ଅନାବିଳ ମାତୃତ୍ୱର ପ୍ରତୀକ ‘ପୁଅ ଜିଉଁତିଆ’ ପଶ୍ଚିମ ଓଡ଼ିଶାରେ ପାଳିତ

ସୁନ୍ଦରଗଡ଼/ବାଲିଶଙ୍କରା/ବୀରମହାରାଜପୁର: ପଶ୍ଚିମ ଓଡ଼ିଶାର ପୁଅ ଜିଉଁତିଆ ହେଉଛି ଏକ ସାମାଜିକ ସାଂସ୍କୃତିକ ଜୀବନର ନିଆରା ପରମ୍ପରା। ଏହା ଏହି ଅଂଚଳରେ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଅନ୍ୟସ୍ଥାନ ପରି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ମା’ମାନେ ସନ୍ତାନଙ୍କର ମଙ୍ଗଳ କାମନା କରି ପୁଅ ଜିଉଁତିଆ ବ୍ରତ ଧାରଣା କରିଛନ୍ତି। ଏଥିରେ ମା ପ୍ରେମର ଅନାବିଳ ସ୍ନେହ, ମମତା ଭରି ସନ୍ତାନହିନା ମହିଳା ମାନେ ମଧ୍ୟ ସନ୍ତାନ ହେବା ଆଶା ରଖି ନିଷ୍ଠାର ସହ ଏହି ବ୍ରତ ପାଳନ କରିଛନ୍ତି ।

କିମ୍ବଦନ୍ତୀ ଅନୁଯାଇ ଦୁତୀବାହନ ହେଉଛନ୍ତି ଆୟୁଷ ଦେବୀ। ଏଣୁ ସନ୍ତାନଙ୍କ ରିଷ୍ଟ ଖଣ୍ଡନ ପାଇଁ ମା ମାନେ ଦୁତୀବାହନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏଥିପାଇଁ ଆବାହାଲ କାଳରୁ ଗ୍ରାମ-ଗ୍ରାମ, ପଡା-ପଡାରେ ଏହି ପୁଅ ଜିଉଁତିଆ ପାଳନ ହୋଇଆସୁଛି। ବ୍ରତଧାରୀ ମାନେ ଅପରାହ୍ନରେ ନଦୀ, ପୋଖରୀରେ ସାମୁହିକ ଭାବେ ସ୍ନାନ କରି ଶୁଷ୍କ ବସ୍ତ୍ର ପରିଧାନ କରି ନଦୀ ପଠାରେ ବାଲୁକା ଦେବୀ ତିଆରି ସେଥିରେ କାକୁଡି ଚକି ସ୍ଥାପନ କରିଥାନ୍ତି। କାକୁଡି ଚକ ମଝିରେ ଅପାମାରଙ୍ଗ କାଠି ପୋତା ହୋଇଥାଏ। ସେଠାରେ ଧୂପ, ଦୀପ, ଫୁଲ ଦେଇ ଭୋଗ ଲଗାଇ, ଚିଲ, ଶାଗୁଣାଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ପରେ ବ୍ରତଧାରୀ ମାନେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି। ଘରକୁ ଫେରିବା ପରେ ପୁଅ ଜିଉଁତିଆ ପୂଜା ସାମଗ୍ରୀ ଯୋଗାଡ଼ କରାଯାଇଥାଏ।

ସଂଧ୍ୟାର ପ୍ରଥମ ପ୍ରହରେ ବ୍ରତଧାରୀ ମାନେ ନଦୀ, ପୋଖରୀକୁ ଯାଇ ଅନୁରୂପ ପୂଜାର୍ଚ୍ଚନା କରିଥାନ୍ତି। ରାତ୍ର ସମୟରେ ଗ୍ରାମର ଗାଁ ମଝିରେ ପୂର୍ବରୁ ତିଆରି ହୋଇଥିବା ପୂଜା ମଣ୍ଡପରେ ଗ୍ରାମର ସମସ୍ତ ବ୍ରତଧାରୀ ଗୋଳାଇ ହୋଇ ବସିବା ପରେ ଗ୍ରାମର ବୟସ୍କା ବ୍ରାହ୍ମଣ ମହିଳା ଦୁତୀବାହନ ଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ବ୍ରାହ୍ମଣ ପୁଅ ଜିଉଁତିଆ କାହାଣୀ ପଢି ବ୍ରତଧାରୀ ମାନଙ୍କୁ ଶୁଣିଥାନ୍ତି।

ପୂଜା ଶେଷରେ ବ୍ରତଧାରୀ ମାନେ ଘରକୁ ଫେରି ତହିଁ ଆରଦିନ ଘାଟ ପୂଜାପାଇଁ ସାମଗ୍ରୀ ଯୋଗାଡ଼ କରିଥାନ୍ତି ଐ ପୁଣି ବ୍ରତଧାରୀ ମାନେ ପରମ୍ପରା ଅନୁଯାଇ ନଦୀ, ପୋଖରୀରେ ପୂଜାକରି ଏକ ମୁହାଁ ହୋଇ ଘରକୁ ଫେରିଥାନ୍ତି। ଏହାପରେ ପୁଅ ମାନଙ୍କୁ ବଡରୁ ସାନ କ୍ରମରେ ବସାଇ ଦୀପ ଜାଳି ଠାକୁରଙ୍କ ପାଖରେ ଚଢା ଯାଇଥିବା ଦୁବାକ୍ଷତକୁ ମୁଣ୍ଡ ଉପରୁ ୭ ଥର ଗଡି ଚନ୍ଦନ ସିନ୍ଦୁର ଲଗାଇ ନୂଆ ବସ୍ତ୍ର ପରିଧାନ ପାଇଁ ଦେଇଥାନ୍ତି ଓ ହାତରେ ବ୍ରତକୁ ପିନ୍ଧାଇ ଦେଲା ପରେ ସନ୍ତାନମାନେ ମା ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରଥାନ୍ତି। ସେଥିପାଇଁ ଏହି ଅଂଚଳରେ ଅଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହି ଓଷାକୁ ପାଳନ କରିଥାନ୍ତି।

ଏହି ପୂଜାରେ ୨୧ ପ୍ରକାର ଫୁଲଫଳ ଦେବୀଙ୍କୁ ଅର୍ପଣ କରାଯାଇଥିଏ। ଏହି ପୂଜାସ୍ଥଳରେ ଆମ୍ବଡାଲ, ବରକୋଳି ପତ୍ର ଓ କଇଁ ଫୁଲରେ ସଜ୍ଜିତ କରାଯାଇଥାଏ। ପୂଜାରେ ଆଖୁ, ପଦ୍ମ ଫୁଲ, କରମ ଡାଳ ରଖାଯାଇଥାଏ। ଆଖୁ ମଣ୍ଡପରେ ଗତ ଖୋଲା ଯାଇଥାଏ। ବିଧି ଅନୁସାରେ ସେଥିରେ ପାଣି ଭର୍ତି କରି ଜିଆ ମାଛ ଛଡ଼ାଯାଏ। ପୂଜା ଶେଷରେ ମୁଖ୍ୟ ମହିଳା ଗାତଭିତରେ ଛଡାଯାଇଥିବା ମାଛକୁ ଧରିବା ପାଇଁ ପ୍ରୟାସ କରିଥାନ୍ତି। ଜିଆ ମାଛ ଦେଇ ଯେଉଁ ମହିଳା ପାଖକୁ ଯାଏ ତାକୁ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହି ପୂଜାକୁ ସମସ୍ତ ବିବାହିତା ମହିଳା ମାନେ ଏହାକୁ ପାଳନ କରିଥାନ୍ତି।

ଆସନ୍ତାକାଲି ସନ୍ତାନ ମାନଙ୍କୁ ଛୁଆଁଇବେ ଦୁବ

ପଶ୍ଚିମ ଓଡ଼ିଶାରେ ପୁଅ-ଝିଅ ମାନଙ୍କ ମଙ୍ଗଳ କାମନା କରି ମା’ ମାନେ ନିର୍ଜଳା ଉପବାସ କରି ପୁଅଜିଉନ୍ତିଇ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ଆଶ୍ୱୀନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇଥାଏ। ମା’ ମାନେ ଭୋର ସକାଳୁ ଉଠି ସୁଦ୍ଧ ସ୍ନାନ ସାରି ପୁଉଜିଉନ୍ତିଆ ବ୍ରତର ସାମଗ୍ରୀ ଯୋଗାଡ଼ କରିଥାନ୍ତି। ସନ୍ଧ୍ୟା ସମୟରେ ଗାଁ ଦାଣ୍ଡରେ ଗୋବରରେ ଲିପା ପୋଛା କରି ଚାନ୍ଦୁଆ ଟାଣି ଏହି ପୁଉ ଜିଉନ୍ତିଆ ଓଷା ପାଳନ କରିଥାନ୍ତ। ମା’ ମାନେ ନୁଆ ବସ୍ତ୍ର ପରିଧାନ କରି ୧୦୮ ଦୁବ ଓ ୧୦୮ ଅକ୍ଷତ ଚାଉଳକୁ ଶାଳପତ୍ରରେ ଅକ୍ଷତ ଭେଣ୍ଡି ଦେଇ ତା ଉପରେ ଜିଉନ୍ତିଆ ବାନ୍ଧି ଥାଆନ୍ତି। ୨୧ ପ୍ରକାରର ଫଳ ଏହି ବ୍ରତରେ ଦ୍ଵିତୀ ବାହନଙ୍କୁ ଅର୍ପଣ କରିଥାନ୍ତି। ଏହା ସହିତ ବିଭିନ୍ନ ପ୍ରକାର ଫୁଲ ମଧ୍ୟ ଅର୍ପଣ କରିଥାନ୍ତି।

