୧୩ରେ ହାଇସ୍କୁଲରେ ହେବ ପିଟିଏମ୍‌

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖରେ ସାରା ରାଜ୍ୟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ(ପିଟିଏମ୍‌) ଅନୁଷ୍ଠିତ ହେବ। ସ୍କୁଲ କ୍ୟାମ୍ପସରେ ହେବାକୁ ଥିବା ଏହି ବୈଠକର ଅବଧି ଦୁଇ ଘଣ୍ଟା ରଖାଯାଇଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ, ତାହାକୁ ନଜରରେ ରଖି ସମୟ ଧାର୍ଯ୍ୟ କରିବାକୁ ସ୍କୁଲ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ କୁହାଯାଇଛି। ବୈଠକର ୭ ଦିନ ପୂର୍ବରୁ ପ୍ରଧାନ ଶିକ୍ଷକମା‌ନେ ଏ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରାଇବେ। ବୈଠକରେ କେଉଁ କେଉଁ ବିଷୟରେ ଆଲୋଚନା ହେବ, ସେନେଇ ଅଭିଭାବକଙ୍କୁ ସ୍ପଷ୍ଟ ଭାବେ କୁହାଯିବ। ବୈଠକ‌ରେ ଅଭିଭାବକଙ୍କ ସଂଖ୍ୟା ଅତି ବେଶିରେ ଶହେ ହେବ। ଅଧିକ ଥିଲେ, ଦୁଇଟି ପର୍ଯ୍ୟାୟରେ ବୈଠକ କରାଯିବ। କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ବିଦ୍ୟାଳୟରେ ୧୦୦ ଦିନର ପାଠପଢ଼ା, କୋଭିଡ୍‌-୧୯ ସୁରକ୍ଷା ଓ ସତର୍କତା, ସ୍କୁଲ ଖୋଲିବା ପରେ ‌ଜାରି ହୋଇଥିବା ଏସ୍‌ଓପି, ଛାତ୍ରଛାତ୍ରୀଙ୍କ ସାମାଜିକ-ଭାବପ୍ରବଣତା, ପରୀକ୍ଷା ଦର୍ପଣ ବିଷୟରେ ବୈଠକରେ ଆଲୋଚନା କରାଯିବ। ଏହି କାର୍ଯ୍ୟକୁ ସୂଚାରରୂପେ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିସିପି) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର