ଲକଡାଉନ୍ ବେଳେ ଏହି ୧୨ଟି କଥାକୁ ଅନୁସରଣ କରନ୍ତୁ; ପରିସ୍ଥିତିର ମୁକାବିଲା କରିବା ଲାଗି ଶକ୍ତି ମିଳିବ, ମନ ସତେଜ ରହିବ

ଭୁବନେଶ୍ବର: ଲକଡାଉନ୍ ଅବଧି ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏହି ସମୟରେ ଅତ୍ୟାବଶ୍ୟକୀୟ କାମରେ ବାହାରକୁ ବାହାରୁ ନାହାନ୍ତି ଅଧିକାଂଶ ଲୋକ। ଘରେ ପ୍ରାୟ ସମୟ କଟୁଥିବାରୁ ମାନସିକ ସନ୍ତୁଳନ ବ୍ୟାଘାତ ହେବାର ଆଶଙ୍କା ରହିଛି। ତେବେ କିପରି ଭାବେ ଏହି  ସମୟକୁ ଅତିବାହିତ କରିବାକୁ ପଡ଼ିବ ତାହାକୁ ନେଇ ୧୨ଟି ସରଳ ସୂତ୍ର ଦେଇଛନ୍ତି ଇଣ୍ଡିଆନ୍ ସାଇକାଟ୍ରିକ ସୋସାଇଟିର ଓଡ଼ିଶା ପ୍ରଭାଗର ମୁଖ୍ୟ ତଥା ମନୋଚିକିତ୍ସକ ଡାକ୍ତର ଅମ୍ବିତ ପାଟ୍ଟଯୋଷୀ। ଏହି ୧୨ଟି ସୂତ୍ରକୁ ଅନୁସରଣ କଲେ ଲକଡାଉନ୍ ସମୟରେ ମାନସିକ ଅବସାଦର ଶିକାର ହେବାରୁ ବର୍ତ୍ତିପାରିବା ସହ ଆଗକୁ ଆସୁଥିବା ପରିସ୍ଥିତି ସହ ମୁକାବିଲା କରିପାରିବା।

-ପରିସ୍ଥିତିକୁ ସ୍ୱୀକାର କରନ୍ତୁ । ଏହାକୁ ଗ୍ରହଣ କଲେ ଆମକୁ ଶକ୍ତି ମିଳିବ । ଅସ୍ୱୀକାର କଲେ କଷ୍ଟ ମିିଳିବ ।
-ସାହସ ରଖନ୍ତୁ, ଅଶା ରଖନ୍ତୁ । ପ୍ରଶାସନ ଉପରେ ଭରସା ଜଣାନ୍ତୁ ।
-ଭୟ ଓ ଆଶଙ୍କା ଏକ ସ୍ବାଭାବିକ ପ୍ରତିକ୍ରିୟା । ଏଥିଲାଗି ପରସ୍ପର ସହିତ ନିଜକୁ ଯୋଡ଼ିବାକୁ ପଡ଼ିବ, ପରସ୍ପରକୁ ଆଶ୍ୱାସନା ଦିଅନ୍ତୁ ।
-ପାରସ୍ପରିକ ମନୋମାଳିନ୍ୟ ଭୁଲି ଏକାଠି ହୋଇ କାମ କରନ୍ତୁ ।
-ଅନେକ ଲୋକ ଲକଡାଉନରେ ରହୁଛନ୍ତି । କର୍ମଜୀବନ, ଗୃହସ୍ଥଜୀବନ ଓ ସାମାଜିକ ଜୀବନ ଏକାଠି ହୋଇଛି । ଏହା ସମସ୍ୟା ସୃଷ୍ଟି କରିପାରେ। ତେଣୁ ଘରର ସୀମାରେଖା ମଧ୍ୟରେ ଏହି କାମକୁ  ଅଲଗା ଅଲଗା କରନ୍ତୁ । ସମୟକୁ ବିଭାଜନ କରି ବ୍ୟବହାର କରନ୍ତୁ।
-ବ୍ୟକ୍ତିଗତ ତ୍ୟାଗର ସମୟ ଆସୁଛି । କଷ୍ଟର ସମୟ ସରିନାହିଁ । ଏବେଠାରୁ ପ୍ରସ୍ତୁତ ରହନ୍ତୁ।
-ଧନୀ, ଗରିବ, ସହରବାସୀ-ଗ୍ରାମବାସୀ କରୋନା ଆଗରେ ସମାନ । ନିଜକୁ କେବେ ବି ପରିସ୍ଥିତିର ଶିକାର ବୋଲି ଭାବନ୍ତୁ ନାହିଁ।
-ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ। ପରସ୍ପରକୁ ସହଯୋଗର ହାତ ବଢ଼ାନ୍ତୁ ।
-ମିଥ୍ୟା ଆଶ୍ୱାସନା ପାଇଁ ନିଶା ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।
-ସଂକ୍ରମିତ ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ଦୋଷୀ ଆଖିରେ ଦେଖନ୍ତୁ ନାହିଁ ।
-ପ୍ରତ୍ୟେକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମ୍ମାନ ଦିଅନ୍ତୁ । ସମବେଦନାସୂଚକ ବ୍ୟବହାର ପ୍ରଦର୍ଶନ କରନ୍ତୁ।
-ନିଜର ସମୟକୁ ନିଜେ ସଜାଡି ନିଅନ୍ତୁ । ଶାରୀରିକ ପରିଶ୍ରମ କରନ୍ତୁ, ମାନସିକ କସରତ କରନ୍ତୁ ଓ ବିଶ୍ରାମ ନିଅନ୍ତୁ ।

ସମ୍ବନ୍ଧିତ ଖବର