ପୁଜା ପରେ ବ୍ରାହ୍ମଣଙ୍କୁ ଦ୍ୱାରା ପୁଉ ଜିଉନ୍ତିଆ କଥାଶୁଣି ଶେଷରେ ଆଳତି ଓ ପୁଷ୍ପାଳକ ଦେଇ ପୁଜା ଶେଷ କରିଥାନ୍ତି। ପର ଦିନ ଭୋର ସକାଳୁ ନଦୀ, ପୋଖରୀକୁ ଯାଇ କାଠି ପୋତି ଚଣା ଗିଳି ମା’ ମାନେ ଘରକୁ ଆସି ଜାଗର ଜାଳି ପୁଅ-ଝିଅ ମାନଙ୍କୁ ତାଙ୍କର ମଙ୍ଗଳ ମନାସି ସେହି ୧୦୮ ଦୁବକୁ ମୁଣ୍ଡରେ ଛୁଆଁଇ ଥାନ୍ତି ଓ ସନ୍ତାନ ମାନଙ୍କୁ ନୁତନ ବସ୍ତ୍ର ଦେଇଥାନ୍ତି ।

ଏହାପରେ ମା’ ମାନେ ପାଣି ଓ ଭୋଗ ଗ୍ରହଣ କରିଥାନ୍ତି। ଏହି ପୁଉ ଜିଉନ୍ତିଆ ଦିନ ପଶ୍ଚିମ ଓଡ଼ିଶାର ସମସ୍ତ ମାହେଶ୍ୱରୀ ପୀଠରେ ଦ୍ଵାର ଫିଟା ଯାଇ ଛତି-ଛତ୍ର, ବଇରଖ ଓ ଖଣ୍ଡା ଗାଁ ମାନଙ୍କରେ ଥିବା ପୋଖରୀ ବା ନଦୀରେ ସ୍ନାନ କରାଇ ଥାଆନ୍ତି, ଯାହାକୁ ଅନେକ ସ୍ଥାନରେ ଗଣ୍ଡାଧିଆ ପର୍ବ ବୋଲି କହିଥାନ୍ତି। କିନ୍ତୁ ସ୍ଥମ୍ଭେଶ୍ୱେରୀ ସସ୍କୃତିରେ ଏହି ଦିନ ଠାରୁ ଶୋଳ ପୂଜା ଆରମ୍ଭ ହୋଇଥାଏ। ଆଶ୍ୱୀନ ମାସ ଶୁକ୍ଳପକ୍ଷ ଦୁର୍ଗା ଷ୍ଟମୀ ବା ଭାଇ ଜିଉନ୍ତିଆ ଦିନ ମାଁ ମାହେଶ୍ୱରୀ ମାନେ ପଞ୍ଚ ବାଦ୍ୟ ସହ ବାଡିଖେଳ ସହ ମାଁ ମାହେଶ୍ୱରୀ ମହିସ୍ନାନ ପାଇଁ ନଦୀ ଓ ପୋଖରୀକୁ ଯାଇଥାନ୍ତି। ଏଣୁ ପୁରୀ ଜିଉନ୍ତିଆ ଓ ଭାଇ ଜିଉନ୍ତିଆ ସହିତ ମାହେଶ୍ୱରୀ ସସ୍କୃତି ଓତଃପ୍ରୋତଭାବେ ଜଡ଼ିତ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ପ୍ରସିଦ୍ଧ ମାହେଶ୍ୱରୀ ପୀଠ କାନପୁର, ହିଲୁଙ୍ଗ, ମେଣ୍ଡାମାଳ, ଦେଉଳମୁଣ୍ଡା, ବାଗବର, ଷଣ୍ଢା, କମଳପୁର, କର୍ଡାପାଲ, ସୁବଳୟା ଆଦି ବିଭିନ୍ନ ସ୍ଥାନରେ ୧୬ପୁଜା ଆରମ୍ଭ ହୋଇଛି।
ସୁନ୍ଦରଗଡ଼ରୁ ଡମ୍ବରୁଧର ନାୟକ, ବାଲିଶଙ୍କରାରୁ ପ୍ରଦୀପ କୁମାର ନନ୍ଦ ଓ ବୀରମହାରାଜପୁରରୁ ଯୁଗଳ କିଶୋର ମିଶ୍ରଙ୍କ ରିପୋର୍ଟ

ସମ୍ବନ୍ଧିତ ଖବର