ଫାଇଲ୍ ଭିତରେ ପିଏସ୍‌ଓ ନିଯୁକ୍ତି ନିୟମ

ସୁପାରିସରେ ଚାଲିଛି ନିଯୁକ୍ତି; ବୟସ, ଶାରୀରିକ ଦକ୍ଷତାକୁ ନଜରଅନ୍ଦାଜ

କଟକ : ରାଜ୍ୟରେ ସରକାରୀ ପିଏସ୍‌ଓ (ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ) ନିଯୁକ୍ତି କ୍ଷେତ୍ରରେ ରହିଥିବା ସବୁ ନିୟମକୁ ଫାଇଲ୍ ଭିତରେ ଫୋପାଡ଼ି ଦିଆଯାଇଛି। ଏ କ୍ଷେତ୍ରରେ ରହିଥିବା କୌଣସି ଗୋଟିଏ ବି ନିୟମ ଠିକ୍‌ରେ ପାଳନ ହେଉ ନଥିବା ଭଳି ଉଦବେଗଜନକ ତଥ୍ୟ ‌ଏବେ ସାମନାକୁ ଆସିଛି। ନବ ଦାସଙ୍କୁ ହତ୍ୟା କରାଯିବା ପରେ ପିଏସ୍‌ଓଙ୍କୁ ନେଇ ଆଲୋଚନା ଜାରି ରହିଥିବା ବେଳେ ନିୟମକୁ କାର୍ଯ୍ୟକାରୀ ନ କରିବା ଉତ୍ତରଦାୟିତ୍ବ କାହାର, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଓଡ଼ିଶା ପୁଲିସ ଗୁଇନ୍ଦା ନିର୍ଦ୍ଦେଶାଳୟର ସୁରକ୍ଷା ଶାଖା(ସିକ୍ୟୁରିଟି ଵିଙ୍ଗ)ର ନିର୍ଦ୍ଦେଶନାମା କହୁଛି ଯେ ଦାୟିତ୍ବରେ ଥିବା ହାବିଲଦାର, ସିପାହୀ କିମ୍ବା କନଷ୍ଟେବଳ ଜନପ୍ରତିନିଧିଙ୍କ ନିକଟରେ ୩ ବର୍ଷ ଡେପୁଟେସନରେ ରହିବେ। ଏହାପରେ ପ୍ରତ୍ୟେକ ବର୍ଷ ଉଭୟ ଶାରୀରିକ, ସ୍ବାସ୍ଥ୍ୟଗତ ଏବଂ ବନ୍ଧୁକ ଚାଳନା ଦକ୍ଷତା ପରୀକ୍ଷାରେ କୃତକାର୍ଯ୍ୟ ହେଲେ କାର୍ଯ୍ୟକାଳ ବୃଦ୍ଧି କରାଯିବ। ନଚେତ୍ ପିଏସଓ ଦାୟିତ୍ବରୁ ସେମାନଙ୍କୁ ବାଦ୍ ଦିଆଯିବ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଗୋଟିଏ ଜାଗାରେ ବର୍ଷ ବର୍ଷ ଧରି ପିଏସଓ କାର୍ଯ୍ୟ କରିବା ସହିତ ସେହିଠାରୁ ଅବସର ନେବାକୁ ବି ବସିଲେଣି।

