାଳା ବାହାର ନେତା ଓ ପ୍ରଶାସକଙ୍କ ପାଇଁ ପାହାଡ଼ପର୍ବତ ମାଟିରେ ମିଶିଥିବା ସେ ଅଭିଯୋଗ କରିଛନ୍ତି।
ତହସିଲଦାର ପତ୍ର ସଂଖ୍ୟା-୫୪୯୭ ତା ୧୪.୧୨.୨୨ ରିଖରେ ଦେଇଥିବା ତଦନ୍ତ ରିପୋର୍ଟରେ ଗତ ଜୁନ୍ ୨୩ ରେ ପିଆରପିଏଲ ପରିବେଶ ମଞ୍ଜୁରି ପାଇଁ ଆବେଦନ କରିଥିବାର ଦର୍ଶାଇଛନ୍ତି। ଏହା ପୂର୍ବରୁ ପ୍ରାୟ ୨୦୧୫ ରୁ ଏହି ପାହାଡ଼ରୁ କମ୍ପାନି ପଥର ଲୁଟ୍ କରୁଛି। ଖାଦାନ ଏରିଆର ସୀମା ଚିହ୍ନଟ କରାଯାଇ ନାହିଁ। ଖାଦାନର କୌଣସି ସୂଚନା ଫଳକ ନାହିଁ। ମଉଳାଭଞ୍ଜ ପାହାଡ଼ ଜଙ୍ଗଲ କିମସର। ଖାଦାନ ନିକଟରେ ମଧ୍ୟ ଜଙ୍ଗଲ ବିଭାଗ ନିଜର ସୀମା ଚିହ୍ନଟ କରିଛି। ତେଣୁ ଏହି ପାହାଡ଼କୁ ସୁରକ୍ଷିତ କରାଯାଇ ବୃକ୍ଷରୋପଣ କରିବାକୁ ଦାବି ହୋଇଛି। ଚୋରି ହୋଇଥିବା ପଥର ତଥା ଅତ୍ୟଧିକ ଖନନ ପାଇଁ ତୁରନ୍ତ ଡ୍ରୋନ କ୍ୟାମେରା ସର୍ଭେ କରାଯିବାକୁ ଆବଶ୍ୟକ ହେଲେ କୋର୍ଟର ଆଶ୍ରୟ ନିଆଯିବ ବୋଲି ସତୀଶ ଚେତାବନୀ ଦେଇଛନ୍ତି। ପରେ ଶୋଭାଯାତ୍ରାରେ ପାହାଡ ଉପରକୁ ଯାଇ ନିରବ ପ୍ରତିବାଦ କରି ଗଣଧାରଣା ଦିଆଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ମହିଳା ଓ ସାଧାରଣ ଜନତା ସାମିଲ ହୋଇଥିଲେ।