Odisha-Police

ଓଡ଼ିଶା ପୁଲିସର ନିର୍ଦ୍ଦେଶନାମା (୩୩୭/୨୦୧୩) ଅନୁଯାୟୀ, ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସୁରକ୍ଷା ଶାଖାରେ ପିଏସଓଙ୍କୁ ନିଯୁକ୍ତି ପୂର୍ବରୁ ନିର୍ଦ୍ଦିଷ୍ଟ ନିୟମାବଳୀ ପାଳନ କରାଯିବ। କନଷ୍ଟେବଳ, ହାବିଲଦାର, ସିପାହୀଙ୍କୁ ପିଏସଓ ଭାବେ ଜନପ୍ରତିନିଧିଙ୍କ ସୁରକ୍ଷାରେ ନିୟୋଜିତ ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶାଳୟରେ କାର୍ଯ୍ୟ କରୁଥିବା ଏକ ତିନି ଜଣିଆ କମିଟି ଚୟନ କରିଥାଏ। ଏଥିରେ ଗୁଇନ୍ଦା ଡିଆଇଜି କମିଟିର ଅଧ୍ୟକ୍ଷ, ସିକ୍ୟୁରିଟି ଶାଖାର ଏସ୍‌ପି ଆବାହକ ସଦସ୍ୟ, ଗୁଇନ୍ଦା ନିର୍ଦ୍ଦେଶକଙ୍କ ଦ୍ବାରା ମନୋନୀତ ସ୍ପେଶାଲ ବ୍ରାଞ୍ଚର ଜଣେ ଏସପି ସଦସ୍ୟ ରହିବେ। ପିଏସ୍‌ଓ ଭାବେ କାମ କରିବା ପୂର୍ବରୁ ଏହି ପୁଲିସ କର୍ମଚାରୀ ସାତ ବର୍ଷ କାର୍ଯ୍ୟକାଳ ଶେଷ କରିଥିବା ଆବଶ୍ୟକ। ସେମାନେ ଚାକିରି କାଳରେ କମାଣ୍ଡୋ କୋର୍ସ ତାଲିମ, ଆଣ୍ଟି ଏକ୍ସଟ୍ରିମିଷ୍ଟ ତାଲିମ, କାଉଣ୍ଟର ଇନସର୍ଜେନ୍ସି ତାଲିମ, ପିଏସ୍‌ଓ କୋର୍ସ ତାଲିମ, ଭିଆଇପି ସିକ୍ୟୁରିଟି ତାଲିମ, ଆଇଡି କିମ୍ବା ବୋମା ନିଷ୍କ୍ରିୟ ତାଲିମ ମଧ୍ୟରୁ ଯେକୌଣସି ଗୋଟିଏ ତାଲିମ ନିଶ୍ଚିତ ଭାବେ ନେଇଥିବେ। ଏହି ଯୋଗ୍ୟତା ପୂରଣ କରୁଥିବା ପୁଲିସ କର୍ମଚାରୀଙ୍କ ହାର୍ଟ, ଦୃଷ୍ଟିଶକ୍ତି ତଥା ଅନ୍ୟ ଶାରୀରିକ ସକ୍ଷମତା ପରୀକ୍ଷା କରାଯିବ। ୩ କିଲୋମିଟର ଦୌଡ଼, ଉଠାବସା, ଦଣ୍ଡବୈଠକ, ବନ୍ଧୁକ ଚାଳନା ଭଳି ପରୀକ୍ଷାରେ ସେ ସର୍ବନିମ୍ନ ଯୋଗ୍ୟତା ରଖୁଥିବେ। ସେମାନଙ୍କ ପୂର୍ବ କାର୍ଯ୍ୟଧାରା, ତାଲିମ ରେକର୍ଡ, ସ୍ବାସ୍ଥ୍ୟଗତ ପରୀକ୍ଷା, ଶାରୀରିକ ଦକ୍ଷତା, ଗୁଳି ଚାଳନା ଦକ୍ଷତା ଆଧାରରେ କମିଟି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ନାମ ଗୁଇନ୍ଦା ନିର୍ଦ୍ଦେଶକଙ୍କ ନିକଟକୁ ପଠାଇବ। ଗୁଇନ୍ଦା ନିର୍ଦ୍ଦେଶକ ତାଲିକାକୁ ପୁଲିସ ଡିଜିପିଙ୍କ ନିକଟକୁ ପଠାଇବା ପରେ ଡିଜିପି ପିଏସ୍‌ଓଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ।

ନିଯୁକ୍ତି ମିଳିବା ପରେ ପ୍ରତ୍ୟେକ ବର୍ଷ ପିଏସଓ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଗୁଳିଚାଳନା ପରୀକ୍ଷା କରାଯିବା ବାଧ୍ୟତାମୂଳକ। ଯେଉଁମାନେ ଏଥିରେ କୃତକାର୍ଯ୍ୟ ହେବେନାହିଁ, ସେମାନଙ୍କୁ ତିନି ମାସ ସୁଧାର ପାଇଁ ସମୟ ଦିଆଯିବ। ଏହାପରେ ବି ଯଦି ସୁଧାର ନହେଲା ତେବେ ସୁରକ୍ଷା ଶାଖାରୁ ସେମାନଙ୍କୁ ବାଦ୍ ଦିଆଯିବ। ରାଜ୍ୟରେ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ମନ୍ତ୍ରୀମାନଙ୍କୁ ସର୍ବାଧିକ ଦୁଇଟି ପିଏସଓ ଯୋଗାଇ ଦିଆଯାଉଥିବା ବେଳେ ସେମାନେ ନିଜ ଜିଲ୍ଲାରୁ ବି ଆଉ ଗୋଟିଏ ଲେଖାଏ ପିଏସ୍‌ଓ ଏସପିଙ୍କ ମାଧ୍ୟମରେ ନିୟୋଜିତ କରୁଛନ୍ତି। ମୃତ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ କ୍ଷେତ୍ରରେ ମଧ୍ୟ ସେଭଳି ହୋଇଛି। ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ସୁରକ୍ଷା କର୍ମୀ ମିଳିଥିବା ବେଳେ ଜିଲ୍ଲାରେ ମିତ୍ରଭାନୁ ଦେଓଙ୍କୁ ଦୀର୍ଘ ବର୍ଷ ହେବ ନିଯୁକ୍ତି ମିଳିଥିଲା।
ତଥ୍ୟ ଅନୁଯାୟୀ ପିଏସ୍‌ଓ ନିଯୁକ୍ତି କ୍ଷେତ୍ରରେ ଏସବୁ ନିୟମକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇ କେବଳ ସୁପାରିସକୁ ଗୁରୁତ୍ବ ଦିଆଯାଉଛି। ବୟସ ଓ ଶାରୀରିକ ଦକ୍ଷତାରେ ଉତୁରୁ ନଥିବା ଅନେକ ପୁଲିସ କର୍ମଚାରୀ ଏବେ ରାଜ୍ୟରେ ମନ୍ତ୍ରୀ, ବିଧାୟକଙ୍କ ନିକଟରେ ବର୍ଷ ବର୍ଷ ଧରି ପିଏସଓ ଭାବେ କାର୍ଯ୍ୟ କରୁଛନ୍ତି। ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ପୁଲିସ ଏହି ତ୍ରୁଟି ସୁଧାରରେ କେତେ ସକ୍ଷମ ହେବ, ତାହାକୁ ନେଇ ବି ସନ୍ଦେହ ରହୁଛି।

ସମ୍ବନ୍ଧିତ ଖବର